ବିର୍ସା ମୁଣ୍ଡା ଜୟନ୍ତୀ ମହା ସମାରୋହରେ ପାଳନ ପାଇଁ ପ୍ରସ୍ତୁତି ବୈଠକ – ନଭେମ୍ବର 15 ରେ ବିଶାଳ ସଶସ୍ତ୍ର ପାରମ୍ପାରିକ ଶୋଭାଯାତ୍ରା
ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଉପଖଣ୍ଡ ଏବଂ ସରକାରୀ ଆଦିବାସୀ କର୍ମଚାରୀ ସଂଘ ମିଳିତ ଉଦ୍ୟମରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ବିର୍ସା ମୁଣ୍ଡା ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି | ସଭାରେ ଏସ. ଟି./ଏସ. ସି. କର୍ମଚାରୀ ସଂଘର ସଭାପତି ଖୁସିରାମ ମଲ୍ଲିକ ସଭାପତିତ୍ୱ କରିଥିଲେ | ଚଳିତ ବର୍ଷ ଆଗାମୀ ନଭେମ୍ବର 15 ରେ ପାଟଣାଗଡ଼ରେ ବିର୍ସା ମୁଣ୍ଡା ଜୟନ୍ତୀ ମହା ସମାରୋହରେ ପାଳନ କରାଯିବା ସହ ସଶସ୍ତ୍ର ପାରମ୍ପାରିକ ଵିଶାଲ ଆଦିବାସୀ ଶୋଭାଯାତ୍ରା କରାଯିବ | ଶୋଭାଯାତ୍ରାରେ ତିରିଶ ହଜାର ରୁ ଉର୍ଦ୍ଧ ଆଦିବାସୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ତତ ସହିତ ଶତାଧିକ ଆଦିବାସୀ ସାଂସ୍କୃତିକ ଦଳ ଯୋଗଦେବେ | ଚଳିତ ବର୍ଷ ମେଟ୍ରିକ, ଯୁକ୍ତ ଦୁଇ, ଯୁକ୍ତ ତିନି, ଅନ୍ୟାନ୍ୟ ଧନ୍ଦା ମୂଳକ ଶିକ୍ଷାରେ ଭଲ ମାର୍କ ରଖି ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀ, ନିଟ ପରୀକ୍ଷାରେ ଉତ୍ତୀର୍ଣ ହୋଇଥିବା ଛାତ୍ର ଛାତ୍ରୀ, ଅନ୍ୟାନ୍ୟ ପରୀକ୍ଷାରେ ଉତ୍ତୀର୍ଣ ହୋଇଥିବା ଛାତ୍ର ଛାତ୍ରୀ,ସେନା ବାହିନୀରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ,ଡାକ୍ତରୀ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସେହି ଦିନ ସମ୍ବର୍ଦ୍ଧିତ କରାଯିବ | ବିଭିନ୍ନ କଳା, ପ୍ରତିଭାରେ ସଫଳତା ପାଇଥିବା ପ୍ରତିଭାଧାରୀ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ | ଆଜିର ବୈଠକରେ ଶବର ସମାଜ, ଗଣ୍ଡ ୱାନା ଗଣ୍ଡ ସମାଜ, ବିଞ୍ଝାଳ ସମାଜ, ଦଳ ସମାଜ, ମିର୍ଦ୍ଧା ସମାଜ, କନ୍ଧ ସମାଜର କର୍ମକର୍ତ୍ତା ତଥା ଚନ୍ଦ୍ର ଶେଖର ବାଗ,ରାମ ଚନ୍ଦ୍ର ଧରୁଆ, ରମେଶ ପଧାନ, ଯୁଗେଶ୍ୱର ଭୋଇ, ପରମେଶ୍ୱର ଭୋଇ,ରସିକ ଧରୁଆ, ଧନିରାମ ମିର୍ଦ୍ଧା, ପ୍ରୀତି ସିଂ ମଲ୍ଲିକ,ପରକ୍ଷିତ ମାଝୀ, ପ୍ରଦୀପ ପଧାନ, ମନୋଜ ଲୁହା, ଲେକରୁ ଧରୁଆ, ଗୌରାଙ୍ଗ ବରିହା, ମକୁନ୍ଦ ଧରୁଆ,କିଶୋର ଚନ୍ଦ୍ର ବରିହା, ମନୋଜ କୁମାର ଲୁହା ପ୍ରମୁଖ ମତାମତ ଦେଇଥିଵା ବେଳେ ସଭାକୁ ଯୁଧିଷ୍ଠିର ମିର୍ଦ୍ଧା ପରିଚାଳନା କରିଥିଲେ ଏବଂ ପ୍ରତାପ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ |
