August 14, 2026

ଓଡିଶାରେ ଖଣି ରୟାଲଟିରୁ ମିଳିଥିବା ଜିଲ୍ଲା ପାଣ୍ଠି ବୃହତ ପୁଞ୍ଜିପତିଙ୍କ ସ୍ୱାର୍ଥରେ ବିନିଯୋଗ ହେଉଛି : ବୃନ୍ଦା କାରାତ

IMG-20260813-WA0018
Share

 

ଓଡିଶାରେ ଖଣିଜ ସମ୍ପଦ ଭରା ଇଲାକାରୁ ଆଦାୟ ହେଉଥିବା ଖଣି ରୟାଲଟି ଆଦିବାସୀଙ୍କ ସ୍ୱତନ୍ତ୍ର ଉନ୍ନତି ପାଇଁ ରାସ୍ତାଘାଟ, ପାନୀୟ ଜଳ ,ଶିକ୍ଷା ଓ ସ୍ୱାସ୍ଥ୍ୟରେ ବିନିଯୋଗ ହେବା ବଦଳରେ ବୃହତ ପୁଞ୍ଜିପତିଙ୍କ ସେବାରେ ଲାଗୁଛି ବୋଲି ପ୍ରାକ୍ତନ ସାଂସଦ ତଥା ସି ପି ଆଇ ଏମ୍ ର ପୂର୍ବତନ ପଲିଟିବ୍ୟୁରୋ ସଦସ୍ୟ ବୃନ୍ଦା କାରାତ କହିଛନ୍ତି।

ପ୍ରାକ୍ତନ ସାଂସଦ, ପ୍ରଖ୍ୟାତ ଜନନେତା ଓ ସିପିଆଇ ( ଏମ୍) ଓଡ଼ିଶା ରାଜ୍ୟ କମିଟିର ପୂର୍ବତନ ସମ୍ପାଦକ ଶିବାଜୀ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜନ୍ମ ବାର୍ଷିକୀ ସମାରୋହ ଅବସରରେ ” ବିସ୍ଥାପନ , ଦମନ ଓ ଉନ୍ନୟନ ” ଶୀର୍ଷକ ବିଷୟ ବସ୍ତୁ ଉପରେ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ବୃନ୍ଦା କାରାତ କହିଲେ ଯେ ୨୦୨୫ ମସିହାରେ ଓଡ଼ିଶା ଖଣି ରୟାଲଟି ବାବଦରେ ୨୯୭୬୮ କୋଟି ଟଙ୍କା ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୭୦୦୦ କୋଟି ଟଙ୍କା ବ୍ୟୟ ହୋଇଛି । ମାତ୍ର ବ୍ୟୟ ହୋଇଥିବା ଏହି ଅର୍ଥର ବଡ଼ ଅଂଶ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ବିନିଯୋଗ ନହୋଇ ସେ ଅଂଚଳରେ କମ୍ପାନୀ ମାନଙ୍କ ଢାଞ୍ଚାଗତ ପରିସେବା ବିକାଶରେ ବ୍ୟୟ ହେଉଛି ।

ଗୋଟିଏ ପଟେ ଖଣି ଉତ୍ତୋଳନ ଓ ଉନ୍ନୟନ ଜନିତ ବିସ୍ଥାପନ ଯୋଗୁଁ ଆଦିବାସୀ ବିସ୍ଥାପିତ ହୋଇ ସେମାନଙ୍କର ଜମି ଓ ଜୀବିକା ହରେଇ ଥିବା ବେଳେ ଅନ୍ୟ ପଟରେ ସେମାନଙ୍କ ଉନ୍ନତି ପାଇଁ ଆଦାୟ ଖଣି ରୟାଲଟି ପଞ୍ଜପତିଙ୍କ ସ୍ୱାର୍ଥରେ ବିନିଯୋଗ ହେବା ଯୋଗୁଁ ସେମାନେ ଦ୍ୱୈତ ଉତ୍ପୀଡନ ଓ ଦମନର ଶିକାର ହେଉଛନ୍ତି ।ଓଡ଼ିଶା ସମେତ ଦେଶର ଅଧିକାଂଶ ଭାଗରେ ଆଦିବାସୀ ଅଧ୍ୟୁଷିତ ଇଲାକାରେ ଗ୍ରାମ ସଭା ସହ ପରାମର୍ଶ ଓ ଅନୁମୋଦନ ବିନା ଜଙ୍ଗଲ, ଜମି ଓ ଜୀବିକାରୁ ଲୋକଙ୍କୁ ବଞ୍ଚିତ କରି ବିପୁଳ ଖଣିଜ ଓ ପ୍ରାକୃତିକ ସଂପଦ ଅତି ଶସ୍ତାରେ ବୃହତ ପୁଞ୍ଜିପତିଙ୍କ ହାତକୁ ଟେକି ଦେଇ ଲୋକଙ୍କ ସର୍ବନାଶ କରାଯାଉଛି ବୋଲି କାରାତ କହିଥିଲେ ।

ପୁରୀ ପୌର ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ଜନ୍ମ ବାର୍ଷିକୀ ସମାରୋହରେ ଅଧ୍ୟକ୍ଷତା କରିଥିଲେ ସି ପି ଆଇ ଏମ୍ ର ପ୍ରାକ୍ତନ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ। ସମାରୋହରେ ବିଶେଷ ଅତିଥି ଭାବେ ଯୋଗ ଦେଇ ବନେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଲେ ଯେ ଶିବାଜୀ ପଟ୍ଟନାୟକ ଜୀବନ ବ୍ୟାପି ଶ୍ରମିକ କୃଷକ ଓ ମେହେନତୀ ମଣିଷର ସ୍ବାର୍ଥ ପାଇଁ ସାଲିସ ବିହୀନ ସଂଗ୍ରାମ କରିଥିଲେ । ତାଙ୍କ ଆଦର୍ଶରେ ସେ ନିଜେ ଅନୁପ୍ରାଣିତ ହୋଇ ସେହି ସଂଗ୍ରାମକୁ ଆଗକୁ ନେବା ପାଇଁ ସୁନ୍ଦରଗଡ଼ ସମେତ ଆଦିବାସୀ ଇଲାକାରେ ଆଦିବାସୀ ଓ ଗରିବ ଲୋକଙ୍କୁ ଜମି , ଜଙ୍ଗଲ ଅଧିକାର ଓ କର୍ମ ନିଯୁକ୍ତି ଯୋଗାଇବା ପାର୍ଟି ନେତୃତ୍ୱରେ ପାଇଁ ନିରନ୍ତର ସଂଗ୍ରାମ ଚାଲିଛି ବୋଲି କହିଥିଲେ ।

ସିପିଆଇ ଏମ୍ ରାଜ୍ୟ କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ , ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର , ସି ପି ଆଇ ( ଏମ୍ ଏଲ) ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମାହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇ ପୁଞ୍ଜପତୀଙ୍କ ସ୍ଵାର୍ଥ ପାଇଁ ଚାଲିଥିବା ବିସ୍ଥାପନ ପ୍ରକ୍ରିୟା ଯୋଗୁଁ ଆଦିବାସୀ ଓ ଗରିବ ମଣିଷ ଦମନ ଓ ପିଡନର ଶିକାର ହେଉଛନ୍ତି ଓ ଏହା ବିରୁଦ୍ଧରେ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପୁଷ୍ପା ଦାସ ଓ ଅଖିଳ ଭାରତ ଗଣତାନ୍ତ୍ରୀକ ମହିଳା ସମିତିର ଜାତୀୟ ଉପ ସଭାନେତ୍ରୀ ତାପସି ପ୍ରହରାଜ ବକ୍ତବ୍ୟ ରଖିଥିଲେ ।

ପ୍ରାରମ୍ଭରେ ସମାରୋହ କମିଟିର ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ସ୍ୱାଗତ ଅଭିଭାଷଣ ଦେଇଥିଲେ । ସମାରୋହ କମିଟି ର ସମ୍ପାଦକ ଜଗନ୍ନାଥ ଦେଓ ଧନ୍ୟବାଦ ଜ୍ଞାପନ କରିଥିଲେ । ସମାରୋହ ପୂର୍ବରୁ ଏକ ସୁଶୋଭିତ ପଟୁଆର ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଠାରୁ ବାହାରି ଟାଉନ୍ ହଲ୍ ପର୍ଯ୍ୟନ୍ତ ଆସୁଥିଲା । ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜମେଶ୍ୱର ସାମନ୍ତରାୟ, ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ଭୀମସେନ ସ୍ୱାଇଁ, ଶରତ କୁମାର ରାୟଗୁରୁ , ଶ୍ରୀକାନ୍ତ ପରିଜା , ଆଦିବାସୀ ମହାସଭାର ରାଜ୍ୟ ନେତା ସାଲ ମାରାଣ୍ଡି ଓ ରାଜେଶ୍ ଜାନୀ, ହାରାମଣି ମହାପାତ୍ର, ଶୈଳ ତ୍ରିପାଠୀ , ଜ୍ୟୋସ୍ନା ସୁବୁଦ୍ଧି ନେତୃତ୍ୱ ନେଇଥିଲେ । ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଓ ସାମରୋହକୁ ପରିଚାଳନା କରିଥିଲେ ଟୁନା ନାୟକ, ବିଭୂତି ରାଉତରାୟ, କୃପାସିନ୍ଧୁ ପଣ୍ଡା , ସୁନୀଲ ମହାରଣା ଓ ନିରଞ୍ଜନ ତରେଇ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed