ହିନ୍ଦ୍ ମଜଦୂର ସଭାର ୧୬ ଦଫା ଦାବି ଏମ୍.ସି.ଏଲ୍. ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିଶାଳ ବିକ୍ଷୋଭ ସମାବେଶ

ସମ୍ବଲପୁର, ୧୨/୦୮(ବ୍ୟୁରୋ):
ଆଜି ହିନ୍ଦ୍ ମଜଦୂର ସଭା (ଏଚ୍.ଏମ୍.ଏସ୍.) ପକ୍ଷରୁ ବୁର୍ଲା ସ୍ଥିତ ଏମ୍.ସି.ଏଲ୍.ର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୬ ଦଫା ଦାବୀ ନେଇ ଏକ ବିଶାଳ ଗଣଧାରଣା ତଥା ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି। ଏଚ୍.ଏମ୍.ଏସ୍. ଓଡ଼ିଶା ରାଜ୍ୟ ଶାଖା ସଭାପତି ବିଜୟ କୁମାର ମହାନ୍ତି ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଶାଳ ସମାବେଶରେ ତାଳଚେର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ସମେତ ବିଭିନ୍ନ କୋଇଲା ଖଣି ପ୍ରଭାବିତ ଅଞ୍ଚଳରୁ ହଜାର ହଜାର ଶ୍ରମିକ, କର୍ମଚାରୀ, ବିସ୍ଥାପିତ ଓ ପ୍ରକଳ୍ପ ପ୍ରଭାବିତ ଲୋକ ଯୋଗଦେଇ ଏମ୍.ସି.ଏଲ୍.ର ଅବହେଳା ବିରୋଧରେ ନାରାବାଜି କରିଥିଲେ। ଏହା ସହିତ ଏଚ୍.ଏମ୍.ଏସ୍. ପକ୍ଷରୁ ୧୬ ଦଫା ଦାବୀ ସମ୍ବଳିତ ଦାବୀପତ୍ର ଏମ୍.ସି.ଏଲ୍.ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି।
ଏଥିରେ ଏଚ୍.ଏମ୍.ଏସ୍.ର ସଭାପତି ବିଜୟ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପୂର୍ବତନ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି, ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ, ଉପସଭାପତି ଯୁଗଳ କିଶୋର ନାୟକ, ଉପମହାସଚିବ ଗୋକୁଳ ମେହେର, ସମ୍ପାଦକ ତ୍ରିଲୋଚନ ପ୍ରଧାନ, ସମ୍ପାଦକ ସଞ୍ଜିତ ମହାନ୍ତି, ସମ୍ପାଦକ ମହମ୍ମଦ ମୁର୍ତୁଜା, ପବିତ୍ର ବିଶ୍ୱାଳ, ସଞ୍ଜୀବ ପାଲାଇ, ବି.ଏନ୍. ମହାପାତ୍ର, ପ୍ରକାଶ ଚନ୍ଦ୍ର କୁଣ୍ଡୁ, ପ୍ରମୋଦ ଦାଶ, ସତ୍ୟ ତ୍ରିପାଠୀ, କୁଳମଣି ଦାସ, ଗୋପାଳ ସିତାନୀ, ବାସୁଦେବ ସାହୁ, ଶ୍ରୀ ସଦାଶିବ ବିଶି, ଗଦାଧର କୁଆର, ଏନ୍. ଗୋପାଳ, ପ୍ରଣୟ ନାୟକ, ଶ୍ରୀମତୀ ସିପ୍ରା ମହାନ୍ତି, ଭି ରାମା ରାଓ, ବାବୁଲାଲ ଖଣ୍ଡୁଆଲ, ଜୟନ୍ତ ପଟ୍ଟନାୟକ, ଧିରେନ ଦେବତା, କୈଳାସ ପ୍ରଧାନ, ଆର୍ୟନ ବେହେରା, ଅଶୋକ ସାମଲ, ମମତା ପଣ୍ଡା, ଯୋଗେନ୍ଦ୍ର ବେହେରା, ସୁବ୍ରତ ପଣ୍ଡା, ପ୍ରେମାନନ୍ଦ ମିଶ୍ର, କାମେଶ୍ୱର ଯାଦବ, ରବିନ୍ ରଞ୍ଜିତ୍ , ପ୍ରଦୀପ ସାହୁ, ଶୋଭାରାମ ପ୍ରଧାନ, ମିଲନ ପଳେଇ, ମଞ୍ଜୁ ଓରାମ, ଉତ୍ତମ ବାଘ୍, ଭିକାରୀ ପ୍ରଧାନ, ମିଲନ ହୋତା, ସୁମିତ୍ ପଟେଲ, ଦେବ ଜ୍ୟୋତି ପଟ୍ଟନାୟକ, ଆର୍ୟନ ବୋହିଦର୍, ଶିବୁ ସେଠ୍, ସୁରେଶ ନାଗ, ତପନ ପ୍ରଧାନ, କବିତା ରାଣୀ ଦେହୁରୀ, ମିନାକ୍ଷୀ ସାହୁ, ଜୟନ୍ତୀ ପ୍ରଧାନ, ସୂଷୀମ ଦାସ, ସୁକାନ୍ତ ପତି , କଣିହାଁ ବ୍ଲକ୍ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପ୍ରଧାନ, କଳା କାହୁଁ ମେହେର, ପ୍ରମୁଖ ଯୋଗଦେଇ ୧୬ ଦଫା ଦାବୀ ସମ୍ପର୍କରେ ଉଦବୋଧନ ଦେଇଥିଲେ।
ବକ୍ତାମାନେ କହିଥିଲେ ଯେ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଦୀର୍ଘ ବର୍ଷ ଧରି ଓଡ଼ିଶାର ତାଳଚେର ଓ ଇବ ଭ୍ୟାଲି ଅଞ୍ଚଳରୁ ବିପୁଳ ପରିମାଣର କୋଇଲା ଉତ୍ପାଦନ କରି ରାଜସ୍ୱ ଅର୍ଜନ କରୁଛି। ମାତ୍ର ଯେଉଁ ଅଞ୍ଚଳରୁ କୋଇଲା ସମ୍ପଦ ଉତ୍ତୋଳନ ହେଉଛି, ସେହି ଅଞ୍ଚଳର ଶ୍ରମିକ, ବିସ୍ଥାପିତ ଓ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ସମସ୍ୟା ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଉନାହିଁ। ବିଶେଷକରି ନିଯୁକ୍ତି, ପୁନର୍ବାସ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ରାସ୍ତା, ପ୍ରଦୂଷଣ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ମୌଳିକ ସୁବିଧା କ୍ଷେତ୍ରରେ ଏମ୍.ସି.ଏଲ୍. ଅବହେଳା କରୁଥିବା ଅଭିଯୋଗ କରାଯାଇଥିଲା।
ବକ୍ତାମାନେ ଆହୁରି ଅଭିଯୋଗ କରିଥିଲେ ଯେ, ଏମ୍.ସି.ଏଲ୍. କର୍ତ୍ତୃପକ୍ଷ ଏଚ୍.ଏମ୍.ଏସ୍.ର ସ୍ଥାନୀୟ ମୂଳ ପଞ୍ଜୀକୃତ ସଂଗଠନର ଦାବୀ ପ୍ରତି ଅବହେଳା ପ୍ରଦର୍ଶନ କରିଆସୁଛି। ମୂଳ ପଞ୍ଜୀକୃତ ଟ୍ରେଡ୍ ୟୁନିଅନ୍କୁ ଅଣଦେଖା କରି ବାହ୍ୟ ବ୍ୟକ୍ତିବିଶେଷ ଓ କିଛି ଏଜେଣ୍ଟଙ୍କୁ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ କରି ଏମ୍.ସି.ଏଲ୍.ର ଏଭଳି କାର୍ଯ୍ୟକଳାପକୁ ନେତାମାନେ ତୀବ୍ର ନିନ୍ଦା କରିଥିଲେ।
ଏଚ୍.ଏମ୍.ଏସ୍. ପକ୍ଷରୁ ଉପସ୍ଥାପିତ ୧୬ ଦଫା ଦାବୀ ମଧ୍ୟରେ ଖଣି କାର୍ଯ୍ୟରେ ରାମ୍ପାର୍ଟ ସୋର୍ସିଂ ବନ୍ଦ କରି ସମସ୍ତ ଠିକା ଶ୍ରମିକଙ୍କୁ HPC ଦରମା ଲାଗୁ କରିବା, ଓଡ଼ିଶାର ପ୍ରଭାବିତ ଜିଲ୍ଲାଗୁଡ଼ିକରେ CSR ପାଣ୍ଠିର ସଠିକ୍, ସ୍ୱଚ୍ଛ ଓ ଆବଶ୍ୟକତାଭିତ୍ତିକ ବ୍ୟବହାର ସୁନିଶ୍ଚିତ କରିବା, ସମସ୍ତ ମେଡିକାଲ୍ ୟୁନିଟ୍ର ମାମଲାରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ସହ ବକେୟା ମାମଲାର ତୁରନ୍ତ ସମାଧାନ କରିବା ଏବଂ ସମସ୍ତ ବିସ୍ଥାପିତଙ୍କୁ ଯଥୋଚିତ କ୍ଷତିପୂରଣ, ନିଯୁକ୍ତି ଓ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବା ପ୍ରମୁଖ ରହିଛି।
ସେହିପରି OB ଓ କୋଇଲା ପରିବହନ କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ସମସ୍ତ ଅସ୍ଥାୟୀ ଓ ଠିକା ଶ୍ରମିକଙ୍କୁ ଅର୍ଜିତ ଛୁଟି (EL) ଓ ଚିକିତ୍ସା ଛୁଟି, ଖଣିଗୁଡ଼ିକରେ ଶତପ୍ରତିଶତ ବାଲି ଭରଣ ଓ ବନୀକରଣ, ପଞ୍ଜୀକୃତ ଟ୍ରେଡ୍ ୟୁନିଅନ୍ ବିଶେଷକରି HMSର ଅଧିକାରକୁ ଅଣଦେଖା କରିବା ବନ୍ଦ କରିବା, ଟ୍ରେଡ୍ ୟୁନିଅନ୍ ଫେଡେରେସନ୍ ନାମରେ ଏଜେଣ୍ଟଙ୍କୁ ପ୍ରୋତ୍ସାହନ ଦେବା ଭଳି ଅନ୍ୟାୟ ପ୍ରଥା ବନ୍ଦ କରିବା ଏବଂ ଭେଣ୍ଡର ବିକାଶରେ ମଧ୍ୟସ୍ଥତା ବ୍ୟବସାୟ ବନ୍ଦ କରିବାକୁ ଦାବୀ କରାଯାଇଛି।
ଏମ୍.ସି.ଏଲ୍.ର ସମସ୍ତ ଠିକା ଶ୍ରମିକଙ୍କ ପାଇଁ ସର୍ବନିମ୍ନ ୨ କୋଟି ଟଙ୍କାର ବୀମା, ମେଡିକାଲ୍ କାର୍ଡ ଓ ସ୍ଥାୟୀ କର୍ମଚାରୀଙ୍କ ସମାନ ଚିକିତ୍ସା ସୁବିଧା, ବୃତ୍ତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା, ବାୟୁ ପ୍ରଦୂଷଣ ହ୍ରାସ ପାଇଁ ତୁରନ୍ତ ପଦକ୍ଷେପ, ଠିକା କର୍ମଚାରୀଙ୍କ ପିଲାମାନଙ୍କ ପାଇଁ DAV ବିଦ୍ୟାଳୟରେ ୪୦ ପ୍ରତିଶତ ସିଟ୍ ସଂରକ୍ଷଣ, ସମସ୍ତ ସ୍ଥାୟୀ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ ପ୍ରଦାନ ଏବଂ ଭୂତଳ ଖଣିରେ ବାଲି ଭରଣ ଓ ଖୋଲା ମୁହାଁ ଖଣିରେ ବ୍ୟାକ୍ଫିଲିଂ ବ୍ୟବସ୍ଥା କରିବାକୁ ମଧ୍ୟ ଦାବୀ କରାଯାଇଛି।
ଏଚ୍.ଏମ୍.ଏସ୍. ପକ୍ଷରୁ କୁହାଯାଇଛି ଯେ, ଏହି ଦାବୀଗୁଡ଼ିକ ଦୀର୍ଘଦିନ ଧରି ଉଠାଯାଉଥିଲେ ମଧ୍ୟ ଏମ୍.ସି.ଏଲ୍. କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ତେଣୁ ଦାବୀଗୁଡ଼ିକ ପ୍ରତି ଏମ୍.ସି.ଏଲ୍. କର୍ତ୍ତୃପକ୍ଷ ତୁରନ୍ତ ଗୁରୁତ୍ୱ ଦେଇ ଆଲୋଚନା ମାଧ୍ୟମରେ ସମାଧାନର ପଦକ୍ଷେପ ନିଅନ୍ତୁ ବୋଲି ଦୃଢ଼ ଦାବୀ କରାଯାଇଥିଲା। ଅନ୍ୟଥା ଶ୍ରମିକ, କର୍ମଚାରୀ, ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କ ସ୍ୱାର୍ଥରେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଏଚ୍.ଏମ୍.ଏସ୍. ପକ୍ଷରୁ ଚେତାବନୀ ଦିଆଯାଇଛି।
ଆଜିର ବିକ୍ଷୋଭ ପରେ ଏକ ଶୋଭାଯାତ୍ରା ରେ ଯାଇ ଏମ ସି ଏଲ ମହା ପ୍ରବନ୍ଧକ ଉଦୟ ଅନନ୍ତ କୱଲେ ଙ୍କ ସହ ଆଲୋଚନା କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିଲା।
