ସଂକୁଳସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ ୧୧ ଶିଶୁ ମନ୍ଦିରର ୨୭୮ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ସାହାରପଡା: କେନ୍ଦୁଝର ଜିଲ୍ଲା ସାହାରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପାଟଣା ସଂକୁଳସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ପାଟଣା ସଂକୁଳ ଅଧୀନରେ ଥିବା ୧୧ଟି ଶିଶୁ ମନ୍ଦିରରୁ ମୋଟ ୨୭୮ ଜଣ ଛାତ୍ରଛାତ୍ରୀ ଏହି ମେଳାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ଓ ବୈଜ୍ଞାନିକ ଚିନ୍ତନର ପରିଚୟ ଦେଇଥିଲେ।ମେଳାରେ ବିଜ୍ଞାନ ପ୍ରକଳ୍ପ, ପତ୍ରବାଚନ, ପ୍ରୟୋଗ, ପ୍ରଶ୍ନମଞ୍ଚ, କଥାକଥନ, ମୂର୍ତ୍ତିକଳା ଓ ଲୋକନୃତ୍ୟ ଭଳି ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ମେଳାକୁ ଆହୁରି ଆକର୍ଷଣୀୟ କରିଥିଲା।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କ୍ଷେତ୍ରମୋହନ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ଞାନ-ବିଜ୍ଞାନ ମେଳାର ଉପକାରିତା ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସୃଜନଶୀଳତା ବିକାଶରେ ଏଭଳି କାର୍ଯ୍ୟକ୍ରମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ଏଥିରେ ସଂକୁଳ ପ୍ରମୁଖ ନିରୋଜ କୁମାର ମହାନ୍ତ, ସଂକୁଳ ସଂଯୋଜକ ଗଣେଶ୍ୱର କର, ଅବସରପ୍ରାପ୍ତ ଭୂତତ୍ତ୍ୱବିତ୍ ରମାକାନ୍ତ ମହାନ୍ତ ଏବଂ ବିଦ୍ୟାଳୟର ସମ୍ପାଦକ ସୁରେନ୍ଦ୍ରନାଥ ମହାନ୍ତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ବିଜ୍ଞାନ ଶିକ୍ଷକମାନେ ବିଚାରକ ଭାବେ ଯୋଗଦେଇ ବିଭିନ୍ନ ପ୍ରକଳ୍ପ ଓ ପ୍ରଦର୍ଶନୀର ମୂଲ୍ୟାଙ୍କନ କରିଥିଲେ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବସନ୍ତ କୁମାର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଭିନ୍ନ ଶିଶୁ ମନ୍ଦିରରୁ ଆସିଥିବା ଗୁରୁଜୀ ଓ ଗୁରୁମାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମାରୋପ ଉତ୍ସବରେ ଜିଲ୍ଲା ସହପ୍ରମୁଖ ହୀରାଲାଲ ମହାନ୍ତ ଯୋଗଦେଇ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଗୁରୁଜୀ ଦୀପକ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ତର୍କଶକ୍ତି, ସୃଜନଶୀଳତା ଓ ନୂତନ ଚିନ୍ତନର ବିକାଶ ପାଇଁ ଏଭଳି ଜ୍ଞାନ-ବିଜ୍ଞାନ ମେଳା ଏକ ଉତ୍ତମ ମଞ୍ଚ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।
