August 10, 2026

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଚୁଲି ପାଖରେ ବସିଥିବା ବୃଦ୍ଧଙ୍କ ମୃତ୍ୟୁ ଘର ଭିତରେ ଚାପି ହୋଇ ଜୀବନ ହରାଇଲେ ୬୦ ବର୍ଷୀୟ ଡେଡ ମୁଣ୍ଡା, ଅସହାୟ ହେଲେ ନାବାଳକ ପୁଅ-ଝିଅ

IMG-20260810-WA0039
Share

 

 

ସାହାରପଡା : ଲଗାଣ ବର୍ଷା ମଧ୍ୟରେ ଘର ଭୁଶୁଡ଼ି ପଡ଼ିବାରୁ ଘର ଭିତରେ ଚାପି ହୋଇ ଜଣେ ବୃଦ୍ଧଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହି ଘଟଣା କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତର ଖୁଣ୍ଟାପଡା ଗ୍ରାମରେ ଘଟିଛି।

ସୂଚନା ଅନୁଯାୟୀ, ଖୁଣ୍ଟାପଡା ଗ୍ରାମର ଡେଡ ମୁଣ୍ଡା(୬୦) ଶନିବାର ଦିନ ପ୍ରାୟ ୧୦ଟା ସମୟରେ ବର୍ଷା ପାଗ ଯୋଗୁଁ ରୋଷେଇ ଘରର ଚୁଲି ନିକଟରେ ବସି ନିଆଁ ପୁଉଁଥିଲେ। ହଠାତ୍ ଦୁର୍ବଳ ମାଟି ଘରଟି ଭୁଶୁଡ଼ି ପଡ଼ିଥିଲା। ଘରର ଖପର ଓ କାଠ ତଳେ ଡେଡ ମୁଣ୍ଡା ଚାପି ହୋଇଯାଇଥିଲେ। ଘର ଭୁଶୁଡ଼ିବାର ଶବ୍ଦ ଶୁଣି ଘରଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାଠ ଓ ଭଙ୍ଗା ଘର ଭିତରୁ ଡେଡ ମୁଣ୍ଡାଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିବା ଜଣାପଡ଼ିଥିଲା। ଘଟଣାଟି ଏତେ ହୃଦୟବିଦାରକ ଥିଲା ଯେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। ପରିବାର ପକ୍ଷରୁ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଥାନାରେ ସୂଚନା ଦିଆଯାଇନଥିବା ବୋଲି ସରପଞ୍ଚଙ୍କ ସ୍ୱାମୀ ମାନଗୋବିନ୍ଦ ମୁଣ୍ଡା ସୂଚନା ଦେଇଛନ୍ତି। ସବୁଠାରୁ ଅଧିକ ଚିନ୍ତାଜନକ ବିଷୟ ହେଉଛି, ମୃତ ଡେଡ ମୁଣ୍ଡାଙ୍କ ପରିବାରରେ ଜଣେ ପୁଅ ଓ ଜଣେ ଝିଅ ନାବାଳକ ଥିବା ଜଣାପଡ଼ିଛି। ମୁଣ୍ଡ ଉପରୁ ଅଭିଭାବକଙ୍କ ଛାୟା ହଟିଯିବା ପରେ ଏହି ଦୁଇ ନାବାଳକଙ୍କ ଭବିଷ୍ୟତ ନେଇ ଏବେ ପ୍ରଶ୍ନ ଉଠିଛି। ଲଗାଣ ବର୍ଷା ସମୟରେ ଦୁର୍ବଳ ଓ ଜରାଜୀର୍ଣ୍ଣ ଘରେ ରହୁଥିବା ଲୋକଙ୍କ ସୁରକ୍ଷା ନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ତଦାରଖ କରାଯିବା ସହ ଏହି ଅସହାୟ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

You may have missed