ବିଶ୍ୱ ଆଦିବାସୀ ଦିବସ (ଅଗଷ୍ଟ ୯) ପୁରନ୍ଦର ଦଣ୍ଡସେନା
*ସଙ୍କଟରେ ଆଦିବାସୀ*
ଆଦିବାସୀ ବା ଜନଜାତି ହେଉଛନ୍ତି, ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବର୍ତ୍ତମାନ ବିଶ୍ୱର ୯୦ଟି ଦେଶରେ ୫୦ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ବିଶ୍ୱର ମୋଟ ଜନସଂଖ୍ୟାର ୫% ଓ ଆମ ଦେଶର ଜନସଂଖ୍ୟାର ପ୍ରାୟ ୯% (ପ୍ରାୟ ୧୧କୋଟି) ହେଉଛନ୍ତି ଆଦିବାସୀ। ଆମ ରାଜ୍ୟର ବି ପ୍ରତି ଚାରି ଜଣରେ ଜଣେ ଅର୍ଥାତ୍ ପ୍ରାୟ ଏକ ଚତୁର୍ଥାଂଶ (୨୦୧୧ ଜନଗଣନା ଅନୁଯାୟୀ ୨୨.୮୫%) ଜନସଂଖ୍ୟା ହେଉଛନ୍ତି ଆଦିବାସୀ। ସେମାନଙ୍କର ନିଜସ୍ୱ ଭିନ୍ନ ଭିନ୍ନ ଭାଷା, ସଂସ୍କୃତି ଓ ଜାତିସତ୍ତା ରହିଛି। ବିଶେଷଜ୍ଞମାନଙ୍କ ମତରେ ଆଦିବାସୀମାନଙ୍କ ମଧ୍ୟରେ ୫,୦୦୦ରୁ ଅଧିକ ଭାଷା ପ୍ରଚଳିତ। ଯଦିଓ ସରକାରୀ ଭାବେ ରାଜ୍ୟର ୧୩ଟି ଆଦିମ ଜନଜାତି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟଙ୍କୁ ହିଁ ଅନୁସୂଚୀତ ଜନଜାତିର ସ୍ୱୀକୃତି ଦିଆଯାଇଛି କିନ୍ତୁ ମାଲକାନଗରୀର କୋଣ୍ଡାଦୋରା, ଗଜପତିର ଶୁଦ୍ଧ ଶବର, ରାୟଗଡ଼ାର ଝୋଡ଼ିଆ, ଅନୁଗୋଳର କାନ୍ଧିଆ ମୁଣ୍ଡା ପରି ଆହୁରି ଅନେକ ଆଦିବାସୀ ସମ୍ପ୍ରଦାୟ ରହିଛନ୍ତି ଯେଉଁମାନେ ଏଯାଏଁ ସରକାରଙ୍କ ଦ୍ୱାରା ଆଦିବାସୀ ମାନ୍ୟତା ପାଇବାରୁ ବଞ୍ôଚତ ରହିଛନ୍ତି।
ବିଶ୍ୱରେ ଏତେ ସଂଖ୍ୟାରେ ଆଦିବାସୀ ବସବାସ କରୁଥିଲେ ମଧ୍ୟ ସେମାନେ ସମାଜରେ ସର୍ବାଧିକ ଶୋଷିତ, ଅବହେଳିତ ଓ ନିର୍ଯ୍ୟାତିତ ହୋଇ ଜୀବନ ଯାପନ କରୁଛନ୍ତି। ବିଶ୍ୱର ଜନସଂଖ୍ୟାର ୫% ହୋଇଥିଲେ ମଧ୍ୟ ବିଶ୍ୱର ସବୁଠାରୁ ଦରିଦ୍ର ଜନତାଙ୍କ ୧୫%ରୁ ଉର୍ଦ୍ଧ ହେଉଛନ୍ତି ସେମାନେ। ଜଙ୍ଗଲ ପାହାଡ଼ରେ, ପ୍ରକୃତିର କୋଳରେ ପୀଡ଼ି ପୀଢ଼ି ଧରି ବସବାସ କରୁଥିବା ଆଦିବାସୀମାନଙ୍କ ଅସ୍ତିତ୍ୱ ଆଜି ବିଭିନ୍ନ କାରଣରୁ ବିପନ୍ନ ହେବାକୁ ବସିଛି। ସାମ୍ରାଜ୍ୟବାଦୀ ବିକାଶର ବିପଜ୍ଜନକ ଅଭିଯାନ ଆଦିବାସୀଙ୍କ ଜଙ୍ଗଲ ଓ ପରିବେଶକୁ ଧ୍ୱଂସ କରି ସେମାନଙ୍କୁ ଉଦ୍ବାସ୍ତୁ କରିବାରେ ଲାଗିଥିବା ବେଳେ ସେମାନଙ୍କ ପ୍ରକୃତି କୈନ୍ଦ୍ରିକ ସଂସ୍କୃତି, ଭାଷା ଓ ଧର୍ମ ଆଜି ସଙ୍କଟର ସମ୍ମୁଖୀନ ହୋଇଛି। ଆଣ୍ଡାମାନର ଜାରୱା, ଓଡ଼ିଶାର ମାଙ୍କଡ଼ିଆ ପରି ବିଶ୍ୱରେ ଅନେକ ଆଦିବାସୀ ସମ୍ପ୍ରଦାୟ ଓ ସେମାନଙ୍କ ମାତୃଭାଷା ଧିରେ ଧିରେ ବିଲୁପ୍ତ ହେବାରେ ଲାଗିଛି। ବିଶ୍ୱରେ ଆଦିବାସୀମାନଙ୍କ ଏହି ସଙ୍କଟମୟ ସ୍ଥିତିକୁ ଲକ୍ଷ୍ୟ କରି ମିଳିତ ଜାତିସଂଘ ପ୍ରଥମେ ଆନୁଷ୍ଠାନିକ ଭାବେ ଏକ ଉଦ୍ୟମ ଆରମ୍ଭ କରିଥିଲା। ୧୯୮୨ ମସିହାର ୯ ଅଗଷ୍ଟ ତାରିଖରେ ପ୍ରଥମ ଥର ପାଇଁ ଜାତିସଂଘର ମାନବାଧିକାର କମିଶନ ଦ୍ୱାରା ଗଠିତ ‘ୱାର୍କିଂ ଗ୍ରୁପ୍ ଅନ୍ ଇଣ୍ଡିଜିନସ୍ ପପୁଲେସନ୍’ ପୃଥିବୀର ବିଭିନ୍ନ ଦେଶର ଆଦିବାସୀମାନଙ୍କ ସ୍ୱାର୍ଥରକ୍ଷା ଓ ଅଧିକାର ପ୍ରତିଷ୍ଠା ପାଇଁ ଏକ ସଭାର ଆୟୋଜନ କରି ବିଭିନ୍ନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ବିଶ୍ୱର ଆଦିବାସୀମାନଙ୍କୁ ମାନବାଧିକାର ପ୍ରଦାନ ଲକ୍ଷ୍ୟରେ ଆହୂତ ସେହି ପ୍ରଥମ ସଭାର ଦିନ ଅର୍ଥାତ୍ ୯ ଅଗଷ୍ଟକୁ ସ୍ମରଣୀୟ କରିବା ପାଇଁ ଜାତିସଂଘ ଏହି ଦିନଟିକୁ ବିଶ୍ୱ ଆଦିବାସୀ ଦିବସ ଭାବେ ଘୋଷଣା କରିଥିଲା। ୧୯୯୪ ମସିହାଠାରୁ ଜାତିସଂଘର ଦପ୍ତର ଜେନେଭା ସମେତ ପୃଥିବୀର ବିଭିନ୍ନ ଦେଶରେ ପ୍ରତିବର୍ଷ ଏହି ଦିବସକୁ ବିଶ୍ୱ ଆଦିମ ଜନଜାତି ବା ଆଦିବାସୀ ଦିବସ ରୂପେ ପାଳନ କରାଯାଉଛି।
ଆମ ଦେଶରେ ଆଦିବାସୀଙ୍କ ଇତିହାସ ହେଉଛି ଶାସକ ଶ୍ରେଣୀଙ୍କ ଦ୍ୱାରା ଶୋଷଣ, ଦମନ ତଥା ଅତ୍ୟାଚାରର ଇତିହାସ। ଅର୍ଥନେତିକ ଭାବେ ଶୋଷିତ, ସାମାଜିକ ଭାବେ ନିର୍ଯ୍ୟାତିତ ଓ ବିକାଶର ମାପକାଠିରେ ଅବହେଳିତ ଆଦିବାସୀମାନେ ଅତ୍ୟନ୍ତ ଦାରିଦ୍ର୍ୟ, ଅବହେଳା ଓ ପଶ୍ଚାଦପଦତାର ବୋଝ ତଳେ ବଂଚିବାକୁ ବାଧ୍ୟ ହୋଇଛନ୍ତି। ପୂର୍ବରୁ ସାମନ୍ତବାଦୀ ବ୍ୟବସ୍ଥାରେ ଆଦିବାସୀମାନେ ରାଜା ଓ ଜମିଦାରଙ୍କ ଦ୍ୱାରା ଶୋଷିତ ତଥା ଅତ୍ୟାଚାରିତ ହୋଇ ଆସିଥିଲେ। କିନ୍ତୁ ବ୍ରିଟିଶମାନଙ୍କ ଆଗମନ ପରେ ସେମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାରର ମାତ୍ରାଟି ବହୁଗୁଣରେ ବଢ଼ିଯାଇଥିଲା। ଦେଶର ବିଶାଳ ଜଙ୍ଗଲ ସମ୍ପଦକୁ ଲୁଟ୍ କରିବା ଲକ୍ଷ୍ୟରେ ବ୍ରିଟିଶମାନେ ହିଁ ସର୍ବପ୍ରଥମେ ୧୮୬୫ ମସିହାରେ ଜଙ୍ଗଲ ବିଭାଗ ଗଠନ କରି ଆଦିବାସୀମାନଙ୍କୁ ଜଙ୍ଗଲ ଉପରେ ଥିବା ସେମାନଙ୍କ ପାରମ୍ପାରିକ ଅଧିକାରରୁ ବଂଚିତ କରିଥିଲେ। ପରବର୍ତ୍ତି ସମୟରେ ୧୮୯୪ ମସିହାରେ ସେମାନଙ୍କ କୁଖ୍ୟାତ ଜମି ଅଧିଗ୍ରହଣ ଆଇନ ପ୍ରଣୟନ କରିବା ପରେ ‘ବିକାଶ’ ନାଁରେ ଆଦିବାସୀଙ୍କୁ ସେମାନଙ୍କ ଭିଟାମାଟିରୁ ବଳପୂର୍ବକ ଉଦ୍ବାସ୍ତୁ କରିବାର ବାଟ ଖୋଲିଥିଲେ। ଆଦିବାସୀ ଅଂଚଳଗୁଡ଼ିକୁ ନିଜର ଆଇନଗତ ଓ ପ୍ରଶାସନିକ ନିୟନ୍ତ୍ରଣ ଭିତରକୁ ଆଣିବାକୁ ବ୍ରିଟିଶମାନେ ଅତ୍ୟନ୍ତ ସୁନିୟୋଜିତ ଭାବେ ସମତଳ ଅଂଚଳରୁ ବହୁସଂଖ୍ୟାରେ ଅଣଆଦିବାସୀ ସମ୍ପ୍ରଦାୟର ସାହୁକାର ଏବଂ ସୁଧଖୋର ମହାଜନ ଓ କର୍ମଚାରୀମାନଙ୍କୁ ଆଦିବାସୀ ବହୁଳ ଅଞ୍ଚଳରେ ଅନୁପ୍ରବେଶର ବ୍ୟବସ୍ଥା କରିଥିଲେ। ଏହାଦ୍ୱାରା ସେମାନଙ୍କ ଉପରେ ଶୋଷଣ ତଥା ଅତ୍ୟାଚାରର ମାତ୍ରା ବୃଦ୍ଧି ପାଇଯାଇଥିଲା।
ତେବେ ନିଜର କ୍ଷମତା ଓ ନ୍ୟସ୍ତସ୍ୱାର୍ଥ ପାଇଁ ବ୍ରିଟିଶ ଶାସନ ଆଗରେ ଦେଶର ଅଧିକାଂଶ ସାମନ୍ତବାଦୀ ରାଜା, ମହାରାଜା ଓ ଜମିଦାର ଆତ୍ମସମର୍ପଣ କରିଥିବା ବେଳେ ଆଦିବାସୀମାନେ କିନ୍ତୁ ପ୍ରଥମରୁ ହିଁ ତା’ର ଦୃଢ଼ ପ୍ରତିରୋଧ କରିଥିଲେ। ଦେଶର ମୁଖ୍ୟଭୂମିରେ ସ୍ୱାଧୀନତା ସଂଗ୍ରାମ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାର ଅନେକ ପୂର୍ବରୁ ଔପନିବେଶିକ ଶାସନ ବିରୁଦ୍ଧରେ ଆଦିବାସୀମାନେ ହିଁ ସର୍ବପ୍ରଥମେ ସଶସ୍ତ୍ର ବିଦ୍ରୋହର ବିଗୁଲ ବଜାଇଥିଲେ। ଜମି ଓ ଜଙ୍ଗଲ ଉପରେ ଥିବା ପାରମ୍ପରିକ ଅଧିକାରର ସୁରକ୍ଷା ପାଇଁ ୧୮୦୮ ରୁ ୧୯୪୨ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ତୀଲକା ମାଝୀ, ବୀରସା ମୁଣ୍ଡା, ସିଦ୍ଧୁ-କାନୁ, କୋମରାମ୍ ଭୀମ୍, ଆଲୁରୀ ସୀତାରାମ ରାଜୁ, ଚକରା ବିଷୋୟୀ, ରିନ୍ଦୋ ମାଝୀ, ଲକ୍ଷ୍ମଣ ନାୟକ, ଧରଣୀଧର ଭୂୟାଁଙ୍କ ପରି ଅନେକ ବୀର ଯୋଦ୍ଧାଙ୍କ ନେତୃତ୍ୱରେ ଆଦିବାସୀମାନଙ୍କ ବଡ଼ ବଡ଼ ବିଦ୍ରୋହ ସବୁ ସଙ୍ଗଠିତ ହୋଇଥିଲା। ଏସବୁ ଆନ୍ଦେଳନମାନଙ୍କରେ ଲକ୍ଷ ଲକ୍ଷ ସଂଖ୍ୟାରେ ଆଦିବାସୀ ବୀରତ୍ୱର ସହ ଭାଗ ନେଇ ପ୍ରାଣବଳୀ ଦେଇଥିଲେ। ଏସବୁ ବିଦ୍ରୋହର ଚାପରେ ହିଁ ତତ୍କାଳୀନ ବ୍ରିଟିଶ ସରକାର ଆଦିବାସୀ ବହୁଳ ଅଂଚଳରେ ସେମାନଙ୍କ ଜମି ଅଧିକାରର ସୁରକ୍ଷା କାଇଁ କିଛି କିଛି ଆଇନଗତ ବ୍ୟବସ୍ଥା କରିବାକୁ ବାଧ୍ୟ ହୋଇଥିଲେ। ଆଦିବାସୀଙ୍କ ଜମି ଅଧିକାରକୁ କିଛି ମାତ୍ରାରେ ସୁରକ୍ଷିତ କରୁଥିବା ୧୮୭୬ ମସିହାର ସାନ୍ତାଳ ପ୍ରଗଣା ଟେନେସୀ ଆଇନ ଓ ୧୯୦୮ ମସିହାର ଛୋଟନାଗପୁର ଟେନେନ୍ସୀ ଆଇନ ସେମାନଙ୍କ ବିଦ୍ରୋହର ଚାପରେ ହିଁ ବ୍ରିଟିଶମାନେ କରିବାକୁ ବାଧ୍ୟ ହୋଇଥିଲେ।
ତେବେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀମାନଙ୍କ ବିପୁଳ ତ୍ୟାଗ ଓ ବଳିଦାନ ସତ୍ୱେ ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ପରେ ବି ସେମାନଙ୍କୁ ଅଣଦେଖା କରାଗଲା। ବ୍ରିଟିଶମାନେ ଯିବା ପରେ ଆମ ଦେଶର ଶାସକ ଶ୍ରେଣୀ କ୍ଷମତାକୁ ଆସିବା ପରେ ବି ଦେଶର ଆଦିବାସୀଙ୍କ ସ୍ଥିତିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ହେଲାନି। ଏପରିକି ବ୍ରିଟିଶମାନଙ୍କ ଦ୍ୱାରା ଅପହୃତ ସେମାନଙ୍କ ଜଙ୍ଗଲ ଅଧିକାର ତ ଫେରିଲାନି ବରଂ ତାକୁ ଆହୁରି କଡ଼ାକଡ଼ି କରିବାକୁ ପ୍ରଚେଷ୍ଟା ଆରମ୍ଭ ହେଲା। ଜଙ୍ଗଲ ଉପରେ ଅଧିକାରକୁ ନେଇ ଆଦିବାସୀମାନଙ୍କୁ ସରକାର ଓ ଜଙ୍ଗଲ ବିଭାଗ ଅପରାଧି ସୁଲଭ ବ୍ୟବହାର ପ୍ରଦର୍ଶନ କଲେ। ୧୯୮୦ର ବହୁଚର୍ଚ୍ଚିତ ଜଙ୍ଗଲ ସଂରକ୍ଷଣ ଆଇନ ଆଦିବାସୀଙ୍କୁ ନିଜ ଜଙ୍ଗଲରେ ହିଁ ପର ବା ଅନୁପ୍ରବେଶକାରୀ କରିଦେଲା। ଏପରିକି ଆଦିବାସୀଙ୍କ ଦୀର୍ଘ ଲଢ଼େଇର ଫଳସ୍ୱରୂପ ସରକାର କରିଥିବା ଐତିହାସିକ ଜଙ୍ଗଲ ଅଧିକାର ଆଇନ – ୨୦୦୬ ମଧ୍ୟ ଆଦିବାସୀମାନଙ୍କୁ ଜଙ୍ଗଲ ଉପରେ ପୂର୍ଣ୍ଣ ଅଧିକାର ଦେବାରେ ବିଫଳ ହେଲା। ଏଥିରେ ପ୍ରଥମ ଥର ପାଇଁ ଜଙ୍ଗଲ ଜମିରେ ଆଦିବାସୀଙ୍କ ଅଧିକାରକୁ ସିମୀତ ସ୍ୱୀକୃତି ଦିଆଯାଇଥିଲେ ବି ତା’କୁ ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ୁଛି।
ବ୍ରିଟିଶ ସାମ୍ରାଜ୍ୟବାଦର ଉପନିବେଶ ଥିବା ସମୟରେ ଆମଦେଶର ସ୍ଥାନୀୟ ଲୋକଙ୍କୁ ୟୁରୋପୀୟମାନେ ‘ନେଟିଭ୍’ ବୋଲି କହୁଥିଲେ। ଆଜି ମଧ୍ୟ ଆଦିବାସୀମାନଙ୍କ ମଧ୍ୟରୁ ଅନେକଙ୍କୁ ନେଟିଭ୍, ଟ୍ରାଇବାଲ୍, ଉପଜାତି, ଆବୋରିଜିନାଲ୍, ଭୂମିପୁତ୍ର ଇତ୍ୟାଦି ନାମରେ ଚିହ୍ନିତ କରାଯାଏ। କିନ୍ତୁ ଦେଶ ସ୍ୱାଧୀନ ହେବା ପରେ ଭାରତୀୟ ସମ୍ବିଧାନରେ ବିଭିନ୍ନ ଦୃଷ୍ଟିରୁ ପଛୁଆ ପଡ଼ିଯାଇଥିବା ଦେଶର ବିଭିନ୍ନ ଆଦିବାସୀ ଗୋଷ୍ଠୀକୁ ‘ସିଡ୍ୟୁଲ୍ଡ ଟ୍ରାଇବ୍’ ବା ଅନୁସୂଚିତ ଜନଜାତି ଭାବେ ଚିହ୍ନିତ କରି ସେମାନଙ୍କ ଅଧିକାର ରକ୍ଷା ପାଇଁ କିଛି ବ୍ୟବସ୍ଥା କରାଯାଇଥିଲା। ଆମ ଦେଶର ଜନସଂଖ୍ୟାର ଏହି ଅଂଶକୁ ଜାତିସଂଘର ସଂଜ୍ଞା ଅନୁଯାୟୀ ‘ଇଣ୍ଡିଜିନସ୍ ପିପଲ୍ସ’ ବା ଆଦିବାସୀ ଭାବେ ଗଣ୍ୟ କରାଯାଉଛି। ତେବେ ସରକାରମାନଙ୍କ ତୃଟୀପୂର୍ଣ୍ଣ ଚୟନ ନୀତି ଲାଗି ଆଜି ବି ଦେଶର ଅନେକ ଆଦିବାସୀ ସମ୍ପ୍ରଦାୟ ଅନୁସୂଚୀତ ତାଲିକାରେ ସ୍ଥାନ ପାଇ ନପାରି ଆନୁଷ୍ଠାନିକ ଭାବେ ଆଦିବାସୀ ମାନ୍ୟତାରୁ ବଂଚିତ ରହିଛନ୍ତି।
ଦେଶ ସ୍ୱାଧୀନ ହେବା ପରେ ଭାଷା ଭିତ୍ତିରେ ବିଭିନ୍ନ ରାଜ୍ୟ ଗଠିତ ହେଲା, କିନ୍ତୁ ଆଦିବାସୀମାନଙ୍କ ପାଇଁ ଭାଷା ଆଧାରରେ କୌଣସି ସ୍ୱତନ୍ତ୍ର ରାଜ୍ୟ ଗଠନ କରାଗଲା ନାହିଁ। ଏପରିକି ଭିଲ, ଗୋଣ୍ଡ, କୁଇ, ସାନ୍ତାଳ ପରି ବଡ଼ ବଡ଼ ଆଦିବାସୀ ସମ୍ପ୍ରଦାୟ ବସବାସ କରୁଥିବା ଅଞ୍ଚଳକୁ ଗୋଟିଏ ଶାସନାଧିନ ନକରି ସେମାନଙ୍କୁ ବିଭିନ୍ନ ରାଜ୍ୟରେ ବିଭାଜିତ କରି ରଖାଗଲା। ରାଜ୍ୟମାନଙ୍କର ଯେଉଁ ସୀମାରେଖା ନିର୍ଦ୍ଧାରଣ କରାଗଲା, ତା’ର ସବୁଠାରୁ ବଡ଼ ଶିକାର ଏ ଦେଶର ଆଦିବାସୀ ସମ୍ପ୍ରଦାୟ ହୋଇଛନ୍ତି। ବିଭିନ୍ନ ରାଜ୍ୟର ସୀମାରେଖାକୁ ଜାଣିଶୁଣି ବିଭିନ୍ନ ଆଦିବାସୀ ରହୁଥିବା ଅଂଚଳ ମଧ୍ୟ ଦେଇ ଯିବା ଫଳରେ ଆଦିବାସୀମାନେ ଆଉ ଗୋଟିଏ ପ୍ରଶାସନିକ ବ୍ୟବସ୍ଥାରେ ନରହି ଭାଗ ଭାଗ ହୋଇ ବିଭିନ୍ନ ରାଜ୍ୟରେ ରହିଲେ। ଏହାଫଳରେ ନୂତନ ଗଠିତ ରାଜ୍ୟମାନଙ୍କରେ ସେମାନେ ସଂଖ୍ୟାଲଘୁ ହୋଇଯାଇ ନିଜର ରାଜନୈତିକ ପ୍ରଭାବ ହରାଇଲେ। ସେମାନଙ୍କ ଭାଷା, ସଂସ୍କୃତି ଓ ସାହିତ୍ୟ ପାଇଁ ଅସ୍ତିତ୍ୱର ସଙ୍କଟ ସୃଷ୍ଟି ହେଲା।
୧୯୫୦ ମସିହାରେ ଦେଶର ଆଦିବାସୀମାନଙ୍କୁ କିଛି ସାମ୍ବିଧାନିକ ସୁରକ୍ଷାର ବ୍ୟବସ୍ଥା କରିବା ଲକ୍ଷ୍ୟରେ ସେମାନେ ବସବାସ କରୁଥିବା ଅଂଚଳକୁ ସମ୍ବିଧାନର ୫ମ ଓ ୬ଷ୍ଠ ଅନୁଚ୍ଛେଦରେ ସାମିଲ କରାଯାଇଥିଲ। ଏହି ପ୍ରକ୍ରୀୟାରେ ଦେଶର ଅଧିକାଂଶ ଆଦିବାସୀ ଅଂଚଳ ଅନୁସୂଚୀତ ଅଞ୍ଚଳରେ ସାମିଲ ହୋଇ ବିଭିନ୍ନ ପ୍ରକାରର ସାମ୍ବିଧାନିକ ସୁରକ୍ଷା ଓ ଅଧିକାରର ସୁଯୋଗ ପାଇଲେ। ତେବେ ସରକାରମାନଙ୍କ ଖାମଖିଆଲି ନୀତି ଲାଗି ଆଜି ମଧ୍ୟ ଦେଶର ଅନେକ ଆଦିବାସୀ ଗାଁ ଅନୁସୂଚୀତ ଅଂଚଳରେ ସାମିଲ ହୋଇ ନପାରି ବିଭିନ୍ନ ପ୍ରକାର ସାମ୍ବିଧାନିକ ସୁରକ୍ଷାରୁ ବଂଚିତ ହେଉଛନ୍ତି। ସେମାନଙ୍କ ଜମି, ଜଙ୍ଗଲର ସୁରକ୍ଷା ପାଇଁ ରହିଥିବା ଆଇନଗତ ବ୍ୟବସ୍ଥାରୁ ବଂଚିତ ହୋଇଛନ୍ତି। ରାଜନୈତିକ ବ୍ୟବସ୍ଥାରେ ଉପଯୁକ୍ତ ପ୍ରତିନିଧିତ୍ୱ ପାଇପାରୁ ନାହାନ୍ତି।
ବିଶ୍ୱ ଆଦିବାସୀ ଦିବସ ଆଜି ଏପରି ଏକ ସମୟରେ ପାଳିତ ହେଉଛି, ଯେତେବେଳେ ଆଦିବାସୀ ଓ ସେମାନଙ୍କ ଅଧିକାର ଉପରେ ସରକାର ଓ କର୍ପୋରେଟ୍ମାନଙ୍କ ଆକ୍ରମଣ ଜୋରଦାର ହୋଇଛି। କେନ୍ଦ୍ରର ମୋଦି ସରକାରଙ୍କ ଗତ ବାର ବର୍ଷର ଶାସନ କାଳରେ କର୍ପୋରେଟଙ୍କ ସ୍ୱାର୍ଥରେ ଦେଶର ଆଦିବାସୀ ଓ ପାରମ୍ପରିକ ବନଜୀବିମାନଙ୍କ ଉପରେ ସବୁଠାରୁ ବେଶୀ ଆକ୍ରମଣ ହୋଇଛି। ଗୋଟିଏ ପଟେ ଜଙ୍ଗଲ ଅଧିକାର ଆଇନ – ୨୦୦୬ ଅନୁଯାୟୀ ଜଙ୍ଗଲ ଅଧିକାର ପାଇନଥିବା ଆଦିବାସୀମାନଙ୍କୁ ଜଙ୍ଗଲରୁ ଉଚ୍ଛେଦ କରିବାକୁ କୋର୍ଟ ମାଧ୍ୟମରେ ଚେଷ୍ଟା କରାଯାଉଥିବା ବେଳେ ଅନ୍ୟପଟେ ଖୋଦ୍ ଆଇନରେ ହିଁ ସଂଶୋଧନ କରି ଏହି ଐତିହାସିକ ଆଇନକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ହୋଇଛି। ଜଙ୍ଗଲ ଅଧିକାର ଆଇନ- ୨୦୦୬କୁ ଦୁର୍ବଳ କରିବାକୁ ନିକଟ ଅତିତରେ ଜଙ୍ଗଲ ସଂରକ୍ଷଣ ଆଇନର ନିୟମାବଳୀରେ ସଂଶୋଧନ କରାଯାଇଛି। କର୍ପୋରେଟଙ୍କ ସ୍ୱାର୍ଥରେ ହିଁ ପ୍ରଥମେ ଜଙ୍ଗଲ ଓ ଆଦିବାସୀ ବିରୋଧି କ୍ଷତିପୂରଣକାରୀ ବନୀକରଣ (କାମ୍ପା) ଆଇନ ପ୍ରଣୟନ ହୋଇଥିବା ବେଳେ ଭାରତୀୟ ଜଙ୍ଗଲ ଆଇନ – ୧୯୨୭ ଓ ପରିବେଶ ଆଇନରେ ପରିବର୍ତ୍ତନ କରିବାକୁ ଚେଷ୍ଟା ହୋଇଛି। ଏହାଦ୍ୱାରା ସରକାର ଜଙ୍ଗଲ ଜମି ଉପରେ ଅଧିକାର ନିର୍ଦ୍ଧାରଣରେ ଗ୍ରାମସଭାର କ୍ଷମତାକୁ ଉଚ୍ଛେଦ କରିଛନ୍ତି। ଫଳରେ ସରକାର ଗ୍ରାମସଭାର ଅନୁମତି ବିନା ଏଣିକି ବଡ଼ ବଡ଼ କମ୍ପାନୀଙ୍କୁ ହଜାର ହଜାର ହେକ୍ଟରର ଜଙ୍ଗଲ ଜମି ହସ୍ତାନ୍ତର କରିପାରିବେ। ସେହିପରି ସରକାର ଗତ ୨୦୨୩ରେ ଅତ୍ୟନ୍ତ ତରବରିଆ ଭାବେ ସରକାର ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ରେ ସଂଶୋଧନ କରି ଯେଉଁ ନୂଆ ଆଇନ ଏବଂ ଜୈବ ବିବିଦ୍ଧତା ଆଇନ – ୨୦୨୩କୁ ପ୍ରଣୟନ କଲେ, ତାହା ସିଧାସଳଖ ଭାବେ କର୍ପୋରେଟ୍ଙ୍କ ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା। ତ’ଦ୍ୱାରା ଦେଶର ପ୍ରାୟ ୧୬ ଭାଗ ଜଙ୍ଗଲ ଜମି ଓ ତା’ ଉପରେ ଥିବା ଜଙ୍ଗଲ ସମ୍ପଦକୁ ସରକାର ଜଙ୍ଗଲ ସଂରକ୍ଷଣ ଆଇନର ପରିସରରୁ ମୁକ୍ତ କରି ତାକୁ ବିକାଶ ଓ ବନୀକରଣ ନାଁରେ ଦେଶୀ ବିଦେଶୀ କମ୍ପାନୀଙ୍କ ହାତରେ ଟେକିଦେବା ଆରମ୍ଭ କରିଛନ୍ତି।
ଦେଶର ଶାସକ ଣ୍ରେଣୀ, ଆଦିବାସୀମାନଙ୍କୁ ସ୍ୱାଧୀନ ଭାବେ ବିକଶିତ ହେବାକୁ ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ସେମାନଙ୍କ ଉପରେ ତଥାକଥିତ ସାମ୍ରାଜ୍ୟବାଦୀ-ପୁଞ୍ଜିବାଦୀ ବିକାଶର ମୋଡ଼େଲକୁ ଲଦିବାକୁ ଚେଷ୍ଟିତ। ପ୍ରାକୃତିକ ସମ୍ପଦର ଲୁଟ୍ ଉପରେ ଆଧାରିତ ଏହି ସାମ୍ରାଜ୍ୟବାଦୀ ବିକାଶର ମୋଡ଼େଲ ଫଳରେ ସେମାନେ ନିଜର ଜମି ଓ ଜଙ୍ଗଲରୁ ବଳପୂର୍ବକ ବିସ୍ଥାପିତ ହୋଇ ଦାଣ୍ଡର ଭିକାରୀ ହେବାରେ ଲାଗିଛନ୍ତି। ବିକାଶ ନାଁରେ ଦେଶରେ ଯେତେସବୁ ବଡ଼ ବଡ଼ ନଦୀବନ୍ଧ, ଶିଳ୍ପ ଓ ଖଣି ପ୍ରକଳ୍ପ ହୋଇଛି ତା’ର ଲାଭ ଅନ୍ୟମାନେ ପାଇଥିବା ବେଳେ ଆଦିବାସୀମାନଙ୍କ ଭାଗ୍ୟରେ କେବଳ ବିସ୍ଥାପନ ହିଁ ପଡ଼ିଛି। ଯଦିଓ ସେମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ମାତ୍ର ୮-୯% ଅଟେ, କିନ୍ତୁ ଦେଶର ମୋଟ ବିସ୍ଥାପିତ ଲୋକଙ୍କ ମଧ୍ୟରୁ ଅଧା ହେଉଛନ୍ତି ଆଦିବାସୀ। ଉପଯୁକ୍ତ, ଯଥାପୂର୍ବରୁ ଏବଂ ଯଥେଷ୍ଟ କ୍ଷତିପୂରଣ ବିନା ବିକାଶ ନାଁରେ ସେମାନଙ୍କୁ ନିଜର ଭିଟାମାଟିରୁ ବଳପୂର୍ବକ ଉଚ୍ଛେଦ କରାଯାଇଛି। ଉଭୟ ସରକାରୀ ଓ ଘରୋଇ କମ୍ପାନୀଙ୍କ ମୁନାଫା ପାଇଁ ସେମାନେ ନିଜର ଜମି, ଜଙ୍ଗଲ, ପ୍ରାକୃତିକ ବାସସ୍ଥାନ ଏବଂ ସର୍ବୋପରି ନିଜର ପାରମ୍ପାରିକ ଜୀବିକା ବି ହରାଉଛନ୍ତି। ଲଗାତାର ସରକାରୀ ଉପେକ୍ଷା ଓ ପ୍ରତାରଣାର ଶୀକାର ହୋଇ ସେମାନେ ଏକରକମ ଅନିଶ୍ଚିତ ତଥା ଦୁର୍ଦ୍ଦଶାମୟ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଛନ୍ତି। ସବୁଠାରୁ ଉଦ୍ବେଗର ବିଷୟ, ବିକାଶ ଓ ପ୍ରକଳ୍ପ ନାଁରେ ସେମାନଙ୍କ ଜମି, ଜଙ୍ଗଲ ଓ ଜିବୀକାକୁ ଛଡ଼େଇ ନେବା ପୂର୍ବରୁ ସେମାନଙ୍କ ମତାମତ ନେବାର ସର୍ବନିମ୍ନ ଗଣତାନ୍ତ୍ରିକ ପ୍ରକ୍ରୀୟାକୁ ବି ଲାଗୁ କରିବାକୁ ସରକାର ଆଗ୍ରହୀ ନୁହଁନ୍ତି।
ନବ ଉଦାର ଅର୍ଥନୀତି ଓ ବିକାଶ ନାଁରେ ଓଡ଼ିଶା ଆଜି ଆଦିବାସୀଙ୍କ ବଧଭୂମିରେ ପରିଣତ ହୋଇଛି। ଗତ ଆଠ ଦଶନ୍ଦୀ ମଧ୍ୟରେ ବିକାଶ ନାଁରେ ଯେତେସବୁ ପ୍ରକଳ୍ପ ହୋଇଛି, ତା’ପାଇଁ ସବୁଠାରୁ ବେଶି ମୂଲ୍ୟ କେବଳ ଆଦିବାସୀମାନେ ହିଁ ଦେଇଛନ୍ତି। ଦେଶୀ ବିଦେଶୀ କମ୍ପାନୀଙ୍କ ପ୍ରକଳ୍ପ ବା ଲୁଟ୍କୁ କାର୍ଯ୍ୟକାରୀ କରିବାକୁ ଯାଇ କାଶୀପୁର ଠାରୁ କଳିଙ୍ଗନଗର ପର୍ଯ୍ୟନ୍ତ ସବୁଠି କେବଳ ଆଦିବାସୀମାନଙ୍କୁ ହିଁ ହତ୍ୟା ଓ ଦମନ କରି ସେମାନଙ୍କ ଜମି, ଜଙ୍ଗଲ ଓ ଜୀବିକାରୁ ତଡ଼ିବା ଦେଖାଯାଇଛି। ଆଜି ବି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ କମ୍ପାନୀମାନଙ୍କ ଖଣି ଖନନ ଓ କାରଖାନା ପାଇଁ ଆଦିବାସୀମାନଙ୍କ ଉପରେ ଦମନ, ଅତ୍ୟାଚାର, ମିଥ୍ୟାକେଶ୍ କରିବା ଅବ୍ୟାହତ ରହିଛି। କୋରାପୁଟର ମାଳି ପର୍ବତ, ଦେଓମାଳି, ବାଲଡ଼ା ଠାରୁ ଆରମ୍ଭ କରି ରାୟଗଡ଼ା-କଳାହାଣ୍ଡି ସୀମ।।ନ୍ତରେ ଥିବା ନିୟମଗିରି, ତିଜିମାଳି, କୁଟ୍ରୁମାଳି, କୋରାପୁଟର ମାଳିପର୍ବତ, ବାଲଡା, ସେରୁବନ୍ଧ, ମାଲକାନଗରୀର କତମେଟା, କେନ୍ଦୁଝରର ପାଟଣା, ସୁନ୍ଦରଗଡ଼ ପର୍ଯ୍ୟନ୍ତ ସବୁଠାରେ କମ୍ପାନୀ ଦ୍ୱାରା ଆଦିବାସୀଙ୍କୁ ବଳପୂର୍ବକ ସେମାନଙ୍କ ଭିଟାମାଟିରୁ ବଂଚିତ କରିବାକୁ ଉଦ୍ୟମ ଚାଲିଛି। ଟାଟା ଓ ଆଦାନୀ ପରି ବଡ଼ କମ୍ପାନୀଙ୍କୁ ପାଣି ଯୋଗାଇବାକୁ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତରେ ସୋରଡ଼ା ବ୍ଳକ୍ର ପିପଳପଙ୍କା ଠାରେ ଋଷିକୂଲ୍ୟା ନଦୀରେ ଯେଉଁ ବଡ଼ ନଦୀବନ୍ଧ ନିର୍ମାଣ କରୁଛନ୍ତି, ତା’ରି ଫଳରେ ୨୩ଟି ଗ୍ରାମର ଆଦିବାସୀ ଲୋକେ ନିଜର ଭିଟାମାଟି ହରାଇବାକୁ ଯାଉଛନ୍ତି।
ଆଜି ବି ଦେଶର ବିଶେଷ କରି ଓଡ଼ିଶାର ଅଧିକାଂଶ ଆଦିବାସୀ ଉତ୍କଟ ଦାରିଦ୍ର୍ୟ, ଅନାହାର, ପୁଷ୍ଟିହୀନତାର ଶୀକାର ଅଟନ୍ତି। ରାଜ୍ୟର ୯୫% ଆଦିବାସୀ ମହିଳା ଓ ୬୫% ଆଦିବାସୀ ଶିଶୁ ରକ୍ତହୀନତା ଓ ଅପପୁଷ୍ଟିର ଶୀକାର ଅଟନ୍ତି। ବିଗତବର୍ଷ ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଖାଇ କନ୍ଧମାଳର ତିନିଜଣ ଆଦିବାସୀ ମହିଳା ପ୍ରାଣ ହରାଇବାର ଘଟଣା ଆଦିବାସୀମାନଙ୍କ ମଧ୍ୟରେ ରହିଥିବା ଖାଦ୍ୟ ହୀନତାକୁ ପ୍ରମାଣିତ କରିଛି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଦିବାସୀମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟସେବା, ପିଇବା ପାଣି, ବିଦ୍ୟୁତ୍ ଆଦି ସର୍ବନିମ୍ନ ମୌଳିକ ସୁବିଧା ଏକରକମ ସ୍ୱପ୍ନ ହୋଇ ରହିଛି। ମୟୁରଭଞ୍ଜ ଜିଲ୍ଲାର ଏକ ଆଦିବାସୀ ପରିବାରରୁ ଆସିଥିବା ଭାରତର ମହାମହିମ ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଯାଇ ତାଙ୍କ ଗାଁକୁ ବିଦ୍ୟୁତ୍ ଯିବା ଉପରୋକ୍ତ କଥାକୁ ପ୍ରମାଣିତ କରିଛି। ନିକଟରେ କେନ୍ଦୁଝର ଜିଲ୍ଲାର ଆଦିବାସୀ ବ୍ୟବକ୍ତି ଜିତୁ ମୁଣ୍ଡାଙ୍କ ଘଟଣା ତଥା ଭୟଙ୍କର ଦାରିଦ୍ର୍ୟର ଶିକାର ହୋଇ ସେହି ଜିଲ୍ଲାର ୧୪ ଜଣ ନାବାଳିକା ଆଦିବାସୀ ଝିଅ ସୁଦୂର ତାମିଲନାଡ଼ୁକୁ ଦାଦନ ଯାଇ ସେଠାରେ ଦୁର୍ଘଟଣାରେ ପୋଡ଼ି ମରିବା ଘଟଣା ଆମର ଆଦିବାସୀ ଅଞ୍ଚଳରେ ରହିଥିବା ଭୟଙ୍କର ଦାରିଦ୍ର୍ୟ, ଅନାହାର, ପୁଷ୍ଟିହୀନତା, ଅଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାର ଅଭାବକୁ ଉଜାଗର କରିଛି। ନିରକ୍ଷରତା, ଅଧାରୁ ପାଠଛଡ଼ା, ଅପପୁଷ୍ଟି, ଅନାହାର, ରକ୍ତହୀନତା ଆଦି ସମସ୍ତ ହାରରେ ଆଦିବାସୀଙ୍କ ଭାଗ ଅପେକ୍ଷାକୃତ ଭାବେ ବେଶୀ ଅଟେ।
ଆଦିବାସୀଙ୍କ ଆର୍ଥିକ, ରାଜନୈତିକ ଓ ସାଂସ୍କୃତିକ ବିକାଶ ଭାରତ ପରି ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ସାମ୍ବିଧାନିକ କର୍ତ୍ତବ୍ୟ। କିନ୍ତୁ ଏଥିପ୍ରତି ଘୋର ଅବହେଳା କାରଣରୁ ଆଜି ଆଦିବାସୀଙ୍କ ଜୀବନ, ଜିବୀକା, ଭାଷା ଓ ସଂସ୍କୃତି ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ଦେଶର ରାଜନୀତିରେ ପ୍ରଭାବଶାଳୀ ହୋଇଥିବା ମୌଳବାଦୀ ଶକ୍ତିମାନଙ୍କ ପକ୍ଷରୁ ଆଦିବାସୀମାନଙ୍କ ଅଧିକାର ଓ ବିକାଶ ପାଇଁ ଏକତାବଦ୍ଧ ଭାବେ ସଂଗ୍ରାମ କରିବା ବଦଳରେ ସେମାନଙ୍କୁ ଧର୍ମ ନାଁରେ ଭାଗ ଭାଗ କରିବାକୁ ଏବଂ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ଛଡ଼େଇ ନେବାକୁ ଚେଷ୍ଟା କରାଯାଉଛି। ଆମର ଶାସକ ଶ୍ରେଣୀ ସେମାନଙ୍କ ଭାଷା ଓ ସଂସ୍କୃତିର ସ୍ୱାଧୀନ ବିକାଶ ପାଇଁ ସୁଯୋଗ ଦେବା ପରିବର୍ତ୍ତେ ତାକୁ ଅଣଦେଖା କରିବା ଓ ଦବେଇବା ଦେଖାଯାଇଛି। ଅତ୍ୟନ୍ତ ସୁନିୟୋଜିତ ଭାବେ ଆମର ଶାସକ ଶ୍ରେଣୀ ଓଡ଼ିଆ, ତେଲେଗୁ, ମରାଠୀ, ଗୁଜରାଟୀ, ହିନ୍ଦୀ ପରି ଅନ୍ୟାନ୍ୟ ପ୍ରଭାବଶାଳୀ ଭାଷାଭାଷୀଙ୍କ ଭିତରେ ଆଦିବାସୀମାନଙ୍କ ଭାଷାଗୁଡ଼ିକୁ ବଳପୂର୍ବକ ସମ୍ମିଳିତ କରିବାର ନୀତିକୁ ଆପଣେଇ ଆସିଛନ୍ତି। ଓଡ଼ିଶାର ଏକ ଚତୁର୍ଥାଂଶ ଆଦିବାସୀ ହୋଇଥିଲେ ବି ଏବଂ ସେମାନେ ୭୪ଟି ବୋଲିରେ କଥାଭାଷା ହେଉଥିଲେ ବି ସେମାନଙ୍କ ଭାଷାକୁ ବିକଶିତ କରିବାରୁ ଅଥବା ସେମାନଙ୍କ ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ପାଇବାରୁ ବଂଚିତ କରାଯାଉଛି। ଓଡ଼ିଶାର ପ୍ରମୁଖ ଆଦିବାସୀ ଭାଷାରେ ନା କୌଣସି ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହନ ଦିଆଯାଉଛି ନା ବହି କିମ୍ବା ପତ୍ର ପତ୍ରିକା ପ୍ରକାଶ ପାଉଛି ! ଅଧିକାଂଶ ଆଦିବାସୀ ଭାଷାର ଲିପିକୁ ବି ବିକଶିତ କରିବାରେ ସରକାର ବିଫଳ ହୋଇଛନ୍ତି।
ଆର୍ନ୍ତଜାତୀୟ ଆଦିବାସୀ ଦିବସ (ଅଗଷ୍ଟ ୯) ଅବସରରେ ଆଜି ଜମି, ଜଙ୍ଗଲ ଉପରେ ଆଦିବାସୀମାନଙ୍କ ଅଧିକାରକୁ ପୂର୍ଣ୍ଣ ସ୍ୱୀକୃତୀ ପ୍ରଦାନ ସହିତ ସେମାନଙ୍କ ଭାଷା, ସଂସ୍କୃତି ତଥା ସ୍ୱୟଂଶାସନର ଅଧିକାର ପାଇଁ ଜୋରଦାର ଦାବୀ କରିବାର ସମୟ ଆସିଛି। ଆଦିବାସୀମାନଙ୍କ ଉପରେ ଦମନ ଓ ଅତ୍ୟାଚାର ପରିବର୍ତ୍ତେ ପ୍ରାକୃତିକ ସମ୍ପଦ ଉପରେ ମାଲିକାନା ଦେଇ ସେମାନଙ୍କୁ ମର୍ଯ୍ୟାଦାର ସହିତ ଜୀବନ ଯାପନ କରିବାର ସୁଯୋଗ ଦେବା ଜରୁରୀ ହୋଇପଡ଼ିଛି।
ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଖବର
