ସଢା ପଞ୍ଚାୟତର ସରକାରୀ ଅନୁଦାନ ଆତ୍ମସାତ୍ ପ୍ରସଙ୍ଗ, ଅଭିଯୋଗର ମାସକ ପରେ ବି ହେଲାନି ତଦନ୍ତ..

ହାଟଡିହି ତା ୬/୮(ମନମୋହନ ନାୟକ) : କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ ସଢା ପଞ୍ଚାୟତର ବିଭିନ୍ନ ସରକାରୀ ଅନୁଦାନକୁ କାର୍ଯ୍ୟ ନକରି କାଗଜ କଲମରେ ଦର୍ଶାଇ ସରକାରୀ ଅନୁଦାନକୁ ଆତ୍ମସାତ୍ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ ନିମନ୍ତେ ଗ୍ରାମର ଅନନ୍ତ ଚରଣ ପହିଙ୍କ ସମେତ ନରେନ୍ଦ୍ର ପୁହାଣ, ଅକ୍ଷୟ ପହି, ଜଗନ୍ନାଥ ପୁହାଣ, କୃପାସିନ୍ଧୁ ପୁହାଣ, ହରିହର ପୁହାଣ, ସୁଧାଂଶୁ ଶେଖର ପୁହାଣ ଆଦି ବହୁ ବ୍ୟକ୍ତି ଦାବି କରିଥିଲେ। କିନ୍ତୁ ଅଭିଯୋଗର ମାସଧିକ କାଳ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଅଭିଯୋଗର ତଦନ୍ତ ହେଲାନି। ବିନା କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ଉଠାଣ ହୋଇଥିବା ବେଳେ ଚଳିତ ବର୍ଷ ପଞ୍ଚାୟତର କୌଣସି ଗୋଟିଏ ୱାର୍ଡରେ ଜଳଛତ୍ର ଖୋଲା ଯାଇ ନଥିବା ବେଳେ ଏହି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳ ଛତ୍ର ଖୋଳାଯାଇ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆ ଯାଇଥିବା କାଗଜ କଲମରେ ଦର୍ଶାଯାଇ ବ୍ଲକରୁ ଭାଉଚର ଦେଖାଇ ୧୧/୬/୨୦୨୬ରେ ୧ ଲକ୍ଷ ୬ଟଙ୍କା ଉଠାଇ ନିଆ ଯାଇଛି ବୋଲି ଅଭିଯୋଗ ହୋଇଥିଲା । ଏହି ଟଙ୍କା ପିଇଓ ଙ୍କ ଏକାଉଣ୍ଟ କୁ ଦିଆ ଯାଇଥିବା ବ୍ଲକ ପକ୍ଷରୁ କୁହା ଯାଇଛି। ସେହିପରି ବର୍ଜ୍ୟ ବସ୍ତୁ ସଂଗ୍ରହ ନାମରେ ମୋଟ ୧ଲକ୍ଷ ୨୯ ହଜାର ୬୦୦ଟଙ୍କା ଉଠାଣ ହୋଇଛି। ପ୍ରତି ଘର ମାନଙ୍କରୁ ଅଇଳା ଆବର୍ଜନା ପଞ୍ଚାୟତ ଅଣା ଯିବାକୁ ଏହି ଟଙ୍କା ଖର୍ଚ ହୋଇଥିବା ଦର୍ଶାଇ ଗତ ୨/୧୧/୨୦୨୫ ରେ ଏହି ଟଙ୍କା ପିଇଓଙ୍କ ଏକାଉଣ୍ଟକୁ ମଧ୍ୟ ଦିଆ ଯାଇଛି। ସେହିପରି ଖଳାଗଡିଆ ପୋଖରୀ ଚାରିପଟେ ବୃକ୍ଷ ରୋପଣ ହୋଇଥିବା ଦର୍ଶାଇ ୪୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଗତ ୨୦/୨/୨୦୨୬ରେ ଭାଉଚର ମାଧ୍ୟମରେ ପିଇଓଙ୍କ ଏକାଉଣ୍ଟକୁ ଏହି ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ଗୋଟିଏ ବି ଗଛ ଲାଗି ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏନେଇ ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। କିନ୍ତୁ ମାସାଧିକ କାଳ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତଦନ୍ତ ହେଲାନି। ଯଦି ପ୍ରଶାସନ ଅଭିଯୋଗର ତଦନ୍ତ ନକରନ୍ତି ତେବେ ଆନ୍ଦୋଳନା ତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଅଭିଯୋଗକାରୀ ମାନେ କହିଛନ୍ତି।
