ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ଆଇଏଫ୍ଏସ୍ ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ
*ଭୁବନେଶ୍ୱର: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଆଇଏଫ୍ଏସ୍ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଓଡ଼ିଶା ଫରେଷ୍ଟ ଡେଭେଲପମେଣ୍ଟ କର୍ପୋରେସନ (OFDC)ର ନିର୍ଦ୍ଦେଶକ (ବାଣିଜ୍ୟ) ଭାବେ କାର୍ଯ୍ୟରତ ଥିବା ଶ୍ରୀ ବେହେରାଙ୍କୁ ନିଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ ମସିହାରେ ଗଜପତି ଜିଲ୍ଲାର ତତ୍କାଳୀନ ଡିଏଫ୍ଓ ଥିବା ସମୟରେ ଶ୍ରୀ ବେହେରାଙ୍କ ନାମ ପାରଳାଖେମୁଣ୍ଡି ବନଖଣ୍ଡର ତତ୍କାଳୀନ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଥିଲା। ସମ୍ପ୍ରତି ଆଦାଲତ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇବା ପରେ ଏହି ପ୍ରଶାସନିକ ପଦକ୍ଷେପ ନିଆଯାଇଛି।*
