July 30, 2026

ଲଗାଣ ବର୍ଷାରେ ବୁଡ଼ିଲା ଇଞ୍ଚୋଳ  ପାଣି ତଳେ ଶହଶହ ହେକ୍ଟର ଚାଷଜମି

IMG-20260730-WA0042
Share

 

 

ହାଟଡିହି ତା ୩୦/୦୭(ମନମୋହନ ନାୟକ) : ଲଗାଣ ଅବିଶ୍ରାନ୍ତ ବର୍ଷା ଇଞ୍ଚୋଳ ଅଞ୍ଚଳର ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଛି। ଗତ କିଛି ଦିନ ଧରି ଅବିରତ ବର୍ଷା ଯୋଗୁଁ ହାଟଡିହୀ ବ୍ଲକର ଇଞ୍ଚୋଳ ପଞ୍ଚାୟତର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଶହଶହ ହେକ୍ଟର ଧାନ ଚାଷଜମି ପାଣି ତଳେ ରହିଥିବାରୁ ଚାଷୀମାନଙ୍କ ମଧ୍ୟରେ ଗଭୀର ନିରାଶା ଓ ଅନିଶ୍ଚିତତା ଦେଖାଦେଇଛି। ଖେତରେ ଦୀର୍ଘ ସମୟ ଧରି ପାଣି ଜମି ରହିବା ଫଳରେ ଧାନ ଚାରା ପଚିଯିବା ସହ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ବଢ଼ିଛି। ଏହି ଚାଷ ଉପରେ ନିର୍ଭର କରି ବର୍ଷସାରା ପରିବାର ଚଳାଉଥିବା ଅନେକ ଚାଷୀ ଏବେ ଆର୍ଥିକ ସଙ୍କଟର ଆଶଙ୍କାରେ ଦିନ କାଟୁଛନ୍ତି। ସ୍ଥାନୀୟ ଚାଷୀକୂଳ ବିନୋଦ ବିହାରୀ ମହାପାତ୍ର ,ନୃସିଂହ ଚରଣ ପଣ୍ଡା , ମୁରଲୀଧର ବେହେରା ,ସୁଦର୍ଶନ ପଣ୍ଡା , ଅଦୈତ ଚନ୍ଦ୍ର ପଣ୍ଡା , ଶିଶିର ସୁଆର , ବୃନ୍ଦାବନ ସ୍ୱାଇଁ , ଅନ୍ତର୍ଯ୍ୟାମୀ ନାୟକ, ଇନ୍ଦ୍ରମଣୀ ଜେନା ,ଦାମୋଦର ମହାନ୍ତି , ଅଶୋକ ମହାରଣା , ଧନେଶ୍ୱର ରାଉତ, ଜଗବନ୍ଧୁ ସାହୁ, ପ୍ରମୁଖଙ୍କ କହିବାନୁସାରେ, ଜଳ ନିଷ୍କାସନ ବ୍ୟବସ୍ଥାର ଦୁର୍ବଳତା ଓ ଜବର ଦଖଲ ବୃଦ୍ଧି ସହ ପାର୍ଶ୍ବ କେନାଲ ଗୁଡିକୁ ପୋତି ଦେବା ଯୋଗୁଁ ପ୍ରତିବର୍ଷ ବର୍ଷା ଋତୁରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ସମସ୍ୟାର ସ୍ଥାୟୀ ସମାଧାନ ନ ହେବାରୁ ଚାଷୀମାନେ ପୁଣିଥରେ କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳର ତୁରନ୍ତ ସର୍ଭେ କରି କ୍ଷୟକ୍ଷତିର ଆକଳନ, ଜଳ ନିଷ୍କାସନର ବ୍ୟବସ୍ଥା ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଚାଷୀକୂଳ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରକୃତିର ଏହି ରୁଦ୍ରରୂପ ମଧ୍ୟରେ ଇଞ୍ଚୋଳର ଅନ୍ନଦାତାମାନେ ଏବେ ସରକାରୀ ସହାୟତା ଓ ଅନୁକୂଳ ପାଗକୁ ଆଶାଭରା ଦୃଷ୍ଟିରେ ଚାହିଁ ରହିଛନ୍ତି ।

You may have missed