July 29, 2026

ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କଲା STF; ୩ ଗିରଫ, ୩.୮୬ ଲକ୍ଷ ଟଙ୍କା ଜବତ 

IMG-20260729-WA0060
Share

 

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ଓଡ଼ିଶାରୁ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟକୁ ଚାଲିଥିବା ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍)। ଦୀର୍ଘ କିଛି ମାସର ତଦନ୍ତ ପରେ ଏହି ଚକ୍ରରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲ୍ଲାରୁ ଗିରଫ କରାଯାଇଛି। ଏହି ସଫଳତା ସହ ଏକ ସଂଗଠିତ ନିଶା କାରବାର ନେଟୱର୍କର ଗୁମର ଖୋଲିବାରେ ଏସଟିଏଫ୍ ସଫଳ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସିବାରାମ ବିଶ୍ୱାଳ (୩୮), ସିବାରାମ ପାତ୍ର (୩୩) ଏବଂ କନା ମିଟୁ ଓରଫ ମନୋରଞ୍ଜନ ସାବତ (୪୯)। ସେମାନଙ୍କ ମଧ୍ୟରୁ ମନୋରଞ୍ଜନ ସାବତ ବ୍ରହ୍ମପୁରର ଜଣେ ମଦ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଚଢ଼ାଉ ସମୟରେ ସିବାରାମ ବିଶ୍ୱାଳଙ୍କ ଘରୁ ୩ ଲକ୍ଷ ୮୬ ହଜାର ଟଙ୍କା ନଗଦ, ମୋବାଇଲ ଫୋନ୍ ଏବଂ ଅନେକ ଆପତ୍ତିଜନକ ଦସ୍ତାବିଜ ଜବତ କରାଯାଇଛି। ଏହି ନଗଦ ଅର୍ଥ ଗଞ୍ଜେଇ କାରବାରରୁ ଆସିଥିବା କି ନାହିଁ, ସେନେଇ ଏସଟିଏଫ୍ ଆର୍ଥିକ ତଦନ୍ତ ମଧ୍ୟ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତ ଏପ୍ରିଲ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପିତାପଲ୍ଲୀ ନିକଟ ଜାତୀୟ ରାଜପଥ-୧୬ରେ ଏସଟିଏଫ୍ ଏକ ଆଇଚର୍ ପ୍ରୋ କଣ୍ଟେନର ଟ୍ରକ୍‌ରୁ ୨୨୭.୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏହି ଗଞ୍ଜେଇ ଗଜପତି ଜିଲ୍ଲାର ଅଡ଼ବା ଅଞ୍ଚଳରୁ ରାଜସ୍ଥାନକୁ ଚୋରାଚାଲାଣ ହେଉଥିଲା। ସେହି ମାମଲାରେ ରାଜସ୍ଥାନର ଭିଲୱାଡ଼ା ଅଞ୍ଚଳର ପାରସ ନାଥଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ତେବେ ଏଥିରେ ତଦନ୍ତ ଅଟକି ନଥିଲା। ମୋବାଇଲ ଟେକ୍ନିକାଲ ବିଶ୍ଳେଷଣ, ଫିଲ୍ଡ ଇଣ୍ଟେଲିଜେନ୍ସ, ସାକ୍ଷୀଙ୍କ ବୟାନ ଏବଂ ଗୁଜରାଟ ଓ ରାଜସ୍ଥାନରୁ ସଂଗୃହୀତ ତଥ୍ୟ ଆଧାରରେ ଏସଟିଏଫ୍ ଓଡ଼ିଶାରେ ସକ୍ରିୟ ଥିବା ଏହି ଚୋରାଚାଲାଣ ଚକ୍ରକୁ ଠାବ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଅଭିଯୁକ୍ତମାନେ ବ୍ୟବସାୟିକ ପରିମାଣର ଗଞ୍ଜେଇ ସଂଗ୍ରହ, ଗଚ୍ଛିତ ରଖିବା ଏବଂ ବିଭିନ୍ନ ରାଜ୍ୟକୁ ପଠାଇବାରେ ସକ୍ରିୟ ଭୂମିକା ନେଉଥିଲେ।

ଏସଟିଏଫ୍ କହିଛି, ଏହି ଚକ୍ର ସହ ଜଡ଼ିତ ଅନ୍ୟ ସଦସ୍ୟ, ଆର୍ଥିକ କାରବାର ଏବଂ ଚୋରାଚାଲାଣର ଅନ୍ତିମ ଲାଭଭୋଗୀଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଜାରି ରହିଛି। ଆବଶ୍ୟକ ପଡ଼ିଲେ ସିବାରାମ ବିଶ୍ୱାଳ ଓ ମନୋରଞ୍ଜନ ସାବତଙ୍କୁ ପୁଲିସ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ। ଏହି ଘଟଣା ପରେ ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ଏସଟିଏଫ୍‌ର ଅଭିଯାନ ଆହୁରି ଜୋରଦାର ହେବ ବୋଲି ସୂଚନା ମିଳିଛି।