July 29, 2026

ଏକ୍ସପ୍ରେସ ଟ୍ରେନ ଗୁଡିକ ରହଣିକୁ ନେଇ ନର୍ଲା ବିଧାୟିକାଙ୍କ ନେତୃତ୍ୱରେ ଦାବି ପତ୍ର ପ୍ରଦାନ

IMG-20260729-WA0040
Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ ଗୁଡିକ ମଧ୍ୟରୁ ରୁପ୍ରାରୋଡ଼ ଓ ନର୍ଲାରୋଡ଼ ରେଳ ଷ୍ଟେସନ ଅନ୍ୟତମ। ଏହି ଦୁଇଟି ରେଳ ଷ୍ଟେସନ ଉପରେ ନର୍ଲା ନିର୍ବାଚନ ମଣ୍ଡଳୀର ହଜାର ହଜାର ଯାତ୍ରୀ ସମ୍ପୂର୍ଣ ନିର୍ଭରଶୀଳ ଥିବାବେଳେ, ଆଜିକୁ ପ୍ରାୟ ୬ ବର୍ଷ ହେବ ଏହି ଦୁଇଟି ଷ୍ଟେସନରେ ପ୍ରମୁଖ ଏକ୍ସପ୍ରେସ ଟ୍ରେନ ଗୁଡିକ ରହୁନଥିବା ଯୋଗୁଁ, ଏହି ଅଞ୍ଚଳର ଲୋକେ ଯାତ୍ରା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି। କୋଭିଡ ମହାମାରୀ ପୂର୍ବରୁ ଏହି ଦୁଇଟି ଷ୍ଟେସନରେ ଅହମଦାବାଦ-ପୁରୀ, ସମ୍ବଲପୁର-ନାନ୍ଦେଡ଼, ସମତା, ବିଳାସପୁର-ତିରୁପତି, ଧାନବାଦ-ଆଲେପ୍ପୀ, ଟାଟା-ଏର୍ନାକୁଲମ ପ୍ରମୁଖ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣି କାଳ ୨ ମିନିଟ ଥିଲା। ଏଥିଯୋଗୁଁ ଏହି ଅଞ୍ଚଳର ଯାତ୍ରୀମାନେ ସ୍ୱାସ୍ଥ୍ୟଗତ ସମସ୍ୟା, ବ୍ୟବସାୟ ତଥା ବିଭିନ୍ନ କାର୍ଯ୍ୟରେ ଅତି ସୁବିଧାରେ ବିଭିନ୍ନ ଅଞ୍ଚଳକୁ ଯାତାୟତ କରିପାରୁଥିଲେ। କିନ୍ତୁ କୋଭିଡ ମହାମାରୀ ପରେ ଏହି ଦୁଇଟି ଷ୍ଟେସନରେ ଉପରୋକ୍ତ ପ୍ରମୁଖ ଟ୍ରେନ ଗୁଡିକ ରହୁନଥିବାରୁ, ଏହି ଅଞ୍ଚଳର ଯାତ୍ରୀମାନେ ଅଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହୋଇ କେସିଙ୍ଗା, ଅମ୍ବାଦୋଳା ଓ ମୁନିଗୁଡା ଆଦି ରେଳ ଷ୍ଟେସନ ଗୁଡିକ ଉପରେ ବାଧ୍ୟ ହୋଇ ନିର୍ଭର କରୁଛନ୍ତି।ଏହି ଟ୍ରେନ ଗୁଡିକର ରହଣିକୁ ନେଇ ସ୍ଥାନୀୟ ଅଞ୍ଚଳ ବାସିନ୍ଦାମାନେ ବରାବର ଦାବି କରି ଆସୁଥିବାବେଳେ,ଶେଷରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ନେତୃତ୍ୱରେ ରୁପ୍ରାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତିର ସଦସ୍ୟ ମାନେ ଗତକାଲି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳ ସଦନ ମୁଖ୍ୟାଳୟର ଜେନେରାଲ ମେନେଜର ଙ୍କୁ ସାକ୍ଷାତ କରିଛନ୍ତି ଏବଂ ଏହି ଦୁଇଟି ଗୁରୁତ୍ୱପୂର୍ଣ ରେଳ ଷ୍ଟେସନରେ ପ୍ରମୁଖ ଏକ୍ସପ୍ରେସ ଟ୍ରେନ ଗୁଡିକ ରହୁନଥିବା ଯୋଗୁଁ ସ୍ଥାନୀୟ ଯାତ୍ରୀ ମାନେ କିପରି ହଇରାଣ ହେଉଛନ୍ତି, ସେ ବିଷୟରେ ଚର୍ଚ୍ଚା କରିବା ସହ ପୁଣି ଥରେ ଅତିଶୀଘ୍ର ଏହି ଟ୍ରେନ ଗୁଡିକର ଏହି ଦୁଇଟି ଷ୍ଟେସନରେ ରହଣି ବ୍ୟବସ୍ଥା କରିବାପାଇଁ ଜେନେରାଲ ମେନେଜରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।