July 26, 2026

ଶିମିଳିପାଳରେ ଶିକାରୀଙ୍କ ଉପରେ ବନ‌ ବିଭାଗର ବଡ଼   ଆକ୍ସନ୍ AI କ୍ୟାମେରାରେ ଧରାପଡ଼ିଲେ ୪ ଅଭିଯୁକ୍ତ 

IMG-20260725-WA0031
Share

 

 

ଶିମିଳିପାଳ ( ଦେବାଶିଷ ଦାଶ )

 

 

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ବନ୍ୟପ୍ରାଣୀ ଶିକାର ଯୋଜନାକୁ ବଡ଼ ଧକ୍କା ଦେଇଛି ବନ ବିଭାଗ। AI ଟ୍ରେଲଗାର୍ଡ କ୍ୟାମେରା ସହାୟତାରେ ବେଆଇନ ଭାବେ ଅଭୟାରଣ୍ୟରେ ପ୍ରବେଶ କରୁଥିବା ୪ ଜଣ ଶିକାରୀଙ୍କୁ ଶିମିଳିପାଳ ଦକ୍ଷିଣ-ପଶ୍ଚିମ ବନ୍ୟପ୍ରାଣୀ ଡିଭିଜନର କର୍ମଚାରୀମାନେ ଗିରଫ କରିଛନ୍ତି। ବନ ବିଭାଗ ସୂଚନା ଅନୁଯାୟୀ, AI କ୍ୟାମେରାରେ ସନ୍ଦିଗ୍ଧ ଗତିବିଧି ଧରାପଡ଼ିବା ପରେ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବାହିନୀ ଓ ଏନଫୋର୍ସମେଣ୍ଟ ଟିମ୍ ତୁରନ୍ତ ଚଢ଼ାଉ କରି ଚାରି ଅଭିଯୁକ୍ତଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ୨ଟି ହାତତିଆରି ବନ୍ଧୁକ, ଗନ୍ ପାଉଡର, ୨ଟି ହେଡ୍ ଟର୍ଚ୍ଚ ଏବଂ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଫାଗୁରାମ ଟୁଡୁ (୨୩), ରାମଚନ୍ଦ୍ର କିସ୍କୁ (୫୬), ରଞ୍ଜନ କିସ୍କୁ (୨୬) ଏବଂ ବିଶ୍ୱନାଥ ହାଁସଦା (୬୫)। ଏହି ଘଟଣାରେ ପୋଡାଡିହା ବନ୍ୟପ୍ରାଣୀ ରେଞ୍ଜରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଅଦାଲତ ଖାରଜ କରିବା ପରେ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଯାଇଛି। ବନ ବିଭାଗ ଏହି ଘଟଣାକୁ ବନ୍ୟପ୍ରାଣୀ ସୁରକ୍ଷାରେ AI ପ୍ରଯୁକ୍ତିର ବଡ଼ ସଫଳତା ବୋଲି କହିଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

You may have missed