ରେଢ଼ାଖୋଲ ରଥଯାତ୍ରା:ରଥ ଟାଣିଲେ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର, ୧୮.୦୭:
ରେଢ଼ାଖୋଲର ପ୍ରସିଦ୍ଧ ରଥଯାତ୍ରା ଉତ୍ସବ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ଘୋଷଯାତ୍ରାରେ ସାମିଲ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ରେଢ଼ାଖୋଲର ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଭକ୍ତିମୟ ପରିବେଶରେ ଉଭୟେ ରଥ ଟାଣିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ।
ଭକ୍ତ ଓ ଭଗବାନଙ୍କ ଏହି ଅନାବିଳ ପ୍ରେମର ମହାମିଳନ ପର୍ବରେ ଉପସ୍ଥିତ ରହି ମନ୍ତ୍ରୀ ଓ ବିଧାୟକ ମହାପ୍ରଭୁଙ୍କ ରଥର ଦଉଡ଼ିକୁ ସ୍ପର୍ଶ କରିବା ସହ ଭକ୍ତମାନଙ୍କ ସହ ମିଶି ରଥ ଟାଣିଥିଲେ, ଯାହାକି ଉପସ୍ଥିତ ନଗରବାସୀ ଙ୍କଇ ଉତ୍ସାହ ଦ୍ବିଗୁଣିତ ହୋଇଥିଲା। ରେଢ଼ାଖୋଲ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଘଣ୍ଟ,ଶଙ୍ଖ, ହୁଳହୁଳି ଏବଂ ହରିବୋଲ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ରଥ ଟାଣିବା ପରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ, “ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥ ଟାଣିବା ମୋ ଜୀବନର ଅନ୍ୟତମ ଶ୍ରେଷ୍ଠ ଓ ସ୍ମରଣୀୟ ମୁହୂର୍ତ୍ତ। ଏହି ଅବସରରେ ମହାପ୍ରଭୁଙ୍କ ନିକଟରେ ସମଗ୍ର ଓଡ଼ିଶାବାସୀ ଏବଂ ସମଗ୍ର ମାନବ ସମାଜର ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କଲି ବୋଲି ପ୍ରକାଶ କରିଥିଲେ ରାଜ୍ୟସରକାର ଙ୍କର ବରିଷ୍ଠ ମନ୍ତ୍ରୀ ଶ୍ରୀ ପୂଜାରୀ। ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ରେଢ଼ାଖୋଲ ଉପଜିଲ୍ଲାପାଳ,ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବିଜେପିର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ପ୍ରମୁଖ ନେତୃବର୍ଗ ଓ ମନ୍ଦିର କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।
