ଶୃଙ୍ଖଳିତ ଏବଂ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଲା ଗୁଣୁପୁରର ତଲାରୀ ଯାତ୍ରା

ଗୁଣପୁର (ସୁରେନ୍ଦ୍ର ମହାନ୍ତି )ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ତଥା ଐତିହାସିକ ଗୁଣୁପୁର ତଲାରୀ ଯାତ୍ରା (ରଥଯାତ୍ରା) ଗୁରୁବାର ଭକ୍ତି, ଉତ୍ସାହ ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି। ସକାଳୁ ମଙ୍ଗଳାରତି, ସୂର୍ଯ୍ୟପୂଜା, ଅବକାଶ ନୀତି ଓ ବାଳଭୋଗ ପରେ ରଥ ପ୍ରତିଷ୍ଠା ସମ୍ପନ୍ନ ହୋଇଥିଲା। ପରେ ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ସହ ଚତୁର୍ଦ୍ଧା ବିଗ୍ରହଙ୍କୁ ରଥାରୂଢ କରାଯାଇଥିଲା। ଘଣ୍ଟ, ଘଣ୍ଟା ଓ ନାମସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ଉଛୁଳି ଉଠିଥିଲା।
ଅପରାହ୍ଣରେ ରଥଟଣା ଆରମ୍ଭ ହୋଇଥିବାବେଳେ ବଡ଼ ରଥକୁ ଅଗଣିତ ଭକ୍ତ ଟାଣିଥିଲେ। ସାନ ରଥକୁ ପରମ୍ପରା ଅନୁଯାୟୀ ମହିଳାମାନେ ଟାଣିଥିଲେ। ରଥଯାତ୍ରାକୁ ନେଇ ସହରରେ ମେଳାର ଆବହ ସୃଷ୍ଟି ହୋଇଥିଲା। ଭଳିକି ଭଳି ତଲାରୀ, ଖେଳନା, ଗୃହୋପଯୋଗୀ ସାମଗ୍ରୀ ଓ ବିଭିନ୍ନ ମନୋରଞ୍ଜନମୂଳକ ଦୋକାନ ସହ ମୀନାବଜାର ଉତ୍ସବର ଅନ୍ୟତମ ପ୍ରମୁଖ ଆକର୍ଷଣ ପାଲଟିଥିଲା। ମୀନାବଜାରରେ ଛୋଟ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ମହିଳା ଓ ବୟସ୍କଙ୍କ ପର୍ଯ୍ୟନ୍ତ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା। ସେହିପରି କୃଷିଜୀବୀ, ଗୋପାଳ ଓ ପଶୁପାଳକମାନେ ପାରମ୍ପରିକ ତଲାରୀ ଶ୍ରଦ୍ଧାର ସହ କ୍ରୟ କରୁଥିବା ଦେଖିବାକୁ ମିଳିଥିଲା।
ଯାତ୍ରା ଅବସରରେ ବିଭିନ୍ନ ସେବାକାରୀ ସଂସ୍ଥା ପକ୍ଷରୁ ପାନୀୟ ଜଳ, ପଣା ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ରାଜସ୍ୱ, ଦେବତ୍ତୋର, ପୁଲିସ, ଦମକଳ, ସ୍ୱାସ୍ଥ୍ୟ ବିଭାଗ ଏବଂ ଆଦିତ୍ୟ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ସେବା ବ୍ୟବସ୍ଥା କରାଯାଇଥିଲା। ଗବେଷକ ଡ. କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ବିଶିଷ୍ଟ କଥାକାରମାନେ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଉପସ୍ଥିତ ରହି ବ୍ୟବସ୍ଥାର ତଦାରଖ କରିଥିଲେ। ପ୍ରଶାସନର ସୁପରିଚାଳନା ଯୋଗୁଁ ସମଗ୍ର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।
