ଦଳିତ ପରିବାର କୁ ଭଗବାନ ଭରଷା…..!!!
ତିର୍ତ୍ତୋଲ
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜୀବନ କଣ…. ଆଉ ସଂଘର୍ଷ କଣ…. ବୋଧହୁଏ ଏ ଚିତ୍ର ଦେଖିଲେ ଭଲ ଭାବେ ବୁଝିହେବ । ଜୀବନରେ ବଞ୍ଚିବା ପାଇଁ କେମିତି ସଂଗ୍ରାମ କରିବାକୁ ପଡେ ସେ କଥା ଏହି ଚିତ୍ର ହିଁ ବଖାଣୁଛି । ଦେଖନ୍ତୁ କେମିତି ଛିଣ୍ଡା ପାଲରେ ତିଆରି ତମ୍ବୁ ତଳେ କଟୁଛି ଚାରି ପ୍ରାଣୀଙ୍କ ଜୀବନ । ସ୍ୱାମୀ ପ୍ରମୋଦ ବି କରି ଚାଲିଛନ୍ତି ତାଙ୍କର କର୍ତ୍ତବ୍ୟ । ପନ୍ଦର ବର୍ଷର ଝିଅ ପାଠ ପଢା କୁ ପଛରେ ପକାଇ ଖେଳିବା ବୁଲିବା ବୟସରେ ମୁଣ୍ଡାଇଛି ମା ରୋଗ ଚିନ୍ତାର ପାହାଡ l ଥରେ ଭାବିଲେ ଏମାନଙ୍କ ପାଇଁ ତାଙ୍କ ଜୀବନ କେମିତି ଜଞ୍ଜାଳ ପାଲଟିଛି. ? କେବଳ ପଡିଶାଙ୍କ ଛଡା ଆହା ପଦେ କହିବାକୁ ପାଖରେ କେହି ନାହାନ୍ତି । ମାଗି ଯାଚି ଯିଏ ଯାହା ଦେଉଛନ୍ତି ସେଥିରେ ଖାଉଛନ୍ତି ନହେଲେ ନାହିଁ । ଓଳିଏ ଖାଇଲେ ଆର ଓଳିକୁ କିଛି ବି ନାହିଁ । ଭାତ ସାଙ୍ଗକୁ ପିଆଜ । ଗୁଣ୍ଡାଏ ଭାତ ଆଉ ପିଆଜ ଫାଳେରେ ଜୀବନ ବଞ୍ଚୁଛି । ସେଥିରେ ପୁଣି ଦାଉ ସାଧୁଛି ରୋଗ । କଣ ଗରିବ ଉପରେ ସବୁବେଳେ ଏମିତି ଭାଗ୍ୟ ଦାଉ ସାଧେ । ଯିଏ ଗରିବ ତାରି ପାଖରେ ବେଶି ରୋଗ । ଆମେ ଆପଣଙ୍କୁ ଆଜି ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ ଯାହାଙ୍କୁ କେବଳ ଆପଣ ହିଁ ବଞ୍ଚାଇ ପାରିବେ । ଆପଣଙ୍କ ସହଯୋଗରେ ହିଁ ତାଙ୍କ ଘର ପୁଣି ପୂରି ଉଠିବ । ନୂଆ ଜୀବନ ପାଇ ପାରିବେ ସରୋଜିନୀ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତର ଯଇପୁର (ଦଶମାଣକୁଳ ) ଗ୍ରାମର ପ୍ରମୋଦ ମଲ୍ଲିକ ଙ୍କ ଧର୍ମପତ୍ନୀ ସରୋଜିନୀ ମଲ୍ଲିକ ,ଏବେ ଗୁରୁତର କର୍କଟ ରୋଗରେ ପୀଡିତ । ଦାରିଦ୍ର୍ୟର ଶେଷ ସୀମାରେ । ଚିକିତ୍ସା ପାଇଁ ପାଖରେ ଅର୍ଥ ସାଜିଛି ବାଧକ । ଶଯ୍ୟାଶାୟୀ ଥିବା ସ୍ତ୍ରୀ ସରୋଜିନୀ ଓ ଛୋଟ ପୁଅ ଝିଅ ଙ୍କୁ ଏକାକୀ ଛାଡି କୋଉଠି କାମ କରି ଏବେ ଘର ଚଳାଇବା ପାଇଁ ଅସମର୍ଥ ପ୍ରମୋଦ । ଯେଉଁଠି ଘର ଚଳାଇବା ପାଇଁ ଅର୍ଥର ଅଭାବ ସେଠି କର୍କଟ ଭଳି ଗୁରୁତର ରୋଗର ଚିକିତ୍ସା କରିବେ କେମିତି….? ଝିଅ ଓ ପୁଅ ଯାହା କିଛି ମାଗି ଯାଚି ଆଣୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ଏ ହେଉଛନ୍ତି ତିର୍ତ୍ତୋଲ ବ୍ଲକ କୋଲର ପଂଚାୟତ ଦଶମାଣକୁଳ ଗ୍ରାମର ସରୋଜିନୀ ମଲ୍ଲିକ । ପ୍ରମୋଦ ଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ତାଙ୍କର ଦଶ ବର୍ଷ ର ପୁଅ, ପନ୍ଦର ବର୍ଷର ଝିଅ କୁ ନେଇ ତାଙ୍କ ସଂସାର । ସ୍ୱଳ୍ପ ରୋଜଗାରରେ ଦୁଃଖେ କଷ୍ଟେ ପରିବାର ଚଳୁଥିଲା । ସ୍ତ୍ରୀ ସରୋଜିନୀ ଏବେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବାରୁ ପ୍ରମୋଦ ଏବେ ଚିନ୍ତାରେ । ଅର୍ଥ ଅଭାବରୁ ଠିକ ଭାବରେ ଚିକିତ୍ସା ହୋଇ ପାରୁନି । ସାହି ପଡିଶାରେ ମାଗି ଯାଚି ଚିକିତ୍ସା କରିବା ସହିତ ଯାହା ମିଳୁଛି ସେଥିରେ ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟକର ହୋଇ ପଡୁଛି । ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ ଟଙ୍କା ଆସିବ କେଉଁଠୁ ଚିକିତ୍ସା ପାଇଁ…. ? ସହାୟତା ପାଇଁ ନିବେଦନ କରିଛନ୍ତି ସରୋଜିନୀ ଙ୍କ ସ୍ୱାମୀ ପ୍ରମୋଦ lଦୀର୍ଘ ୪ମାସ ହେଲା ସରୋଜିନୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଯାହା କିଛି ସମ୍ବଳ ଥିଲା ତାକୁ ଚିକିତ୍ସାରେ ଶେଷ କରି ଦେଲେଣି । ଏମିତି ସମୟରେ ଘର ଚଳିବା ବି ମୁସ୍କିଲ ହୋଇପଡିଛି । ଦୀର୍ଘ ଦିନ ହେବ ରୋଗ ଶଯ୍ୟା ରେ ଥିବା ହେତୁ ରୋଜଗାର ରୁ ବଞ୍ଚିତ ହେଇଛନ୍ତି । ତେଣୁ ପ୍ରମୋଦ ଙ୍କ ଏଭଳି ପରିସ୍ଥିତି ରେ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ଏକାନ୍ତ ଆବଶ୍ୟକ । ସେପଟେ ଜିଲା ପ୍ରଶାସନକୁ ଏ ନେଇ ଅବଗତ କରିବା ପରେ ମଧ୍ୟ ସମସ୍ତ ସରକାରୀ ସୁବିଧା ରୁ ବଞ୍ଚିତ ଅଛନ୍ତି ସରୋଜିନୀ । ଆମ ଭିତରେ ସହୃଦୟ ବ୍ୟକ୍ତିଙ୍କର ଅଭାବ ନାହିଁ । ଚାହିଁ ବସିଥାନ୍ତି କାହାକୁ ଟିକେ ସାହାଯ୍ୟ ସହଯୋଗ କରିବାକୁ । ଖୋଜୁଥାନ୍ତି ଟିକେ ସୁଯୋଗ । ସେଇମାନଙ୍କୁ ଅନୁରୋଧ କରୁଛୁ କି ସରୋଜିନୀ ଙ୍କୁ ଆପଣମାନଙ୍କର ସହାୟତା ମିଳିଲେ ଜୀବନ ସଂଘର୍ଷରେ ଲଢ଼ି ପାରନ୍ତେ । ରୋଗର ଅଧିକ ଚିକିତ୍ସା କରି ପାରନ୍ତେ ବୋଲି ପରିବାର ପକ୍ଷରୁ କହିଛନ୍ତି ।

