ସାମ୍ବାଦିକଙ୍କ ଭତ୍ତା ଓ ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବୋଲଗଡ,୧୦/୦୭ : (ସୁଶାନ୍ତ କୁମାର ପ୍ରଧାନ) ସାମ୍ବାଦିକମାନଙ୍କ ଭତ୍ତା, ସୁରକ୍ଷା ଓ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ଦାବି ନେଇ ଭଏସ ଅଫ ମିଡ଼ିଆ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ବୋଲଗଡ଼ ବିଡିଓ ସୁମନ ସୁଧା କୁଣ୍ଡୁଙ୍କୁ ସାକ୍ଷାତ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ଭଏସ୍ ଅଫ ମିଡିଆ କାର୍ଯ୍ୟରତ ସାମ୍ବାଦିକ ପରିବାରର ସଭାପତି ନିରଞ୍ଜନ ନାୟକ, ସମ୍ପାଦକ ସତ୍ୟନାରାୟଣ ବାରିକ, ଦେବବ୍ରତ ହୋତା, ପ୍ରଫୁଲ ସିଂହ,ଦିପକ ପାହାଡ଼ସିଂ,ନିରଞ୍ଜନ ସେଠି, ଯଦୁନାଥ ସାମନ୍ତରାୟଙ୍କ ସମେତ ସମସ୍ତସଦସ୍ୟ ମାନେ ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ l ଏହି ଦାବିପତ୍ରରେ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ, ମାସିକ ଭତ୍ତା ପ୍ରଦାନ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ସୁବିଧା, କର୍ତ୍ତବ୍ୟ ପାଳନ ସମୟରେ ଆକ୍ରମଣ ଘଟିଲେ ତ୍ୱରିତ ଆଇନଗତ ପଦକ୍ଷେପ, ସାମ୍ବାଦିକ କଲ୍ୟାଣ ପାଣ୍ଠିର ସୁଦୃଢ଼ୀକରଣ ଏବଂ ଗ୍ରାମାଞ୍ଚଳର ସାମ୍ବାଦିକମାନଙ୍କୁ ସମାନ ସୁବିଧା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ସାମିଲ ରହିଛି।ଭଏସ ଅଫ ମିଡ଼ିଆ ପକ୍ଷରୁ କୁହାଯାଇଛି ଯେ, ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜକୁ ନିରପେକ୍ଷ ଓ ସତ୍ୟ ସୂଚନା ପ୍ରଦାନ କରୁଥିବାରୁ ସେମାନଙ୍କ ସୁରକ୍ଷା, ସମ୍ମାନ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ।ସଂଗଠନ ଆଶା ପ୍ରକାଶ କରିଛି ଯେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ନ୍ୟାୟସଙ୍ଗତ ଦାବିକୁ ସକାରାତ୍ମକ ଭାବେ ବିଚାର କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଏହି ଦାବିଗୁଡ଼ିକର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ଭଏସ ଅଫ ମିଡ଼ିଆ ପକ୍ଷରୁ ରାଜ୍ୟବ୍ୟାପୀ ବୃହତ୍ତର ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
