ଉମରକୋଟ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧଦିବସ ପାଳିତ….…….
ଉମରକୋଟ;-(ଏମ୍.ଦୀନା°ଶୁ ଆଚାରୀ) ସ୍ଥାନୀୟ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ସମାଜ ଦୈନିକ ଖବରକାଗଜ ପକ୍ଷରୁ ଉତ୍କଳମାତାଙ୍କ ସୁଯୋଗ୍ୟ ସନ୍ତାନ, ଚିରନମସ୍ୟ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧଦିବସ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଥିଲା। ଏହି ଅବସରରେ ‘ସୃଜନଶୀଳ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଉମରକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟର ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୪ର୍ଥରୁ ୭ମ ଶ୍ରେଣୀର ୬୨ ଜଣ ଚିତ୍ରାଙ୍କନ ଏବଂ ୮ମରୁ ୧୦ମ ଶ୍ରେଣୀର ୫୮ ଜଣ କୁଇଜ୍ ପ୍ରତିଯୋଗିତାରେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ବି.ଏସ୍. ପଦରର ଚିତ୍ରା ଭତ୍ରା ପ୍ରଥମ, ଭୀମାଗୁଡ଼ାର ଲଭଲି ଖିଲ ଦ୍ୱିତୀୟ ଏବଂ ସହିଦ୍ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲର ଆୟଷା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କୁଇଜ୍ ପ୍ରତିଯୋଗିତାରେ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଋତୁଷ୍ଣା ମଲ୍ଲିକ ପ୍ରଥମ, ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ଶ୍ରୁତିସ୍ମିତା ସାହୁ ଦ୍ୱିତୀୟ ଏବଂ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ସୁଶ୍ରୀତା ପଣ୍ଡା ତୃତୀୟ ସ୍ଥାନ ହାସଲ କରିଥିଲେ। ସମାଜ ପ୍ରତିନିଧି ନିଗମ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡା. ସୁରେନ୍ଦ୍ର ନାଥ ଦାସ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବାଗ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶ, ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୋନା ମାଝୀ, ଶିକ୍ଷାବିତ ତଥା ଶିକ୍ଷକ ରଞ୍ଜନ କୁମାର ବେହେରା, ସମୀର ପ୍ରଧାନ, ସାଗର କୁମାର ପରିଡ଼ା, ଷ୍ଟାଲିନ ସାମନ୍ତରାୟ, ଭାସ୍କର ଚନ୍ଦ୍ର ମହାପାତ୍ର ଏବଂ ଶିକ୍ଷୟିତ୍ରୀ ସୁନିତା ପଟ୍ଟନାୟକ ଓ ସୁନିତା ପରିଚ୍ଛା ଉପସ୍ଥିତ ରହି ନିଜ ମତାମତ ରଖିଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା କରାଯାଇଥିଲା। ସଭାପତି ନିଗମ କୁମାର ସାହୁ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ବିଚାରକମଣ୍ଡଳୀ ଓ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।
