ପ୍ରତିଶୃତି ରକ୍ଷା କଲେ ବିଧାୟକ ଜୟନାରାୟଣ *ସମ୍ବଲପୁରୀ ଡେରା ରେ ସମ୍ବଲପୁରୀ ସଂସ୍କୃତି ଭବନ ପାଇଁ ଭୂମିପୂଜନ*

ସମ୍ବଲପୁର ତା.୫/୭ – ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ ର ପ୍ରଚାର ପ୍ରସାର ଓ ସୁରକ୍ଷା ପାଇଁ ପଶ୍ଚିମଞ୍ଚଲ ଏକତା ମଞ୍ଚ କରୁଥିବା ସଂଗ୍ରାମ ରେ ସହଯୋଗ ର ହାତ ବଢ଼େଇଛନ୍ତି ମଞ୍ଚ ର ବରିଷ୍ଠ ଉପଦେଷ୍ଟା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ସମ୍ବଲପୁର ଜେଲ ଛକ ନିକଟରେ ଥିବା ଗୁରୁଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ରେ ବିଗତ ୨୦୧୩ ରୁ ଅଞ୍ଚଳର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ନିଜସ୍ୱ ପ୍ରୟାସ ରେ ଓ ନିଜସ୍ୱ ପାଣ୍ଠି ରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତ କୁ ନିଆଯାଉଛି ।
ଗତ ଡିସେମ୍ବର ୨୨, ୨୩, ୨୪ ରେ ମଞ୍ଚ ପକ୍ଷରୁ ଆୟୋଜିତ ପଞ୍ଚମ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚ ପକ୍ଷରୁ କରାଯାଉଥିବା ପ୍ରୟାସ କୁ ପ୍ରଶଂସା କରି ଏକ ସଂସ୍କୃତି ଭବନ ନିର୍ମାଣ ପାଇଁ ଦଶ ଲକ୍ଷ ଟଙ୍କା ସହାୟତା ରାଶି ଯୋଗେଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଚଳିତ ଆର୍ଥିକ ବର୍ଷ ରେ ବିଧାୟକ ନିଜ ବିଧାୟକ ପାଣ୍ଠି ରୁ ସେହି ଅର୍ଥ ରାଶି ପ୍ରଦାନ କରିଛନ୍ତି । ଏହି ମର୍ମରେ ରବିବାର ବିଧାୟକ ଶ୍ରୀ ମିଶ୍ର ଡେରା ରେ ଉକ୍ତ ଭବନ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି । ମଞ୍ଚ ପକ୍ଷରୁ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ ପାଇଁ କରାଯାଉଥିବା ମହାଯଜ୍ଞ ରେ ଏହା ମୋର ଛୋଟିଆ ଆହୁତି ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ।
ତେବେ ଡେରା ପରିସରରେ ନିଶୁଳ୍କ ସମ୍ବଲପୁରୀ ଲୋକ ନୃତ୍ୟ ପ୍ରଶିକ୍ଷଣ ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କିକ୍ ବକ୍ସିଂ ପ୍ରଶିକ୍ଷଣ ଦିଆଯାଉଛି । ତେଣୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଉଦ୍ୟମକୁ ସହଯୋଗ କରି ଡେରା ରେ ସମ୍ବଲପୁରୀ ଗବେଷଣା, ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ ପାଇଁ ଭବନର ଆବଶ୍ୟକତା ପୂରଣ ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଆର୍ଥିକ ସହାୟତାରେ ସମ୍ବଲପୁରୀ ସଂସ୍କୃତି ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଶିଘ୍ର ନିର୍ମାଣ ଶେଷ କରି ସମ୍ବଲପୁରୀ ର ପ୍ରଚାର ପ୍ରସାର ପାଇଁ ଉପଯୋଗ କରିବା ପାଇଁ କହିଥିଲେ। ଏହି ଅବସରରେ ମଞ୍ଚ ର ଅନ୍ୟତମ ଉପଦେଷ୍ଟା ତଥା ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ ବରିଷ୍ଠ ବିଜେପି ନେତା ଅନୀଲ ବେହେରା ଉପସ୍ଥିତ ରହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମକୁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ସଦସ୍ୟ ସଦସ୍ୟା ଙ୍କ ସମେତ ସମ୍ବଲପୁରୀ ଲୋକ ନୃତ୍ୟ ପ୍ରଶିକ୍ଷାର୍ଥୀ ଏବଂ କିକ୍ ବକ୍ସିଂ ପ୍ରଶିକ୍ଷାର୍ଥୀ ମାନେ ଉପସ୍ଥିତ ରହିଥିଲେ।
