ଅରବିନ୍ଦନଗର ପେବର ରାସ୍ତାରେ ଜମୁଛି ପାଣି , ଯାତାୟତରେ ଉପୁଜୁଛି ସମସ୍ଯା, ପ୍ରତିକାର ଦାବି
ବୁଗୁଡ଼ା : ତା ୦୫/୦୭/୨୬ : ବୁଗୁଡ଼ା ଏନଏସି ଓ୍ବାର୍ଡ ନଂ-୩ ଅନ୍ତର୍ଗତ ଅରବିନ୍ଦ ନଗର ପ୍ରଥମ ଲାଇନର ପେବର ରାସ୍ତାରେ ବର୍ଷାଜଳ ଜମିରହିବା ଫଳରେ ଲୋକଙ୍କ ଯାତାୟାତରେ ଅସୁବିଧା ହେଉଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସେହି ପେବର ରାସ୍ତା ନିର୍ମାଣ ପରଠୁ ସାହି ମଧ୍ଯରେ ବେଆଇନ ଭାରିଯାନ ଚଳାଚଳ ହେତୁ ପେବର ଗୁଡିକ ଦବିଯାଇ ଖାଲୁଆ ହୋଇଯାଇଥିବାରୁ ପାଣି ଜମିରହୁଛି। ବିଶେଷକରି ବର୍ଷା ପରେ ପାଣି ଜମିରହୁଛି ଏବଂ ସେହି ପାଣିରେ ଗାଈଗୋରୁଙ୍କ ଗୋବର ପଡି ଦୁର୍ଗନ୍ଧ ହେଉଛି। ସେହି ଅରବିନ୍ଦ ନଗରରେ ପରିବା ବଜାର ସହିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରହିଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ବହୁ ଲୋକଙ୍କ ଗମନାଗମନ ମାର୍ଗ ପାଲଟିଥିବା ବେଳେ ରାସ୍ତାରେ ଜମିଥିବା ପୋଚକା ପାଣି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଯାନବାହାନ ଯାତାୟତ ବେଳେ ରାସ୍ତାରେ ଜମିଥିବା ଦୁର୍ଗନ୍ଧ ପାଣି ଲୋକଙ୍କ ଉପରେ ଛିଟିକି ପଡୁଥିବାରୁ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି। ଏଣୁ, ଏନ୍ଏସି କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର କରିବା ପାଇଁ ସାଧାରଣରେ ଦୃଢ ଦାବି ହେଉଛି।
