June 12, 2026

ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ରରେ କୃଷକ ଭାରତୀର ସାର ପ୍ରୋତ୍ସାହନ ଅଭିଯାନ,ବୈଜ୍ଞାନିକଙ୍କ ପରାମର୍ଶରେ ସଚେତନ ହେଲେ କୃଷକ……

IMG-20260612-WA0050
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) କୃଷକଙ୍କୁ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକାର ସ୍ୱାସ୍ଥ୍ୟ ସୁରକ୍ଷା ଓ ଆଧୁନିକ କୃଷି ପ୍ରଯୁକ୍ତି ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ କୃଷକ ଭାରତୀ କୋଅପରେଟିଭ ଲିମିଟେଡ୍ (KRIBHCO) ପକ୍ଷରୁ “ସାର ପ୍ରୋତ୍ସାହନ ଅଭିଯାନ ଓ କୃଷକ ସଚେତନତା କାର୍ଯ୍ୟକ୍ରମ” ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନୀ, କୃଷି ବିଭାଗର ଅଧିକାରୀ, ବିଭିନ୍ନ ସଂସ୍ଥାର ପ୍ରତିନିଧି ଏବଂ ବହୁ ସଂଖ୍ୟକ କୃଷକ ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ଡ଼. ଶଶାଙ୍କ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକ ପଦ୍ଧତିରେ ଚାଷ, ମୃତ୍ତିକା ପରୀକ୍ଷା ଓ ସନ୍ତୁଳିତ ସାର ବ୍ୟବହାରର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ମାଟିର ଆବଶ୍ୟକତା ଅନୁଯାୟୀ ସଠିକ୍ ପରିମାଣରେ ସାର ପ୍ରୟୋଗ କଲେ ଫସଲର ଉତ୍ପାଦନ ବଢ଼ିବା ସହ ଜମିର ଉର୍ବରତା ମଧ୍ୟ ଦୀର୍ଘସ୍ଥାୟୀ ରହିଥାଏ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧୀର ରଞ୍ଜନ ବେହେରା କୃଷକମାନଙ୍କୁ ସରକାରଙ୍କ ବିଭିନ୍ନ କୃଷି ଯୋଜନା, ସାରର ସଠିକ୍ ବ୍ୟବହାର ଏବଂ ଆଧୁନିକ ଚାଷ ପ୍ରଣାଳୀ ଅପନାଇ ଅଧିକ ଅମଳ ପାଇବା ଉପରେ ପରାମର୍ଶ ଦେଇଥିଲେ। ସେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ଉପଯୋଗ କରି ବୈଜ୍ଞାନିକ ଭିତ୍ତିରେ ସାର ପ୍ରୟୋଗ କରିବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ଡ଼. ରୁଦ୍ର ପ୍ରସନ୍ନ ମହାଳିକ କୃଷିରେ ପୋଷକ ତତ୍ତ୍ୱର ସନ୍ତୁଳିତ ପରିଚାଳନା, ଜୈବିକ ଓ ରାସାୟନିକ ସାରର ସମନ୍ୱିତ ବ୍ୟବହାର ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷିତ ରହିଲେ ଦୀର୍ଘମିଆଦିରେ କୃଷକମାନେ ଅଧିକ ଲାଭବାନ ହୋଇପାରିବେ।

କୃଷକ ଭାରତୀ କୋଅପରେଟିଭ ଲିମିଟେଡ୍ ର କ୍ଷେତ୍ର ପ୍ରତିନିଧି ସୌମ୍ୟ ରଞ୍ଜନ ତ୍ରିପାଠୀ କୃଷକଙ୍କ ସହ ସିଧାସଳଖ ଆଲୋଚନା କରି ବିଭିନ୍ନ ଫସଲ ପାଇଁ ସଠିକ୍ ସାର ପ୍ରୟୋଗର ପ୍ରକ୍ରିୟା ଓ ସମୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସେ କୃଷକଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କ ଚାଷ ସମ୍ପର୍କିତ ସମସ୍ୟାର ବ୍ୟବହାରିକ ସମାଧାନ ବିଷୟରେ ମତ ରଖିଥିଲେ। ଓଡ଼ିଶା ରାଜ୍ୟ ମାର୍କେଟିଂ ମ୍ୟାନେଜର ଅଶୁତୋଷ ଚନ୍ଦ୍ରାକାର କୃଷକ ଭାରତୀ କୋଅପରେଟିଭ ଲିମିଟେଡ୍‌ର ବିଭିନ୍ନ ସାର ଉତ୍ପାଦ, ସେଗୁଡ଼ିକର ଉପଯୋଗିତା ଏବଂ କୃଷକଙ୍କ ଉତ୍ପାଦନ ବୃଦ୍ଧିରେ ଏହାର ଭୂମିକା ସମ୍ପର୍କରେ ତଥ୍ୟ ରଖିଥିଲେ। ସେ କହିଥିଲେ ଯେ ସଠିକ୍ ସମୟରେ ସଠିକ୍ ପରିମାଣର ସାର ବ୍ୟବହାର କରିବା ହିଁ ସଫଳ କୃଷିର ମୂଳମନ୍ତ୍ର। ବରିଷ୍ଠ କ୍ଷେତ୍ର ପ୍ରତିନିଧି ପ୍ରୀତୀଶ ମିଶ୍ର ଏବଂ ନୋଭନିଶ ଇଣ୍ଡିଆର ଡ଼. ଏସ୍. ମଞ୍ଜୁନାଥ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ କୃଷକମାନଙ୍କୁ ଆଧୁନିକ କୃଷି ପ୍ରଯୁକ୍ତି, ପୋଷକ ତତ୍ତ୍ୱ ପରିଚାଳନା, ମୃତ୍ତିକା ସଂରକ୍ଷଣ ଓ ଫସଲର ଗୁଣବତ୍ତା ବୃଦ୍ଧି ପାଇଁ ବୈଜ୍ଞାନିକ ପରାମର୍ଶ ଦେଇ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ କୃଷକମାନେ ନିଜ ଚାଷ ସମ୍ପର୍କିତ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ ଏବଂ ବିଶେଷଜ୍ଞମାନଙ୍କଠାରୁ ତାହାର ସମାଧାନ ପାଇଥିଲେ। ମୃତ୍ତିକା ପରୀକ୍ଷା, ଜଳ ପରିଚାଳନା, ଜୈବିକ ସାରର ବ୍ୟବହାର ଓ ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଶେଷରେ ଆୟୋଜକମାନେ କହିଥିଲେ ଯେ ଏଭଳି ସଚେତନତା କାର୍ଯ୍ୟକ୍ରମ କୃଷକଙ୍କୁ ବୈଜ୍ଞାନିକ ଚାଷ ପ୍ରତି ଆକୃଷ୍ଟ କରିବା ସହିତ କମ୍ ଖର୍ଚ୍ଚରେ ଅଧିକ ଅମଳ ଏବଂ ସ୍ଥାୟୀ କୃଷି ବିକାଶରେ ସହାୟକ ହେବ। ଉପସ୍ଥିତ କୃଷକମାନେ ମଧ୍ୟ ଏହି ଅଭିଯାନକୁ ସ୍ୱାଗତ କରି ଭବିଷ୍ୟତରେ ଏଭଳି ଅଧିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଶା ପ୍ରକାଶ କରିଥିଲେ ।

You may have missed