କବିସୂର୍ଯ୍ୟନଗର ଥାନା ହାଜତରେ ସୁଶାନ୍ତ ସାହୁଙ୍କୁ ନିର୍ଯ୍ୟାତନା ଓ ମୃତ୍ୟୁ ପାଇଁ ସମ୍ପୃକ୍ତ ଆଇପିଏସ୍ ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ହତ୍ୟା ମୋକଦ୍ଦମା ଦାୟର କରାଯାଉ ..
*ମୃତ ସୁଶାନ୍ତ ସାହୁଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଉ ।*
*ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯାଉ ।*
କବିସୂର୍ଯ୍ୟନଗର ପୋଲିସ ଦ୍ୱାରା ସୁବଳୟାର ଜନୈକ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ଗୋଟିଏ ମାମଲାରେ ଜେରା କରିବା ନାଁରେ ତାଙ୍କୁ ଘରୁ ଉଠାଇ ନେଇ ବେଆଇନ ଭାବେ ଥାନା ହାଜତରେ ଦୀର୍ଘ ସାତ ଦିନ ଧରି ଅଟକ ରଖି ଅକଥନୀୟ ନିର୍ଯ୍ୟାତନା ଦେବା ଫଳରେ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହେବା ଘଟଣାକୁ ଲୋକଶକ୍ତି ଅଭିଯାନର ଆବାହକ ପ୍ରଫୁଲ୍ଲ ସାମନ୍ତରା ଓ ଅଖିଳ ଭାରତ କିଶାନ୍ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ତୀବ୍ର ନିନ୍ଦା କରିଛନ୍ତି। ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଥିବା ଏହି ଲୋମହର୍ଷଣକାରୀ ଅପରାଧକୁ ଥାନାର ଆଇଆଇସି ଦାୟୀତ୍ୱରେ ଥିବା ସର୍ବଭାରତୀୟ ପୋଲିସ ସେବାର ଜନୈକ ଅଧିକାର ନିତେଶ ମିଶ୍ରଙ୍କ ନେତୃତ୍ୱରେ କରାଯାଇଥିଲା। ଜେରା ନାଁରେ ମୃତ ସୁଶାନ୍ତଙ୍କୁ ଅକଥନୀୟ ମାଡ଼ ମାରିବା ସହ ତାଙ୍କ ଉପରେ ଫୁଟିଲା ପାଣି ପକାଇବା, ତାଙ୍କ କ୍ଷତ ସ୍ଥ।।ନରେ ଲଙ୍କାମରିଚ ଗୁଣ୍ଡ ପକାଇ ନିର୍ଯ୍ୟତନା ଦେବା ଅତ୍ୟନ୍ତ ଅମାନୁଷିକ, ଜଘନ୍ୟ ଓ ମଧ୍ୟଯୁଗୀୟ ବର୍ବରତାକୁ ପ୍ରଦର୍ଶନ କରୁଛି। ସବୁଠାରୁ ବଡ଼ କଥା ହେଲା, ସୁଶାନ୍ତ ସାହୁଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ନିଜର ଅପରାଧକୁ ଲୁଚାଇବା ପାଇଁ ସେ ମୃତ୍ୟୁବରଣ କରିବା ପୂର୍ବରୁ ଏବଂ ମୃତ୍ୟୁ ପରେ ମଧ୍ୟ ପରିବାରର ଲୋକଙ୍କୁ ଚାପ ଓ ପ୍ରଲୋଭନ ଦେଖାଯାଉଛି। ଗତକାଲି ଆମେ ତଥ୍ୟ ଅନୁସନ୍ଧାନ ପାଇଁମୃତ ସୁଶାନ୍ତ ସାହୁଙ୍କ ଘରକୁ ଯାଇଥିବା ବେଳେ ପୋଲିସ ପକ୍ଷରୁ ଏଚଆର୍ପିସି ଜେରା ନାଁରେ ତାଙ୍କର ସମ୍ପୂର୍ଣ୍ଣ ପରିବାରକୁ ପୁରୁଷୋତ୍ତମ ପୁରକୁ ଗାଡ଼ିରେ ନେଇ ଯାଇଥିବା ଦେଖାଯାଇଛି। ପରିବାରର ଜଣେ ହତ୍ୟାର ଶିକାର ହୋଇଥିବା ବେଳେ ପୋଲିସ ଏବଂ ଏଚଆର୍ପିସି ଅଧିକାରୀମାନେ ତାଙ୍କ ଘରକୁ ଯାଇ ତଦନ୍ତ ନକରି ତାଙ୍କୁ ଏକ ଅଲଗା ଜାଗାକୁ ଡ଼ାକିବା ଅମାନବୀୟ ଏବଂ ଚାପ ପ୍ରୟୋଗ କରିବାକୁ ଉଦ୍ଦିଷ୍ଟ ବୋଲି ମନେ ହେଉଛି।
କବିସୂର୍ଯ୍ୟନଗରର ହାଜତ ମୃତ୍ୟୁଏକ ସ୍ୱଷ୍ଟ ହତ୍ୟାକାଣ୍ଡ ଏବଂ ଏଥିରେ ପୋଲିସ ଅଧିକାରୀମାନେ ସିଧାସଳଖ ସାମିଲ ହୋଇଥିଲେ ମଧ୍ୟ ଏଯାଏଁ ସେମାନଙ୍କ ବିରୁଦ୍ଧରେ ହତ୍ୟା ମୋକଦ୍ଦମା ଦାୟର ନକରିବା ଏବଂ ଆଇଆଇସି ଦାୟୀତ୍ୱରେ ଥିବା ଆଇପିଏସ୍ ଅଧିକାରୀ ଓ ଅନ୍ୟ ପୋଲିସ କର୍ମଜାରୀଙ୍କୁ ଗିରଫ ନକରିବା ରାଜ୍ୟର ବିଜେପି ସରକାରର ଦୋମୁଁହା ନୀତି ଓ ଅପରାଧିକୁ ଖସେଇବାର ଷଡ଼ଯନ୍ତ୍ରକୁ ପ୍ରମାଣିତ କରୁଛି। ଏତେବଡ଼ ଅପରାଧ ଘଟିଥିଲେ ମଧ୍ୟ ସମ୍ପୃକ୍ତ ଆଇପିଏସ୍ ଅଧିକାରୀଙ୍କୁ କେବଳ ପୋଲିସ ମୁଖ୍ୟାଳୟକୁ ପ୍ରତ୍ୟାହାର ଏବଂ ଅନ୍ୟମାନଙ୍କୁ ନିଲମ୍ବନ କିମ୍ବା ବଦଳି ହିଁ କରି ଦିଆଯାଇଛି। ଅଥଚ ‘ମାର ମାର ଭଣ୍ଡାରିଆକୁ ମାର’ ନୀତିରେ ଉପର ଅଧିକାରୀଙ୍କୁ ଖସାଇବାକୁ ଉଦ୍ୟମ କରାଯାଉଥିବା ବେଳେ କେବଳ ସେଠାରେ କାର୍ଯ୍ୟରତ ଜନୈକ ତଳିଆ କର୍ମଚାରୀ ବା ହୋମଗାର୍ଡ଼କୁ ହିଁ ଚାକିରୀରୁ ବହିଷ୍କାର କରାଯାଇଛି। ଥାନା ହାଜତରେ ହତ୍ୟା ପରି ଏକ ଜଘନ୍ୟ ଅପରାଧର ଆସାମୀମାନଙ୍କୁ ଏଯାଏଁ ଗିରଫ ନକରି ରାଜ୍ୟର ବିଜେପି ସରକାର ନିଜର ଅପାରଗତା ପ୍ରଦର୍ଶନ କରିଛନ୍ତି, ଯାହାକି ଆଗାମୀ ଦିନରେ ଏଭଳି ହାଜତ ହିଂସା ଓ ହତ୍ୟା ପାଇଁ ଉତ୍ସାହିତ କରିବାର ସମ୍ଭାବନା ରହିଛି। ଅପରାଧ ମୁକାବିଲା ଓ ଆଇନ ଶୃଙ୍ଖଳା ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଅପରାଧ ରେକର୍ଡ଼ ଛୁଇଁଛି। ମହିଳାଙ୍କ ବିରୁଦ୍ଧରେ ହିଂସା ଅପରାଧରେ ଆମ ରାଜ୍ୟ ଏବେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। କବିସୂର୍ଯ୍ୟନଗର ଠାରୁ ଆରମ୍ଭ କରି ବାରଙ୍ଗ, ତାଳଚୂଆ ପରି ରାଜ୍ୟର ଥାନା ଗୁଡ଼ିକରେ ଯେଉଁ ନିର୍ଯ୍ୟାତନା ଓ ହିଂସାର ଘଟଣା ସବୁ ଦେଖିବାକୁ ମିଳିଛି, ସେଥିରୁ ପୋଲିସର ଅପରାଧି ଚେହେରାଟି ଉଜାଗର ହେଉଛି। ଯଦି ଏସବୁ ଘଟଣାରେ ସରକାର ଆଖିଦୃଶ୍ରିଆ ତଥା ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବେ ନି ତାହେଲେ ରାଜ୍ୟର ଥାନାଗୁଡ଼ିକ ଗୋଟିଏ ଗୋଟିଏ ଯାତନା ଗୃହରେ ପରିଣତ ହୋଇଯିବା ସହ ଆଇନର ଶାସନ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ତୁଟିଯିବା ନିଶ୍ଚିତ ଅଟେ।
କବିସୂର୍ଯ୍ୟନଗର ଥାନାରେ ସୁଶାନ୍ତ ସାହୁଙ୍କ ହାଜତ ନିର୍ଯ୍ୟାତନା ଓ ହତ୍ୟା ଘଟଣାରେ ଆମେ ନିମ୍ନଲିଖିତ ଦାବି ଉପସ୍ଥାପିତ କରୁଛୁ।
୧) ମୃତ ସୁଶାନ୍ତ ସାହୁଙ୍କୁ ବେଆଇନ ଭାବେ ଅଟକ ରଖି ଅକଥନୀୟ ନିର୍ଯ୍ୟାତନା ଦେଇ ଶେଷରେ ତାଙ୍କୁ ହତ୍ୟା କରିବା ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ହେଉ। ଅପରାଧରେ ସମ୍ପୃକ୍ତ ଥିବା ଆଇପିଏସ୍ ଅଧିକାରୀ ନିତେଶ ମିଶ୍ର ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ହତ୍ୟା ମାମଲାରେ ଗିରଫ କରାଯାଉ।
୨) ତଦନ୍ତକୁ ବାଟମାରଣା କରି ଅପରାଧିଙ୍କୁ ସୁରକ୍ଷା ଦେବା ପାଇଁ ମୃତ ସୁଶାନ୍ତ ସାହୁଙ୍କ ପରିବାର ଉପରେ ଚାପ ପକାଉଥିବା ପୋଲିସ ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯାଉ।
୩) ମୃତ ସୁଶାନ୍ତ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତ ଥିଲେ ଏବଂ ତାଙ୍କୁ ମାସିକ ୩୫୦୦ ଟଙ୍କା ଭିନ୍ନକ୍ଷମ ଭତା ମିଳୁଥିଲା। ବର୍ତମାନ ତାଙ୍କରି ମୃତ୍ୟୁ ପରେ ତାଙ୍କର ପରିବାରଟି ବେସାହାରା ହୋଇଯାଇଥିବାରୁ ପରିବାରର ଜଣକୁ ସରକାରୀ ଚାକିରୀ ପ୍ରଦାନ କରାଯାଉ।
୪) ମୃତ ସୁଶାନ୍ତ ସାହୁଙ୍କ ପରିବାରକୁ ସର୍ବନିମ୍ନ ୫୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଉ।
୫) ଥାନା ହାଜତରେ ନିର୍ଯ୍ୟାତନା ଓ ହିଂସାର ଅନ୍ୟାନ୍ୟ ଘଟଣାକୁ ରୋକିବାକୁ ଥାନାରେ ସିସିଟିଭିକୁ ଲଗାଯାଉ ଏବଂ ଏକ ନିର୍ଦ୍ଧିଷ୍ଟ ବ୍ୟବଧାନରେ ଉପର ଅଧିକାରୀଙ୍କ ଦ୍ୱାରା ତା’ର ଯାଂଚ କରାଯାଉ।
