ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ( ୦୫/୦୪):ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥ ପୁର ଠାରେ ଅବସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟା ମନ୍ଦିରର ନବ ନିର୍ମିତ କୋଠାକୁ ଉଦ୍ଘଟାନ କରିଥିଲେ । ଏତଦ୍ ବ୍ୟତୀତ ଅନୁଷ୍ଠିତ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷା ଶ୍ରୀ ମତି ଶର୍ମିଷ୍ଠା ପ୍ରଧାନ , , ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସିମ୍ ଇଣ୍ଡଷ୍ଟ୍ରି ଲିମିଟେଡର ମୁଖ୍ୟ ପରିଚାଳକ ଶ୍ରୀ ଅଜୟ ଗୁପ୍ତା, ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ନିରଜା ପଟ୍ଟନାୟକ, ଆଡ ଲାଇଫ ହସ୍ପିଟାଲ,ବ୍ରହ୍ମପୁରର ପ୍ରତିଷ୍ଠାତା ଡାକ୍ତର ଶ୍ରୀମତି ଦୀପିକା ପାଢ଼ୀ, ବ୍ରହ୍ମପୁର ସମ୍ ହସ୍ପିଟାଲ୍ ହୃଦ ରୋଗ ବିଶେଷଜ୍ଞ ଡାକ୍ତର ବଦ୍ରୀ ଦଣ୍ଡପାଣି, ଅନସ୍ଲୋ ହାଇସ୍କୁଲ୍ ,ଛତ୍ରପୁରର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ରାମଗଡ଼ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ବେହେରା , ସମାଜସେବୀ ଶ୍ରୀ କମଳ ପଣ୍ଡା , ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ହୁମ୍ମା ସଲ୍ଟ କଲେଜ ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ରଥ ଯୋଗ ଦେଇ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଶୃଙ୍ଖଳା ଓ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଇତ୍ୟବସରରେ ବିଦ୍ୟାମନ୍ଦିର ମୁଖପତ୍ର ” ନରେନ୍ -୨୦୨୬” ଉନ୍ମୋଚନ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ଵାଳ ସଭାପତି ଭାବେ ସମସ୍ତଙ୍କୁ ଆବାହନ ପୂର୍ବକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସଭାର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥ ଓ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ଉଦ୍ବୋଧନୀ ସଙ୍ଗୀତ ଗାନ କରା ଯାଇ ଥିଲା ।ସମାଜ ଓ ବିଦ୍ୟାଳୟ ଉନ୍ନତି ସକାଶେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷ ଯଥା ପ୍ରଧାନ ଶିକ୍ଷକ ଶ୍ରୀ ମନ୍ମଥ ନାହାକ, ଜଗନ୍ନାଥ ଚିତ୍ରଶିଳ୍ପୀ ଶ୍ରୀ ସୁଦାମ ମହାରଣା, ଚାଷୀ ଶ୍ରୀ ଭାସ ସାହୁ, ଦନ୍ତପୁର ଗବେଷକ ଶ୍ରୀ ଅଶୋକ କୁମାର ସାହୁ, ସାମ୍ବାଦିକ ଶିଶିର କୁମାର ପ୍ରଧାନ, ସୁନୀଲ କୁମାର ପ୍ରଧାନ ଓ ବିଦ୍ୟାଳୟ ସ୍ତରରେ କରାଯାଇଥିବା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ମାନ ପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା। ସଭା ଶେଷରେ ସମାଜସେବୀ ,ପ୍ରତିଷ୍ଠାତା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ପରେ ସନ୍ଧ୍ୟାରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ଓ ଏହା ବେଶ୍ ଚିତ୍ତାକର୍ଷକ ଥିଲା । ଉଭୟ କାର୍ଯ୍ୟକ୍ରମକୁ ରେଷ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ସ୍ବସ୍ତି ସୁନ୍ଦର ସିୟ ସୁନ୍ଦର ଭାବେ ସଞ୍ଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତି ସସ୍ମିତା ମହାରଥୀ, ଶ୍ରୀ ଦିବ୍ୟ ଭାସ୍କର ପଣ୍ଡା , ଶ୍ରୀ ତ୍ରିଲୋଚନ ଜେନା, ଶ୍ରୀ ଦେବାଶିଷ ବେହେରା, ଶ୍ରୀ ରଞ୍ଜନ ନାହାକଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁ ମା ଓ ବିଦ୍ୟାଳୟ କର୍ମଚାରୀ ବୃନ୍ଦ ସକ୍ରିୟ ସହଯୋଗ କରିଥିଲେ ।
