April 28, 2026

ଡକାୟତି ସହ ଆକ୍ରମଣ ଅଭିଯୋଗ, ଜଣେ ଗିରଫ, ବାଇକ୍ ଓ ମୋବାଇଲ ଜବତ 

IMG-20260305-WA0044
Share

 

ବୁଗୁଡା : ତା ୦୫/୦୩/୨୬ : ବୁଗୁଡ଼ା ଥାନା ଅନ୍ତର୍ଗତ ଗହଙ୍ଗୁ ଗାଁର କଟାଶି ବନ୍ଧ ନିକଟରେ ଗତ ସପ୍ତାହରେ ଘଟିଥିବା ଡକାୟତି ଏବଂ ଆକ୍ରମଣ ଘଟଣାରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଡକାୟତ ଜଣକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମର ଜୟରାମ ବରାଡଙ୍କ ପୁଅ ଅମିତ ବରାଡ (୨୬)। ଏ ନେଇ ସୋରଡା ଥାନା ଅନ୍ତର୍ଗତ ତୁରୁତୁରି ଗ୍ରାମର ଦେବାଶିଷ ନାୟକ ଓ ଆଦିପୁର ଗ୍ରାମର ପ୍ରତିମା ନାୟକଙ୍କ ଅଭିଯୋଗ କ୍ରମେ ବୁଗୁଡା ଥାନାରେ କେସ୍ ନଂ ୯୪/୨୬ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଗତ ଫେବୃୟାରୀ ୨୮ ତାରିଖ ଅପରାହ୍ନରେ ପୁତୁରା ଦେବାଶିଷ ଓ ପିଉସୀ ପ୍ରତିମା ବାଇକରେ ଯାଉଥିବା ବେଳେ ପୂର୍ବରୁ ତାଙ୍କୁ ପିଛାକରୁଥିବା ଏକ ଅଜ୍ଞାତ ଡକାୟତ ଦଳ ଗହଙ୍ଗୁ ଗ୍ରାମର କଟାଶ ବନ୍ଧ ନିକଟରେ ହଠାତ୍ ଆକ୍ରମଣ କରି ପ୍ରତିମାଙ୍କ ବେକରୁ ସୁନା ଚେନ୍ ଓ ନାନୁ ଝାମ୍ପିକରି ଘଟଣା ସ୍ଥଳରୁ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଏ ଖବର ପାଇ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଏସଡିପିଓଙ୍କ ତତ୍ତ୍ବାବଧାନରେ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ବାଲିପଦର ଫାଣ୍ଡି ଅଧିକାରୀ କେ.ନିଳାଦ୍ରୀ ରେଡି, କନଷ୍ଟେବଲ ଉମେଶ କୁମାର ଗୌଡ ଏବଂ ଅନ୍ୟ କେତେକ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠିତ ହୋଇ ଘଟଣାର ତୁରନ୍ତ ତଦନ୍ତ ଅଭିଯାନ ଆରମ୍ଭ ହୋଇଥିଲା। ତଦନ୍ତ କାଳରେ ପୋଲିସ ଟିମ୍ ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରି ସମ୍ପୃକ୍ତ ଡକାୟତ ଦଳର ଅମିତଙ୍କୁ କାବୁକରି ଗିରଫ କରିବା ସହ ତା’ଠାରୁ ଏକ ବାଇକ୍ ଓ ମୋବାଇଲ ଫୋନ ଜବତ କରିଥିଲେ। ତେବେ ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଅନ୍ଯ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ଯମ ଜାରି ରଖିଥିବା ଜଣାଯାଇଛି।