March 8, 2026

ଗୋଲିଆ ଗାଁ ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ 

IMG-20260103-WA0057
Share

 

ବୁଗୁଡ଼ା : ତା ୦୩/୦୧/୨୬ : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗାଁ ଛକରେ ସଂଘବଦ୍ଧ ଆକ୍ରମଣରେ ଜନୈକ ଯୁବକ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଥିବା ଜଣାଯାଇଛି। ଗୁରୁତର ଯୁବକ ଜଣକ ହେଲେ ଗୋଲିଆ ଗାଁ ତେଲୁଗୁ ସାହିର ଗଣେଷ ମହାପାତ୍ର। ଘଟଣାରୁ ପ୍ରକାଶ ଯେ, ଗତ ଶୁକ୍ରବାର ରାତି ୮ଟା ସମୟରେ ଗଣେଷ ଗାଁ ଛକର ଏକ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ବେଳେ କିଛି ଦୁର୍ବୃତ୍ତ ସଂଘବଦ୍ଧ ହୋଇ ତାଙ୍କୁ ଫାର୍ସା ଓ ଲୁହାରଡ ବ୍ଯବହାର ସାଙ୍ଗକୁ ପଥର ଛେଚି ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଆହତ ଗଣେଷକୁ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ । ଆକ୍ରମଣରେ ତାଙ୍କର ବାମ ଗୋଡ ଓ ହାତ ଭାଙ୍ଗିଥିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।ପୋଲିସ କୌଣସି ସୂତ୍ରରୁ ଖବର ପାଇ ମେଡିକାଲ ଏବଂ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏ ନେଇ ଶନିବାର ଦିନ ଗଣେଷଙ୍କ ମାଆ ଶାନ୍ତି ମହାପାତ୍ର ସଂଘବଦ୍ଧ ଆକ୍ରମଣରେ ଜଡିତ ଥିବା ପୂର୍ଣଚନ୍ଦ୍ର ପୋଲେଇ, ସୁନିଲ ପ୍ରଧାନ, ରୂପକ ସେଠୀ, ଦୁତିକୃଷ୍ଣ ପୋଲେଇ, ଜିଗଲ ବିଷୋୟୀ, ମହେଶ୍ବର ଜେନା, ବିକାଶ ସାମଲ, ଭଗବାନ ଓଝା, ରୁଦ୍ର ସ୍ବାଇଁ, ସୋମନାଥ ଗୌଡ, ସନ୍ଯାସୀ ନାହାକ, ଓମ୍ ସ୍ବାଇଁ ଓ ଶୁଭମ୍ ସ୍ବାଇଁ ନାମରେ ବୁଗୁଡା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।