ଶ୍ରମିକ ବଦଳରେ ମେସିନ୍ କରୁଛି ମନରେଗା କାମ
ଶ୍ରମିକ ବଦଳରେ ମେସିନ୍ କରୁଛି ମନରେଗା କାମ
ହାଟଡ଼ିହି, ୦୮/୦୫
ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ୍ତ ପରିବାର ର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାର୍ଷିକ ୧୦୦ ଦିନର କାର୍ଯ୍ୟ ଯୋଗାଇ ନିଯୁକ୍ତି ସୃଷ୍ଟି କରୁଛନ୍ତି । ଜବ-କାର୍ଡ଼ ଧାରୀ ମାନେ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଫର୍ମ-ଖ-୧ ଅନୁଯାଇ ନିଜ ନାମ ପଞ୍ଜୀକରଣ କରିବା ପରେ ସରକାରୀ କର୍ମଚାରୀମାନେ ସେମାନଙ୍କୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜନ କରିବାର ନିୟମ ରହିଛି । କିନ୍ତୁ, ଶ୍ରମିକ କାମ ନପାଇ ଘରେ ହାତବାନ୍ଧି ବସି ରହୁଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମନରେଗା ଯୋଜନାରେ ମେସିନ୍ ସାହାଯ୍ୟରେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି । ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟକୁ ମେସିନ୍ ସାହାଯ୍ୟରେ କରି ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ସରକାରୀ ଅର୍ଥକୁ ହଡ଼ପ୍ କରୁଛନ୍ତି । ମେସିନ୍ ସାହାଯ୍ୟରେ କାର୍ଯ୍ୟକରି ସରକାରୀ ଅର୍ଥକୁ ଜବକାର୍ଡ଼ ଧାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇ ପରବର୍ତ୍ତୀ ସମୟରେ ଠିକାଦାର ମାନେ ଉକ୍ତ ଅର୍ଥକୁ ଉଠାଇନେଉଛନ୍ତି । ବିଭିନ୍ନ ସମୟରେ ଗରିବ ଶ୍ରମିକମାନଙ୍କ ଠାରୁ କିଛି ଅର୍ଥ ବ୍ୟୟରେ ଜବକାର୍ଡ଼ ବନ୍ଧକ ରଖି ସରକାରୀ ଅର୍ଥ ଲୁଟ୍ ର ଅଭିଯୋଗ ଆସୁଛି । ସମାନ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅନ୍ତର୍ଗତ ସମଣା ପଞ୍ଚାୟତର ଚାପୁଣ୍ଡିଆ ଗ୍ରାମରେ । ସୂଚନା ଥାଉକି ଚଳିତ ଆର୍ଥିକ ବର୍ଷରେ ଚାପୁଣ୍ତିଆ ଗ୍ରାମର ଏକ ଖେଳ ପଡ଼ିଆର ଜମି ଉନ୍ନତି କରଣ ନିମନ୍ତେ ଗ୍ରାମ ପଞ୍ଚାୟତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା, ଯାହାର କୋଡ଼ ନଂ ହେଉଛି ୨୪୦୩୦୦୯୦୨୭/ଏଲଡ଼ି/୧୦୭୪୨୧୮୯ । ଏହି ପ୍ରକଳ୍ପ ପାଇଁ ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ନିୟୋଜିତ କରିବା ସହ କାର୍ଯ୍ୟ କରୁଥିବା ବିଭାଗ, ବ୍ୟୟ ଅଟକଳ, କାର୍ଯ୍ୟ ଆରମ୍ଭ ଓ ଶେଷ , ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଉଥିବା ଦୈନିକ ମଜୁରୀ ସମ୍ପର୍କିତ ତଥ୍ୟ ଉଲ୍ଲେଖ କରିବାର ନିୟମ ରହିଛି । କିନ୍ତୁ, ବିନା ସୂଚନା ଫଳକରେ ଏହି ଖେଳ ପଡ଼ିଆର ଜମି ଉନ୍ନତି କରଣ ନିମନ୍ତେ ପ୍ଲଟ ନଂ ୫୨୬ ଖାତା ନଂ ୧୩୧ ଗ୍ରାମ୍ୟ ଜଙ୍ଗଲ କିସମର ଜମିରୁ ଜେସିବି ସାହାଯ୍ୟ ମାଟି ଖନନ କରାଯାଇ ୬-୭ ଟ୍ରାକ୍ଟର ଦ୍ବାରା ଉକ୍ତ ଖେଳ ପଡିଆରେ ମାଟି ପକାଯାଇଥିଲା । ମେସିନ୍ ଦ୍ବାରା ଖେଳ ପଡିଆର ଉନ୍ନତି କରଣ କାର୍ଯ୍ୟ ହେଉଥିବାରୁ ଗ୍ରାମର ରବିନ୍ଦ୍ର ନାୟକ, ବାଇଧର ଜେନା, ରଞ୍ଜନ ସାହୁ, ସୁରେନ୍ଦ୍ର ନାୟକ, ରତ୍ନାକର କବି, ମାନସ ରଞ୍ଜନ କବି, ବିପିନି ନାୟକ ଙ୍କ ସମେତ ଶତାଧିକ ଜର୍ବକାର୍ଡଧାରି ଏହାର ପ୍ରତିବାଦ କରିବା ସହ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି । ଉନ୍ନତି ମୂଳକ କାଯ୍ର୍ୟ ଗୁଡିକରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର କରି ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ଜବକାର୍ଡ ଖୋଲାଯାଇ ଅସାଧୁ ଉପାୟରେ ବିଲ୍ କରାଯାଉଛି । ଏଭଳି ବେଆଇନ କାର୍ଯ୍ୟ ବିରୁଦ୍ଧରେ ପଞ୍ଚାୟତବାସୀ ଆନ୍ଦୋଳନ କରିବାପାଇଁ ଚେତାବନୀ ଦେଇଛନ୍ତି ।
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।