March 10, 2026

ଜିଲ୍ଲା ସ୍ତରୀୟ ସାଇବର ଅପରାଧ ନିରାକରଣ ଓ ଏହାର ନିରାପତ୍ତା, ସଚେତନତା, ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ

IMG-20251124-WA0080
Share

 

 

ଛତ୍ରପୁର ତା ୨୪/୧୧/୨୫(ଅରୁଣ କୁମାର ପଣ୍ଡା )ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସାଇବର ଅପରାଧ ନିରାକରଣ ଓ ଏହାର ନିରାପତ୍ତା, ସଚେତନତା, ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଦେଶରେ ମହିଳା ଓ କିଶୋରୀ ମାନଙ୍କୁ ସଶକ୍ତିକରଣ କରିବା ଓ ସ୍ବାବଲମ୍ବୀ କରିବା ନିମନ୍ତେ ସରକାର ଶିକ୍ଷା କ୍ଷେତ୍ରରେ, ସ୍ବାସ୍ଥ୍ୟ କ୍ଷେତ୍ରରେ, ଆର୍ଥିକ କ୍ଷେତ୍ରରେ ଓ ରାଜନୈତିକ କ୍ଷେତ୍ରରେ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ଏହି ତାଲିମ୍ ଶିବିରରେ ଅଧ୍ୟକ୍ଷତା କରି କହିଥିଲେ । ଶିଶୁ କନ୍ୟାମାନଙ୍କ ଶିକ୍ଷା, ମହିଳା ମାନଙ୍କୁ ନିଜ ଅଧିକାର ଏବଂ ସୁବିଧା ସୁଯୋଗ, ସାଇବର ଅପରାଧ ଓ ଏହାର ନିରାକରଣ ଉପରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ତାଲିମ୍ ଶିବିରର ମୂଳ ଉଦ୍ଦେଶ୍ୟ ।

ଏହି ତାଲିମ୍ ଶିବିର କାର୍ଯ୍ୟକ୍ରମରେ ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସୋରେନ୍ ଯୋଗଦେଇ କହିଥିଲେ ଯେ, ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ମହିଳା ସଶକ୍ତିକରଣ ହବ୍, ସମାଜରେ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ ସମସ୍ତଙ୍କୁ ସଚେତନ କରାଇଥିଲେ ।

ଛତ୍ରପୁର ସାଇବର ସେଲ୍ ସହକାରୀ ସବ୍ ଇନିସ୍ପେକ୍ଟର କିରଣ ଚନ୍ଦ୍ର ପାତ୍ର ଯୋଗଦେଇ ସାଇବର ଅପରାଧର ମାଧ୍ୟମ ଓ ଏହାର ନିରାକରଣ, ପ୍ରକାରଭେଦ ଓ ଏଥିରୁ କିପରି ନିଜର କଷ୍ଟଲବ୍ଧ ସଞ୍ଚିତ ଅର୍ଥକୁ ସୁରକ୍ଷିତ ରଖିପାରିବେ ସେବିଷୟରେ ସୁବିସ୍ତୃତ ବୁଝାଇଥିଲେ । ଜନସାଧାରଣ ଲୋଭର ବଶବର୍ତ୍ତି ହୋଇ କିମ୍ବା ଭୟ ଯୋଗୁଁ ସାଧାରଣତଃ ସାଇବର ଠକେଇର ଶିକାର ହୋଇଥାଆନ୍ତି । କିଶୋରୀ ବାଳିକା ଓ ମହିଳା ମାନଙ୍କୁ ଅନ୍ ଲାଇନ୍ ଅପରାଧ ଓ ଠକେଇରୁ ଦୂରେଇ ରହିବା ପାଇଁ ପ୍ରବର୍ତ୍ତାଇଥିଲେ । ତତ୍ ସହିତ ଅନ୍ ଲାଇନ୍ ଗେମ୍, ୟୁଆରଏଲ, ଓଏଲଏକ୍ସ, ଏପିକେ ଲିଙ୍କ ଜରିଆରେ ହେଉଥିବା ପ୍ରଲୋଭନ ଜନିତ ଠକେଇରୁ ନିରାପଦ, ସାଇବର ଠକେଇର ଶିକାର ହେଲେ ଏକ ଘଣ୍ଟା ମଧ୍ୟରେ ୧୯୩୦ କୁ କଲ୍ କରି କିମ୍ବା ସାଇବର ଅପରାଧ ସହାୟତା କେନ୍ଦ୍ର କୁ https://cybercrime.gov.in/ ଓ୍ବେବ୍ ସାଇଟ୍ ରେ ଅନଲାଇନ୍ ଅଭିଯୋଗ ଦାଖଲ କରି ସମସ୍ତ ତଥ୍ୟ ଜଣାଇବା ଉଚିତ୍ ବୋଲି ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ ।

ପ୍ରାରମ୍ଭରେ ଜିଲ୍ଲା ମହିଳା ସଶକ୍ତି କରଣ ହବ୍ ର ଜିଲ୍ଲା ସଂଯୋଜିକା ଗୀତାଞ୍ଜଳୀ ମହାରଣା ସମସ୍ତଙ୍କୁ ସ୍ହାଗତ କରିବା ସହ ଏହି ତାଲିମ୍ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ବୁଝାଇବା ସହ ପରିଚାଳନା କରିଥିଲେ । ଶେଷରେ ବେଟି ବଚାଓ ବେଟି ପଢାଓ ସ୍କିମ୍ ର ଲକ୍ଷ୍ଯ ଓ ଏହାର ଉଦ୍ଦେଶ୍ୟ ବିଷୟରେ ପ୍ରାଞ୍ଜଳ ଭାବେ ଉପସ୍ଥାପନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଲିଙ୍ଗଗତ ଅନୁପାତ ୧୦୦୦ ରେ ୮୭୦ ଥିବା ଜଣା ପଡିଥିବା ପ୍ରକାଶ କରିଥିଲେ। କନ୍ୟା ଭୃଣହତ୍ୟା ଓ ଯୌତୁକ ନିର୍ଯାତନା ରୋକିବା ନିମନ୍ତେ ଉପସ୍ଥିତ ସମସ୍ତଙ୍କୁ ବୁଝାଇବା ସହ ଏହାର ପ୍ରଚାର ପ୍ରସାର କରି ଜନ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ଜଣାଶୁଣା କଳାକାର ତଥା ଶିକ୍ଷକ ପ୍ରିତିରଞ୍ଜନ ପ୍ରଧାନ ସାଇବର ଠକେଇ ବିଷୟରେ ଆଲୋକପାତ କରିଥିଲେ ।

ବେଟୀ ବଚାଓ ବେଟୀ ପଢାଓ ଯୋଜନା ଅଧିନରେ ଜିଲ୍ଲା ସ୍ତରରେ ଡିଜିଟାଲ୍ ଚମ୍ପିୟନ ହୋଇଥିବାରୁ ରଙ୍ଗେଇଲୁଣ୍ଡା ବ୍ଲକ୍ ର ମିସ୍ ପ୍ରିୟାଂଶୀ ପାଢୀ, ମିସ୍ ଶିବାଙ୍ଗୀ ପ୍ରଧାନ (ମାଙ୍କେ), ପୁରୁଷୋତ୍ତମପୁର ବ୍ଲକ୍ ର ମିସ୍ ଶିବାନୀ ପ୍ରଧାନ ଓ ହିଞ୍ଜିଳିକାଟୁ ବ୍ଲକ୍ ର ମିସ୍ ସ୍ନେହାରାଣୀ ଗୌଡଙ୍କୁ ସମ୍ମାନୀତ କରାଯାଇଥିଲା ।

ବୈଠକରେ ସମସ୍ତ ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ୍ ଅଫିସର, ଜିଲ୍ଲା ଲିଙ୍ଗ ବିଶେଷଜ୍ଞ ସମ୍ବଳ, ସାମର୍ଥ୍ୟ ଓ ଆର୍ଥିକ ସାକ୍ଷରତା, ଶିକ୍ଷା ବିଭାଗର ସହକାରୀ ଶିକ୍ଷାଧିକାରୀ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସ୍ତରୀୟ ଓ ଛତ୍ରପୁର ବ୍ଲକ୍ ସ୍ତରୀୟ ଅଧିକାରୀ ଗଣ, ସମସ୍ତ ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଗଣ, ପିଆରଆଇ ମେମ୍ବର୍ସ, ଶିକ୍ଷକଗଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଗଣ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମହିଳା ସଶକ୍ତିକରଣ ହବ୍ ର କର୍ମକର୍ତ୍ତାଙ୍କ ସହଯୋଗରେ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା