କୋତମେର ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା।

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଟିପିଗୁଡା ପଞ୍ଚାୟତ ଅଧିନସ୍ଥ କୋତମେର ଗ୍ରାମ,ଓଡିଶା ଓ ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ। ଏହି ଗ୍ରାମର ପୁରୁଣା ଓ ପ୍ରମୁଖ ସମସ୍ୟା ହେଲା ବିଶୁଦ୍ଧ ପାନୀୟ ଜଳ। ପ୍ରାୟ ୨OOO ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଠ ଏହି ଗ୍ରାମରେ ମୋଟ ୩ଟି ସରକାରୀ ନଳକୂପ ଥିବାବେଳେ, ସେଥିମଧ୍ୟରୁ ଗୋଟିଏ ନଳକୂପ ଦୀର୍ଘଦିନରୁ ଅଚଳ ଅବସ୍ଥାରେ ଥିବାବେଳେ, ମାତ୍ର ୨ଟି ନଳକୂପ ଉପରେ ସମ୍ପୂର୍ଣ ଗ୍ରାମବାସୀ ନିର୍ଭରଶୀଳ। ସକାଳ ପାଇଲେ ପାଣି ପାଇଁ ଗ୍ରାମର ସ୍ତ୍ରୀ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ। ସେଥିରେ ପୁଣି ନଳକୂପରୁ ବାହାରୁଥିବା ପାଣିରେ ଫ୍ଲୋରାଇଡର ମାତ୍ରା ଅଧିକ ଥିବାରୁ, ଏହି ଜଳ ବ୍ୟବହାର କରି ଗ୍ରାମର ଅନେକ ଲୋକ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ସାରିଲେଣି।
ପ୍ରକାଶ ଥାଉକି ସରକାରଙ୍କ ଜଳ ଜୀବନ ମିଶନ ଜରିଆରେ ଗତ ୨O୨O ମସିହାରୁ ଏହି ଗ୍ରାମରେ ଓଭରହେଡ଼ ଟେଙ୍କ ନିର୍ମାଣକାର୍ଯ୍ୟ ଆରମ୍ଭ କରାଯାଇଥିଲା ଓ ୨O୨୪ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏଥିସହ ସମଗ୍ର ଗ୍ରାମରେ ପାଇପ ବିଛାଯାଇ ପ୍ରତ୍ୟେକ ଘରକୁ ସଂଯୋଗ କରାଯାଇଥିଲା। କିନ୍ତୁ ପାଇପ ସଂଯୋଗ କରି ପ୍ରାୟ ଏକ ବର୍ଷରୁ ହେବ ମାତ୍ର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ। ଏନେଇ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମବାସୀଙ୍କ ତରଫରୁ ଟିପିଗୁଡା ସରପଞ୍ଚ, ଧର୍ମଗଡ଼ ବି.ଡି.ଓ ତଥା ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ, ଫ୍ଲୋରାଇଡ ଯୁକ୍ତ ଜଳ ବ୍ୟବହାରର ପରିଣାମ ଓ ବିଶୁଦ୍ଧ ଜଳ ଯୋଗାଣ ଦାବିରେ ବାରମ୍ବାର ଲିଖିତ ଭାବରେ ଜଣାଇଥିବା ସତ୍ୱେ କୌଣସି ସୁଫଳ ନମିଳିବାରୁ, ହତାଶ ହୋଇ ଶେଷରେ ଗତ ସୋମବାର ଦିନ ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ କୋତମେର ଗ୍ରାମବାସୀ ଲିଖିତ ଓ ମୌଖିକ ଭାବରେ ଜିଲ୍ଲାପାଳଙ୍କୁ ଜଣାଇଥିବା ବେଳେ, ଏହି ଗମ୍ଭୀର ସମସ୍ୟାକୁ ନେଇ ଏପର୍ଯ୍ୟନ୍ତ ଖୋଦ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନନେବା, ଗ୍ରାମବାସୀଙ୍କୁ ଚକିତ କରିଥିବା ବେଳେ, ଗ୍ରାମବାସୀ ଜଣାଇଛନ୍ତି ଯେ’, କିଛିଦିନ ମଧ୍ୟରେ ଯଦି ଏହି ଗମ୍ଭୀର ସମସ୍ୟାର ସମାଧାନ ନହୁଏ, ତାହାହେଲେ ବାଧ୍ୟ ହୋଇ ଆନ୍ଦୋଳଣାତ୍ମକ ପନ୍ଥା ଗ୍ରହଣ କରାଯିବ।
