November 16, 2024

ଷଷ୍ଠ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ମା’ଙ୍କ ଘଟ ସଜ୍ଜିକରଣ ସହ ପରିକ୍ରମା , ବେଶଧାରୀ ସାଜିଛନ୍ତି ଆକର୍ଷଣ

Share


ବୁଗୁଡ଼ା : ତା ୦୧/୦୫/୨୩ : ମହାଆଡମ୍ବରରେ ଆୟୋଜିତ ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ଘଟ ସାଜସଜ୍ଜାକାରୀ ବସନ୍ତ ବେହେରାଙ୍କ ଦ୍ବାରା ଆକର୍ଷଣୀୟ ସୁମନ ସଜ୍ଜିତ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ସହରର ବିଭିନ୍ନ ସାହିରେ ମେଢ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେତେକ ସାହିରେ ଆଲୋକ ସଜ୍ଜିକରଣ ଆରମ୍ଭ ହୋଇଯାଇଥିବା ବେଳେ ବିଭିନ୍ନ ବେଶଧାରୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଝୁଣା ସେବା ଓ ୧୦୮ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ପାଞ୍ଚ ଜଣ ମାନସିକଧାରୀ ମହିଳା ରୀନା ସାହୁ , ଅଭୟନୀ ସାହୁ , ପୂର୍ଣ୍ଣବାସୀ ସାହୁ , ବୈଜୟନ୍ତୀ ଆପଟ , ସଂଯୁକ୍ତା ସାହୁ ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଆସ୍ଥାନରୁ ବାହାରି ବଳଦେବ ମନ୍ଦିର, ପୋଲସରା ରୋଡ, ମଦନ ମୋହନ ଛକ, ପରିବା ମାର୍କେଟ ରାସ୍ତା, ଶାସ୍ତ୍ରୀ ନଗର, ଷ୍ଟାଡିୟମ ପାର୍ଶ୍ୱ ଦେଇ ଅନ୍ନପୁର୍ଣ୍ଣା ନଗରର ଉଭୟ ପାର୍ଶ୍ଵ ଭ୍ରମଣ କରି ସାଇ ଶିଶୁ ମନ୍ଦିର ସାହି, ନୃସିଂହ ମନ୍ଦିର, ଦୋରା କଲୋନୀ, କାଳି ମନ୍ଦିର ସାହି, ମହିମା ନଗର, ଅମିତ୍ ନଗର ଭ୍ରମଣ କରି ବ୍ଲକ ଛକକୁ ବାହାରି ମୁଖ୍ୟ ସଡକରେ ପୋଲସରା ରୋଡ, ବଳଦେବ ମନ୍ଦିର ଦେଇ ଆସ୍ଥାନକୁ ଫେରିଥିଲେ । ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ସାହି ବାସିନ୍ଦାମାନେ ନିଜ ନିଜର ଘର ଆଗରେ ପୂଜା ସାମଗ୍ରୀ ଏବଂ ପୂର୍ଣ୍ଣ କୁମ୍ଭ ବାଢି ପ୍ରଦୀପ ପ୍ରଜ୍ବଳନ ସହକାରେ ଘଟଧାରିଣୀଙ୍କ ପାଦ ଧୌତ ପୂର୍ବକ ପଞ୍ଚ ଠାକୁରାଣୀଙ୍କ ସ୍ବାଗତ କରିଥିଲେ । ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ମା’ଙ୍କ ପୂଜା ମଣ୍ଡପ ନିକଟରେ ପୋଲିସ ସହାୟତା କେନ୍ଦ୍ର ଖୋଲା ଯାଇଛି.।