March 12, 2026

ବରିଷ୍ଠ ସାମ୍ବାଦିକ ପ୍ରଭାତ ମହାନ୍ତିଙ୍କ ପରଲୋକ ଅଖବାରନାମା ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧିଙ୍କ ପରଲୋକ

IMG-20250904-WA0006
Share

 

 

ଖୋର୍ଦ୍ଧା- (ପ୍ରିୟଙ୍କା ମହାପାତ୍ର) ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ଖୋର୍ଦ୍ଧା ଜିଲ୍ଲା ଶାଖାର ପୂର୍ବତନ ସଦସ୍ୟ, ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଉର୍ଦ୍ଦ୍ବୁ ଖବରକାଗଜ ଅଖବାରନାମାର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ପ୍ରଭାତ କୁମାର ମହାନ୍ତିଙ୍କର ବୁଧବାର ଭୋର୍‌ ସାଢେ ୫ଟା ସମୟରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କର ବିୟୋଗରେ ପରିବାରବର୍ଗଙ୍କ ସମେତ, ସାମ୍ବାଦିକ ଓ ଶୁଭେଚ୍ଛୁଙ୍କ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ମହାନ୍ତିଙ୍କ ବିୟୋଗ ଖବର ପାଇ ବହୁ ଗଣମାଧ୍ୟମର ପ୍ରତିନିଧି ଓ ଶୁଭେଚ୍ଛୁମାନେ ତାଙ୍କ ବାସଭବନକୁ ଯାଇ ତାଙ୍କର ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ। ପ୍ରକାଶ ଥାଉକି, ଜଣେ ଆଗଧାଡ଼ିର ସାମ୍ବାଦିକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶ୍ରୀ ମହାନ୍ତି ଅନୁପମ ଭାରତ ସମେତ କେତେକ ଓଡ଼ିଆ ଖବରକାଗଜରେ କାମ କରିବା ସହ ଦୀର୍ଘଦିନ ଧରି ଅଖବାରନାମାରେ ସାମ୍ବାଦିକତା କରି ଆସୁଥିଲେ। ଜଣେ ନିଷ୍ଠାପର ଓ ନିର୍ଭିକ ସାମ୍ବାଦିକ ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲେ। ପ୍ରଭୁ ଯୀଶୁଙ୍କ ଆଶ୍ରିତ ଶ୍ରୀ ମହାନ୍ତି ଜଣେ ସରଳ ଓ ନିରାଡମ୍ବର ବ୍ୟକ୍ତିତ୍ଵ ଥିଲେ। ସୂଚନାଯୋଗ୍ୟ, ଆଜି ଭୋର୍‌ ସମୟରେ ହଠାତ୍‌ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ତାଙ୍କର ପାର୍ଥିବ ଶରୀରକୁ ଖୋର୍ଦ୍ଧା ଖ୍ରୀଷ୍ଟିଆନ୍‌ ସାହି ସ୍ଥିତ ବାସଭବନକୁ ଅଣାଯାଇଥିଲା। ତାଙ୍କ ପାର୍ଥିବ ଶରୀର ନିକଟରେ ତାଙ୍କର ଧର୍ମପତ୍ନୀ, ପୁତ୍ର, ପୁତ୍ରବଧୂ, ଝିଅ, ଜ୍ବାଇଁ, ନାତି ଓ ନାତୁଣୀଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ଜିଲ୍ଲା ସଭାପତି ତପନ କୁମାର ନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ,ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟ,ଜିଲ୍ଲା ଉପସଭାପତି ସୟଦ ଅନସର ଅଲ୍ଲୀ,ସମ୍ପାଦକ ରାଜେଶ ମହାନ୍ତି ଓ ଅୟସ୍ କାନ୍ତ ମହାନ୍ତି ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ସଂଘ ପକ୍ଷରୁ ତାଙ୍କ ମର ଶରୀରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଅମର ଆତ୍ମାର ସଦଗତି ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି। ଆସନ୍ତାକାଲି ଗୁରୁବାର ଦିନ ସକାଳ ୯ଟା ସମୟରେ ଖ୍ରୀଷ୍ଟିଆନ୍‌ ରୀତିନୀତି ଅନୁଯାୟୀ କବର ଦେବା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।