July 1, 2026

ରାଜ୍ୟ ବିଜେପି ସଭାପତି ନିର୍ବାଚନ ସ୍ଥଗିତ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ବି ସ୍ଥଗିତ..

IMG-20250630-WA0013
Share

 

 

ପୁରୀରେ ଦଳାଚକଟା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ଏଭଳି ଅଘଟଣ ପାଇଁ ସୋମବାରଠାରୁ ହେବାକୁ ଥିବା ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ନିର୍ବାଚନକୁ ସ୍ଥଗିତ ରଖିଛି ବିଜେପି । ଏହି ଘଟଣା ପାଇଁ ଆମେ ମର୍ମାହତ । ଏଥିପାଇଁ ନିର୍ବାଚନକୁ ସ୍ଥଗିତ ରଖୁଛୁ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।

 

ସେ କହିଛନ୍ତି, ପୁରୀରେ ଯେଉଁ ଦୁର୍ଘଟଣା ଘଟିଲା ଏହା ଆମକୁ ବ୍ୟଥିତ କରିଛି । ଏଥିପାଇଁ ପୂର୍ବ ନିର୍ଦ୍ଧାରିତ ସାଂଗଠନିକ ନିର୍ବାଚନକୁ ସ୍ଥଗିତ ରଖୁଛୁ । ସମସ୍ତ ନିର୍ବାଚନ ପ୍ରକ୍ରିୟାକୁ ଏବେ ପାଇଁ ସ୍ଥଗିତ ରଖାଗଲା । ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରି ପୁଣି ଥରେ ତାରିଖ ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।

 

ରବିବାର ଦିନ ୧୧ଟାରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପାଇଁ ନୋଟିସ ଜାରି ହୋଇଥିଲା । ଚୂଡ଼ାନ୍ତ ମତଦାତାଙ୍କ ତାଲିକା ବି ପ୍ରକାଶ ପାଇଥିଲା । ଏହି ମତଦାତାମାନେ ହିଁ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୋଟ୍‌ ଦେବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ମତଦାତାଙ୍କ ଭିତରେ ସାଂଗଠନିକ ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟଙ୍କ ସମେତ ୧୦% ବିଧାୟକ ଓ ସାଂସଦ ଥିଲେ । ଦଳୀୟ ସମ୍ବିଧାନ ଅନୁସାରେ ମତଦାତା ତାଲିକା ପ୍ରସ୍ତୁତ ହୋଇଥିଲା ।

 

ରାଜ୍ୟ ସଭାପତି ପଦ ପାଇଁ ସୋମବାର ଦିନ ୧୧ଟାରୁ ୨ଟା ଭିତରେ ନାମାଙ୍କନପତ୍ର ଦାଖଲ କରିହେବ ବୋଲି ନୋଟିସରେ କୁହାଯାଇଥିଲା। ସେହିଭଳି ଅପରାହ୍ନ ୨ଟାରୁ ୩ଟା ଭିତରେ ଆପତ୍ତି ଅଭିଯୋଗର ଯାଞ୍ଚ ପରେ ଅପରାହ୍ନ ୪ଟାରେ ଚୂଡ଼ାନ୍ତ ନାମାଙ୍କନ ତାଲିକା ପ୍ରକାଶ ପାଇଥାଆନ୍ତା । ଜୁଲାଇ ୧ରେ ମତଦାନ ବା ଭୋଟିଂ ହେବାର ଥିଲା । ସେହିଦିନ ସାଢ଼େ ୧୨ଟା ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ପୁରୀ ଅଘଟଣ ପାଇଁ ଏହାକୁ ସନ୍ଧ୍ୟାରେ ହଠାତ ସ୍ଥଗିତ ରଖାଯାଇଛି ।

You may have missed