September 25, 2026

ସୃଜନ ଦୁନିଆଁ ର ପ୍ରେରଣା ପ୍ରତି କାହାର ନଜର ନାହିଁ ଓଡ଼ିଆ ଅସ୍ମିତା ର ହଜୁଛି ପରିଚୟ ପୁନଃ ପ୍ରକାଶ ପାଇବତ ଶିଶୁଲେଖା, କୋଣାର୍କ !

IMG-20250618-WA0017
Share

ସମ୍ବଲପୁର,୧୮/୦୬:ଅନେକ ବର୍ଷର ନିରବତା ପରେ ଫେରିଥିଲା ‘ଶିଶୁଲେଖା’। କୋମଳମତିଙ୍କୁ ସେଇମାନଙ୍କ ଭାଷାରେ ସୂଜନ ଓ ଜ୍ଞାନ ପରସିଥିଲା ଏହି ପିଲାଙ୍କ ପତ୍ରିକା। ଓଡ଼ିଶାର ଜହ୍ନମାମୁଁ ଭାବେ ପରିଚିତ ଏହି ପତ୍ରିକା ଦିନେ ପିଲାମାନଙ୍କୁ ସୂଜନ ଦୁନିଆକୁ ଆସିବାକୁ ପ୍ରେରଣା ଯୋଗାଉଥିବା ବେଳେ ପୁଣି ଏହାକୁ ନୂଆ ଅବତାରରେ ଭେଟିଦେଇଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଏହା କେବଳ ଆଉ ବ‌ହି ଭିତରେ ସୀମିତ ରହିବ ନାହିଁ। କଳେବର ବୃଦ୍ଧି ସହ ଇ-ପତ୍ରିକା ଭାବେ ଏହାକୁ ସୁଦୂରପ୍ରସାରୀ କରାଯିବା ଫଳରେ ଓଡ଼ିଶା ଓ ଦେଶ ବାହାରେ ରହୁଥିବା ପିଲାମାନେ ଏହାକୁ ପଢ଼ିବା ସ‌ହ ଏଥିରେ ନିଜ ସୂଜନର ପରିପ୍ରକାଶ ପାଇଁ ସୁଯୋଗ ପାଇବେ। ଖୁବଶୀଘ୍ର ଏହା ପ୍ରକାଶ ପାଇବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ଇଂଜନ କୁମାର ଦାସ କହିଥିଲେ।

 

୧୯୭୧ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶାର ଏହି ଲୋକପ୍ରିୟ ମାସିକ ‘ଶିଶୁଲେଖା’ ଜନ୍ମ ନେଇଥିଲା। ମାତ୍ର ୧୧୯୨-୯୩ ମସିହାରେ ଏହା ବନ୍ଦ ହୋଇଗଲା I ପୁନଃ ୨୦୦୪-୦୫ ଓ ୨୦୧୦ରେ ପୂନଃ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭହେଲା ଓଡ଼ିଆ ଭାଷା ପ୍ରତିଷ୍ଠାନ‌କୁ ଦାୟିତ୍ବ ଦିଆଗଲା।ଫଳରେ ଦୀର୍ଘ ୧୭ ବର୍ଷ ପରେ ୨୦୧୦ ମସିହା ଜୁଲାଇ ୮ ତାରିଖରୁ ଏହା ନିୟମିତ ପ୍ରକାଶ ପାଇଲା ତେବେ ମାସିକ ନହୋଇ ଏହାକୁ ୩ମାସକୁ ଥରେ ଛପା ଯାଉଥିଲା। ସେତେବେଳେ ପ୍ରଥମ ପର୍ଯ୍ୟାୟରେ ରଙ୍ଗିନ ପତ୍ରିକା ଭାବେ ୪୮ ହଜାର କପି ଛପା ଯାଇଥିଲା । ୧୦ ହଜାର ମାର୍କେଟ୍‌ରେ ବିକ୍ରି ପାଇଁ ଛଡ଼ା ଯାଇଥିବା ବେଳେ ଅନ୍ୟ ବହିଗୁଡ଼ିକ ବିଦ୍ୟାଳୟକୁ ବଣ୍ଟନ କରାଯାଇଥିଲା। ୩ ବର୍ଷ ପରେ ୨୦୧୩ ମସିହାରେ ଏହା ପୁନର୍ବାର ବନ୍ଦ ହୋଇଗଲା। ଏନେଇ ବିଶ୍ଵରୂପ କାନୁନ୍‌ଗୋ, ଅଶୋକ ମହାପାତ୍ର ଓ ନାଜିର୍‌ ଖାନ୍ ଶିଶୁଲେଖାର ପୁନଃପ୍ରକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ।

 

ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ତାଙ୍କ ଶୈଶବ ସମୟରେ ଏହି ‘ଶିଶୁଲେଖା’ରୁ ଅନୁପାଣିତ ହୋଇଥିଲେ। ତେଣୁ ଏହାର ପୁନଃ ପ୍ରକାଶର ଆବଶ୍ୟକତା ରହିଥିବା ନେଇ ସେ ସମୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜଣାଇଥିଲେ। ଏହାକୁ କେବଳ

ବଜାରରେ ନ ଛାଡ଼ି ପ୍ରତି ବିଦ୍ୟାଳୟକୁ ଯୋଗାଇବାର ଆବଶ୍ୟକ‌ତା ରହିଛି ବୋଲି ଏହି ଚିଠି ଗୁଡିକରେ କୁହାଯାଇଥିଲା । ପ୍ରତି ବିଦ୍ୟାଳୟ ପାଇଁ ପାଠାଗାର ଉଦ୍ଦେଶ୍ୟରେ ନିର୍ଦିଷ୍ଟ ପାଣ୍ଠି ରହିଛି। ନିମ୍ନ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୩୫ଶହ ଟଙ୍କାରୁ ନେଇ ଉଚ୍ଚ ବିଦ୍ୟାଳୟ ନିମନ୍ତେ ୫ହଜାର ୫ଶହ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ପାଣ୍ଠି ଯୋଗାଇ ଦିଆଯାଉଛି। ଯଦି ସେହି ଅର୍ଥରୁ ପ୍ରତି ବିଦ୍ୟାଳୟ ପାଇଁ ମାସିକ ୫ଟି କପି କିଣାଯିବ ତେବେ ସରକାରଙ୍କ ଉପରେ ଏହି ପତ୍ରିକା ପାଇଁ ଆର୍ଥିକ ବୋଝ ରହିବ ନାହିଁ ବୋଲି ଦର୍ଶାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦୀର୍ଘବର୍ଷ ପରେ ଶିଶୁମାନଙ୍କୁ ବିଚାରକୁ ନେଇ ‘ଶିଶୁଲେଖା’ ପତ୍ରିକାର ପୁନରୁଦ୍ଧାର ପାଇଁ ଖସଡ଼ା ପ୍ରସ୍ତୁତ କରିବା ନିଷ୍ପତ୍ତି କୁ ସେ ସମୟରେ ସ୍ବାଗତ କରାଯାଇଥିଲା। ତେବେ ‘ଶିଶୁଲେଖା’ ପତ୍ରିକା ପ୍ରସ୍ତୁତି ପାଇଁ ପୂର୍ବରୁ ନିୟୋଜିତ ‘ଶିଶୁ ସାହିତ୍ୟ ସମିତି, ଓଡ଼ିଶା’ର ପୁନରୁଦ୍ଧାର ହେବାର ଆବଶ୍ୟକ‌ତା ରହିଛି।

କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଏହା ବନ୍ଦ ହୋଇଯିବାରୁ ବିଭିନ୍ନ ସମୟରେ ବିଭିନ୍ନ ମହଳରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଏହାର ପୁନଃ ପ୍ରକାଶନ ପାଇଁ ଦାବି ଉଠୁଛି।ଓଡ଼ିଆ ଭାଷାରେ ସୂଜନ ଓ ଜ୍ଞାନ ପରିସରକୁ ବୃଦ୍ଧି କରିବା ପାଇଁ ଶିଶୁଲେଖା ପରି କୋଣାର୍କ ମଧ୍ୟ ଏକ ମଜଭୁତ ପିଲର।ଯାହାକି ଓଡ଼ିଆ ଅସ୍ମିତା ପାଇଁ ଜ୍ୱଳନ୍ତ ଦୀପ ଶିଖା ହୋଇ ସୃଜନତାର ରଶ୍ମି ବିକିରଣରେ ବହୁତ ବଡ଼ ଭୂମିକା ଗ୍ରହଣ କରିପାରିବ। ତେଣୁ ଶିଶୁଲେଖା ଓ କୋଣାର୍କ ଉଭୟ ପତ୍ରିକାର ପୁନଃ ପ୍ରକାଶନ ପାଇଁ ଗତ ମେ ମାସରେ ଡାକ୍ତର ରାଜାରାମ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ମେଲରେ ଚିଠି ଲେଖି ଅନୁରୋଧ କରିଥିବା ସହିତ ଓଡ଼ିଆ ଅସ୍ମିତାର ରାଜ୍ୟରେ ମୂଳଦୁଆ ପକାଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀରେ ଭେଟି ଉଭୟ ପତ୍ରିକାର ଆବଶ୍ୟକତା ଦୃଷ୍ଟିକୋଣରୁ ଏହାର ପୁନଃ ପ୍ରକାଶନ ସହିତ ଉତ୍କଳ ପ୍ରସଙ୍ଗ ମାସିକ ପତ୍ରିକାକୁ ନିୟମିତ ପ୍ରକାଶ କରାଯାଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରମୁଖ ଭୂମିକା ନେବାକୁ ଅନୁରୋଧ କରିଥିଲେ। ଏପରିକି ବର୍ଷ ଏକ :ଉପଲବ୍ଧି ଅନେକ, ରେ ସାମିଲ କରି ଜୁନ ମାସ ଠାରୁ ଏହାର ପୁନଃ ପ୍ରକାଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଓଡ଼ିଆ ଅସ୍ମିତାର ଅସଲ ଦିଗ ପ୍ରତି ଧ୍ୟାନ ଦେବାକୁ ଡାକ୍ତର ଷଡ଼ଙ୍ଗୀ ଅନୁରୋଧ କରିଥିବା କହିଛନ୍ତି।

 

ଏପରିକି ନିକଟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ସମ୍ବଲପୁର ଗସ୍ତ ସମୟରେ ଡାକ୍ତର ଷଡ଼ଙ୍ଗୀ ଓଡ଼ିଆ ଅସ୍ମିତା ର ମୁକସାକ୍ଷୀ ଥିବା ଏହି ୨ ବହିର ପୁନଃ ପ୍ରକାଶନ କରିବା ଦିଗରେ ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହାର ଉତ୍ତରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଥିଲେ ମଧୁ ବର୍ଣ୍ଣବୋଧ ପରି ଏହାର ଆବଶ୍ୟକତା ଉପଲବ୍ଧି ହେଲେ ଏହାର ମଧ୍ୟ ପୁନଃ ପ୍ରକାଶନ ହେବ। ଏସମ୍ପର୍କରେ ସେ ସରକାରଙ୍କୁ ଜଣାଇ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ସେତେବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ।

ବର୍ତ୍ତମାନ ଦେଖିବାକୁ ବାକି ରହିଲା ଓଡ଼ିଆ ଅସ୍ମିତାର ମୁକସାକ୍ଷୀ ହୋଇଥିବା ସୃଜନର ପ୍ରେରଣାଦାୟୀ ୨ ପତ୍ରିକାର ଭବିଷ୍ୟତ କଣ ହେବ?

You may have missed