ରଥଯାତ୍ରାକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ରଥଯାତ୍ରାକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ରଥଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି ମୋହନ । ଏହାସହ ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ କରିଛନ୍ତି ମୋହନ ମାଝୀ । ଏନେଇ ଦିଲ୍ଲୀରୁ ଫେରି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜୁନ୍ ୨୭ ତାରିଖ ଶୁକ୍ରବାର ଦିନ ଏଥର ତିନିଠାକୁର ରଥରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ଦିବ୍ୟଲୀଳା ଦେଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରଥଯାତ୍ରା ପାଇଁ ରଥଖଳାର ତ୍ୱରିତ ପ୍ରକ୍ରିୟାରେ କାମ ଜାରି ରହିଛି । ଅଖ ପାଇଁ କାଠ ଅଭାବ ପଡ଼ିଥିବା ବେଳେ ଗତକାଲି ବୌଦ୍ଧରୁ କାଠ ଟ୍ରିପ୍ ଆସି ପହଞ୍ଚିଛି । ସେହିଭଳି ରଥଯାତ୍ରା ପୂର୍ବରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ବି ଶ୍ରୀମନ୍ଦିରରେ ବାକି ଅଛି ଅନେକ ମରାମତି କାମ । ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ବି ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନି । ରଥଯାତ୍ରା ସମୟରେ ବାକି ଥିବା ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛି ଏଏସ୍ଆଇ ।
ରଥଯାତ୍ରା ପାଇଁ ସମୟରେ ଯୋଜନାବଦ୍ଧ ଭାବେ ଶ୍ରୀମନ୍ଦିରର ବିଭିନ୍ନ ବାକି କାମ ସାରିବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏସବୁ ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଲୋଚନା କରିଛନ୍ତି । ରଥଯାତ୍ରା ସମୟରେ ମୁଖ୍ୟ ମନ୍ଦିର ବାହ୍ୟ ପଥର ରାସାୟନିକ ସଫେଇ କରାଯିବ । ଶ୍ରୀମନ୍ଦିର ଗର୍ଭଗୃହର ସଂରକ୍ଷଣ ଓ ମରାମତି ହେବ । ବାକି ଥିବା ରତ୍ନଭଣ୍ଡାର ମରାମତି ମଧ୍ୟ ଏହି ଅବଧିରେ ହେବ । ଏହା ସହିତ ଉତ୍ତର ଦ୍ବାର ଦେଇ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ । ନାଟମଣ୍ଡପ ପରିସରକୁ ଶୀତତାପ ନିୟନ୍ତ୍ରିତ କରାଯିବ । ଜଗମୋହନର ବାହାର ପାଖ ଛାତର ମଧ୍ୟ ସଂରକ୍ଷଣ କରାଯିବ ।