March 14, 2026

ୟେ ଏକ ଵହୁ ପ୍ରଚଳିତ ଢଗ – ସରକାରକା ମାଲ୍, ଦରିଆମେ ଡାଲ୍

IMG-20250526-WA0000
Share

ୟେ ଏକ ଵହୁ ପ୍ରଚଳିତ ଢଗ – ସରକାରକା ମାଲ୍, ଦରିଆମେ ଡାଲ୍ । ସରକାରୀ ସାହାଯ୍ୟ, ଅନୁଦାନକୁ ଲୋକେ ଖୁବ ଅସଦ ଵ୍ୟଵହାର କରନ୍ତି। ତେବେ କୋଟିକେ ଗୋଟିଏ ପରି ଘଟଣା ଅଛି, ଯେଉଁଠି ସରକାରୀ ସହାୟତାକୁ ଲୋକମାନେ ତୁରନ୍ତ, ଉଚିତ ଓ ଯଥାର୍ଥ ବିନିଯୋଗ କରିଛନ୍ତି। ସିଏ ପୁଣି ଦୂରରେ ନୁହେଁ, ଆମ ଓଡ଼ିଶାରେ, ଜଗତସିଂହପୁର କୁଜଂଗ ବ୍ଲକର ବାଲିଆ ଗାଁ ର ମହିଳାମାନେ। ଏହି ମହିୟସୀ ମହିଳାମାନେ ସୁଭଦ୍ରା ଯୋଜନାରେ ମୁଣ୍ଡ ପିଛା ପାଇଥିବା ୫ ହଜାର ଟଙ୍କାରେ ନିଜ ସଞ୍ଚିତ ଅର୍ଥ ମିଶାଇ, ଆଉ ଖୁବ ଶାରୀରିକ ପରିଶ୍ରମ କରି, ଗାଁ ନିକଟ ଵାଲିଆ ନଈର ୩୧ ଏକର ଜାଗାରୁ ଦଳ, ପତର, ପଙ୍କ, ମାଟି, ପଥର ସଫା କରିଛନ୍ତି। ବାଲିଆ ନଈ ମହାନଦୀର ଛୋଟ ଶାଖା ନଦୀ ଯାହା ଜଟାଧାରୀ ମୁହାଣରେ ପୁଣି ମହାନଦୀ ହୋଇ ବଙ୍ଗୋପସାଗରରେ ମିଶିଛି। ନଈଟା ଶୁଖିଲା, ଜବରଦଖଲ ଓ ସବୁମନ୍ତେ ପ୍ରଦୂଷିତ। ମାତ୍ର ଗାଁ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ୬୫ ସଦସ୍ୟା ଶୁଖିଲା ନଈରେ ପାଣି ଭରି ଦି ପଇସା ରୋଜଗାର କରିବାକୁ ମନ କଲେ। ମନ ତ କଲେନି, ଲାଗିଗଲେ। ନିଜର ନିରଳସ ପରିଶ୍ରମ ସାଙ୍ଗକୁ ୭/୮ ଲକ୍ଷ ଟଙ୍କା ଖର୍ଚ୍ଚରେ ବାଲିଆ ନଈରେ ପାଣି। ଭଉଣୀମାନଙ୍କ ଉଦ୍ଦେଶ୍ୟ ଏଥିରେ ମାଛ ଚାଷ କରିବେ।‌ଆଉ ପଚାରିବାକୁ ଅଛି! ଭଲ ମାଛ ଚାଷ ହେବ, ଭଲ ରୋଜଗାର ହେବ। ଖଣ୍ଡମଣ୍ଡଳରେ ଲୋକେ ତମ ପ୍ରଶଂସା କରିବେ, ତମ ବାଟରେ ଚାଲି ସୁଭଦ୍ରା ଯୋଜନା ଧନରେ ନିଜ ଧନ, ସୁଖ, ସମ୍ରୃଦ୍ଧି ବଢେଇଵେ।