ଓମଫେଡ ପକ୍ଷରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଓ ସମ୍ପର୍କୀୟଙ୍କୁ ଘୋଳଦହି ବଣ୍ଟନ |

ବାଲେଶ୍ଵର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକ ଦିବସରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ ଘୋଳ ଦହି ବଣ୍ଟନ କରାଯାଇଛି | ଓମଫେଡ ର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ , ଜେନେରାଲ ମ୍ୟାନେଜର ରଶ୍ମିରେଖା ବିନ୍ଧାଣୀ, ବାଲେଶ୍ଵର ମାର୍କେଟିଂ ମୁଖ୍ୟ ଜ୍ୟୋତି ରଞ୍ଜନ ସ୍ବାଇଁଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ରୋଗୀ ଓ ସମ୍ପର୍କୀୟଙ୍କୁ ୧୦୦୦ ପ୍ୟାକେଟ୍ ଘୋଳ ଦହି ପ୍ରଦାନ କରିଥିଲେ | ଓମଫେଡ କେବଳ ବ୍ୟବସାୟିକ କ୍ଷେତ୍ରରେ ନୁହେଁ ବରଂ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ ହାତକୁ ନେଇଥାଏ ବୋଲି ସେମାନେ କହିଛନ୍ତି | ଓଡ଼ିଶାର ୩୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଓମଫେଡର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ କହିଛନ୍ତି | ଅନ୍ୟ ପକ୍ଷରେ ଓମଫେଡ ରାଜ୍ୟର ସର୍ବ ବୃହତ୍ ଦୁଗ୍ଧ ସଂସ୍ଥା | ସି ଏସ ଆର ଫଣ୍ଡ ରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇ ସେବା ପ୍ରଦାନ କରାଯାଉଛି | ତେଣୁ ଗ୍ରାହକ ମାନେ ଓମଫେଡ ସହ ଆଗକୁ ଏମିତି ଯୋଡ଼ି ହୋଇ ରହନ୍ତୁ, ଓମଫେଡ ମଧ୍ୟ ଲୋକଙ୍କୁ ସେବା ପ୍ରଦାନ ଜାରି ରଖିବ ବୋଲି ବାଲେଶ୍ଵର ମାର୍କେଟିଂ ମୁଖ୍ୟ ଜ୍ୟୋତି ରଞ୍ଜନ ସ୍ବାଇଁ କହିଛନ୍ତି ।