ତାଳଚେର ଠାରେ ମକ୍ଡ୍ରିଲ ଆୟୋଜିତ ହେବ

ଅନୁଗୋଳ,ତା.୦୬.୦୫:ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଓ ଓଡିଶା ସରକାରଙ୍କ ଗୃହ ବିଭାଗ ସହାୟତାରେ ଅନୁଗୋଳ ଜିଲ୍ଲାର ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତାକାଲି (୭ତାରିଖ) ଅପରାହ୍ନ ୪ ଘଟିକା ସମୟରେ ନାଗରିକ ପ୍ରତିରକ୍ଷା ମକଡ୍ରିଲ କରାଯିବ । ଯୁଦ୍ଧ ସମୟରେ ଜନସାଧାରଣଙ୍କୁ ସୁରକ୍ଷା ଦେବା, ଊତ୍ତମ ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ନିରବଛିନ୍ନ ବିଦ୍ୟୁତ୍ ସେବା ଇତ୍ୟାଦି ମୌଳିକ ସେବା ଯୋଗାଇବା ନେଇ ଏହି ମକ୍ ଡ୍ରିଲ ପ୍ରଶାସନ ତରଫରୁ ଆୟୋଜନ କରାଯାଉଅଛି । ସେହିପରି ଯୁଦ୍ଧ ସମୟରେ ହୋଇଥିବା ବିଭିନ୍ନ କ୍ଷୟକ୍ଷତିକୁ ରୋକିବା ଏବଂ ପୁନରୁଦ୍ଧାର କାର୍ଯ୍ୟଗୁଡିକ ସୂଚାରୁରୁପେ କାର୍ଯ୍ୟକାରୀ କରିବା ଇତ୍ୟାଦି ମକଡ୍ରିଲ ରେ ଅଭ୍ଯାସ କରାଯିବ । ଏହି ମକ୍ଡ୍ରିଲରେ ଜିଲ୍ଲା ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବା ସହିତ ଏୟାର ରେଡ୍ ଓ୍ଵାର୍ନି ସାଇରନକୁ ସକ୍ରିୟ କରାଯିବ । ଊନ୍ନତ ସ୍ଥାନାନ୍ତରଣ ନିମନ୍ତେ ଜନସାଧାରଣଙ୍କୁ ଅଭ୍ୟାସ କରାଯିବ । ସାଧାରଣ ନାଗରିକ ଛାତ୍ର ଛାତ୍ରୀମାନେ କିପରି ନିଜକୁ ଆକ୍ରମଣରୁ ସୁରକ୍ଷିତ ରଖିପାରିବେ ସେଥି ନିମନ୍ତେ ପ୍ରଶିକ୍ଷଣ ଦିଆଯିବ । ଅଗ୍ନି ନିବାରଣ ଓ ଊଦ୍ଧାରକାର୍ଯ ପାଇଁ ସ୍ବେଛାସେବୀମାନଙ୍କୁ ମଧ୍ୟ କ୍ରିୟାଶିଳ କରାଯିବ । ଏହି ପ୍ରତିରକ୍ଷା ଅଭ୍ୟାସ ବେଳେ ଅତିରିକ୍ତ ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳ, ଶିଳ୍ପାନୁଷ୍ଠାନର ସୁରକ୍ଷା ଅଧିକାରୀ ଓ ସେମାନଙ୍କ ପ୍ରତିନିଧ୍, ଗୋଷ୍ଠୀ ଊନ୍ନୟନ ଅଧୁକାରୀ, ତହସିଲଦାର, ସ୍ବାସ୍ଥ୍ୟ ଅଧିକାରୀ, ଆରକ୍ଷାବାହିନୀ, ଅଗ୍ନିଶମ ଅଧିକାରୀ, ଏବଂ ସ୍ୱେଛାସେବୀମାନେ କାର୍ଯ୍ୟକ୍ରମରେ ସାମିଲ ହେବେ ।
ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ