September 19, 2026

କାରୁଡାଙ୍ଗୁ ଗ୍ରାମରେ ମା ଗ୍ରାମଦେବୀ ମନ୍ଦିର ପ୍ରତିଷ୍ଠା ଉତ୍ସବ..

IMG-20250425-WA0044
Share

ମୁକୁନ୍ଦପୁର(ସଞ୍ଜୀବ କଣ୍ଡାଗରୀ) କୋଲନରା ବ୍ଲକ ଝୋରଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାରୁଡାଙ୍ଗୁ ଗ୍ରାମରେ ମାଁ ଗ୍ରାମଦେବୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ଯାଇଛି।ଦୀର୍ଘ ୪ ଦିନ ଧରି ବିଭିନ୍ନ ପ୍ରକାର ନିତିକାନ୍ତି ଆୟୋଜିତ ହେବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବରେ ରୀତିନୀତି ଅନୁଯାୟୀ ଝୋରଡି ଗାଁ ନିକଟରେ ଥିବା ନାଳରୁ ୧୦୮ ଟି କଳସରେ ଏକ ବିଶାଳ ଶୋଭାଯାତ୍ରାରେ ଗଙ୍ଗା ଜଳ ଆଣି ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ କଳସ ଶୋଭାଯାତ୍ରା କରାଯାଇଥିଲା।ମା’ଙ୍କ ମନ୍ଦିର ପ୍ରତିଷ୍ଠାର ନୀତିକାନ୍ତି ପୂଜା କର୍ମ ଆରମ୍ଭ ହୋଇଛି।ମଙ୍ଗଳବାର ଦିନ ଅଙ୍କୁରାରୋପଣ,ଦୀକ୍ଷା ଗ୍ରହଣ ଓ ମଣ୍ଡଳକରଣ କାର୍ଯ୍ୟ ସମ୍ପାଦନା ହୋଇଥିଲା ବେଳେ ବୁଧବାର କଳସ ଯାତ୍ରା, ମଙ୍ଗଳ ପୂଜା, କଳସ ସ୍ଥାପନା, ଶିଳା ସଂସ୍କାର, ଅଗ୍ନି ସ୍ଥାପନା ଓ କୁଣ୍ଡ ସଂସ୍କାର କର୍ମ ସହ ଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ କରାଯାଇଛି।ଗୁରୁବାର ଦିନ ସମସ୍ତ ରିତିକାନ୍ତି ଅନୁଷ୍ଠିତ ହେବା ସହ ଗ୍ରାମ ଦେବୀଙ୍କୁ ଅଭିଷେକ ନୀତିକାନ୍ତି ରହିଥିବା ବେଳେ ଅନ୍ତିମ ଦିନ ଦେବତା ପୂଜା,ସୂର୍ଯ୍ୟ ପୂଜା, ପ୍ରସାଦ ସଂସ୍କାର,ଷୋଡଶ ଉପଚାର ପୂଜା, ଦେବତା ପ୍ରବେଶ, ମହାଧ୍ଵଜ ଉତ୍ତୋଳନ, ରତ୍ନମୁଦ ପୂଜା, ପାର୍ଶ୍ଵ ଦେବତା ପୂଜା, ହୋମ ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହ ପୂର୍ଣାହୁତି, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବା ଗ୍ରାମ୍ୟ ପୂଜା କମିଟି ପକ୍ଷରୁ କୁହାଯାଇଛି। ଗ୍ରାମବାସୀଙ୍କ ସହଯୋଗରେ ମାଙ୍କ ଏହି ମନ୍ଦିର ନିର୍ମାଣ କରାଯାଇଛି ଏବଂ ଯେତେସବୁ ବାଧାବିଘ୍ନ ସମୟରେ ମାଁ ଗ୍ରାମଦେବୀ ଗ୍ରାମକୁ ସାହା ହୋଇଥାନ୍ତି ବୋଲି ସ୍ଥାନୀୟ ସରପଞ୍ଚ ଅନନ୍ତ ମାଣ୍ଡାଙ୍ଗି ପୂଜା କାର୍ଯ୍ୟରେ ଉପସ୍ଥିତ ରହି ମତପ୍ରକାଶ କରିଥିଲେ।ଉକ୍ତ ମନ୍ଦିର ପ୍ରତିଷ୍ଠାର ସମସ୍ତ ପୂଜାବିଧି ଓ ନୀତିକାନ୍ତି ପୂଜକ ସୁଭ୍ରମନ୍ୟୁ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଥିବା ବେଳେ ପୂଜକ ଦୁର୍ଗା ପ୍ରସାଦ ମିଶ୍ର ସହଯୋଗ କରିଛନ୍ତି।ମନ୍ଦିର ପ୍ରତିଷ୍ଠା ଅବସରରେ ନାମ ସଂକୀର୍ତ୍ତନର ଆୟୋଜନ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ କାରୁଡ଼ାଙ୍ଗୁ ଗ୍ରାମକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ସରପଞ୍ଚ ଶ୍ରୀ ମାଣ୍ଡାଙ୍ଗିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଜଣାପଡିଛି।ଗ୍ରାମ ଦେବୀ ପୂଜା କମିଟିର ସଭାପତି ନାଗେଶ ମାଣ୍ଡାଙ୍ଗି, ଗାଁର ଜାନି ଈଶ୍ୱର ପାତିକା, କୈଳାସ ମାଣ୍ଡାଙ୍ଗି, ଭକ୍ତ କଲକା, ନାଗା ତୋଇକା, ରାସୁଲୁ କାଡ୍ରାକା, ଜଗନ୍ନାଥ ମାଣ୍ଡାଙ୍ଗି, ବଂଶୀ ପାତିକା, ଅଶୋକ କଣ୍ଡାଗରି, ପ୍ରସାଦ କୁଣ୍ଡିଙ୍ଗି ସମେତ ସମସ୍ତ ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଛନ୍ତି। ଗ୍ରାମରେ ମାଙ୍କ ମନ୍ଦିର ପ୍ରତିଷ୍ଠା ହେଉଥିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

You may have missed