May 10, 2026

୩୯ ବର୍ଷ ଧରି ଭଡ଼ାଘରେ ଚାଲିଛି ଗଡ଼ିଆସାହି ଫାଣ୍ଡି ନୂତନ ଗୃହ ନିର୍ମାଣ ପାଇଁ ବିଭାଗ କୁନ୍ଥୁକୁନ୍ଥୁ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପଞ୍ଚାୟତବାସି

IMG-20250306-WA0042
Share

ଖଣ୍ଡପଡ଼ା(ଭବାନି ଶଙ୍କର ମହାନ୍ତି) ମାସେ ନୁହେଁ କି ବର୍ଷେ ନୁହେଁ। ଦୀର୍ଘ ୩୯ ବର୍ଷ ଧରି ଭଡ଼ା ଘରେ ଚାଲିଛି ପୋଲିସ ଫାଣ୍ଡି। ନୂତନ ଗୃହ ନିର୍ମାଣ ନିମନ୍ତେ ନା ପୁଲିସ ବିଭାଗ ଚିନ୍ତା କରିଛି ନା ପ୍ରଶାସନ। ଫଳରେ ନାନା ସମସ୍ୟା ମଧ୍ୟରେ ଫାଣ୍ଡି ପରିଚାଳନା କରୁଛନ୍ତି ପୋଲିସ କର୍ମଚାରୀ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଗଡ଼ିଆସାହି ଫାଣ୍ଡିର ଏଭଳି ଦୟନୀୟ ଦୃଶ୍ୟ ଦେଖିଲେ ଲାଗୁଛି ଏଠାକାର ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ଚାଲିଥିବ। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଫଳ ଶୂନ। ତେଣୁ ବାଧ୍ୟ ହୋଇ ଗଡ଼ିଆସାହି ପଞ୍ଚାୟତର ଶତାଧିକ ଲୋକ ଦସ୍ତଖତ ସମ୍ବଳିତ ଦାବିପତ୍ର ନୟାଗଡ଼ ଜିଲ୍ଲାପାଳ ଏବଂ ଏସପିଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି। ପଞ୍ଚାୟତ ବାସୀଙ୍କ ଅଭିଯୋଗ ହେଲା ଖଣ୍ଡପଡ଼ା ବ୍ଲକ ଅଧୀନ ସିଂଘାପଡ଼ା, କିଆଝର ଓ ଗଡ଼ିଆସାହି ପ୍ରଭୃତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯୮୬ ମସିହାରେ ଗଡ଼ିଆସାହି ଛକ ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଫାଣ୍ଡି ସ୍ଥାପନ କରାଯାଇଥିଲା। ନିଜସ୍ବ ଜାଗା କିମ୍ବା ଘର ନଥିବା କାରଣରୁ ସେବେଠାରୁ ରାସ୍ତା କଡ଼ରେ ଏକ ଭଡା ଘରେ ଫାଣ୍ଡିଟି କାର୍ଯ୍ୟ କରୁଛି। ଦୀର୍ଘ ୩୯ ବର୍ଷ ଧରି ଏକ ଭଡ଼ା ଘରେ ଫାଣ୍ଡିଟି ଚାଲୁ ରହିଥିବା ବେଳେ ବର୍ତ୍ତମାନ ଏହି ଘରଟି ବିପଦ ସଂକୁଳ ଅବସ୍ଥାରେ ରହିଛି। ତେବେ ଗଡ଼ିଆସାହି, କୋସ୍କା ଓ କଣ୍ଟିଲୋ ଫାଣ୍ଡି ଖଣ୍ଡପଡା ଥାନା ଅଧୀନରେ ରହିଥିବା ବେଳେ ତିନୋଟି ଯାକ ଫାଣ୍ଡିର ଭୌଗଳିକ ସ୍ଥିତିକୁ ଦେଖିଲେ ସୁରକ୍ଷା ଦୃଷ୍ଟିରୁ ଗଡ଼ିଆସାହି ଫାଣ୍ଡିର ଅବସ୍ଥା ନ କହିବା ଭଲ। ଉକ୍ତ ଫାଣ୍ଡିଟି ଏକ ପରିତ୍ୟକ୍ତ ଦୋକାନ ଗୃହର ଭ୍ରମ ସୃଷ୍ଟି କରୁଛି। ଘରର ଛାତ ପୁରୁଣା ହୋଇଯାଇ ଥିବାରୁ ବର୍ଷା ଦିନେ ଛାତରୁ ପାଣି ଗଳି ବହୁ ଦରକାରୀ କାଗଜାପତ୍ର ଓଦା ହୋଇଯାଏ। ଏଥିସହ ଏହି ଅଞ୍ଚଳରେ ଚୋରା ଦେଶୀ ମଦ ବ୍ୟବସାୟ, ହନୁମାନ ପଇସା ରାକେଟ ଏବଂ ଚୋରୀ, ହତ୍ୟା ଭଳି ଅପରାଧ ଭଳି ଘଟଣାକୁ ନେଇ ବିଗତ ଦିନରେ ଚର୍ଚ୍ଚାରେ ରହିଥିବା ବେଳେ ଫାଣ୍ଡିର ଏଭଳି ଅବସ୍ଥା ଚିନ୍ତାର କାରଣ ସାଜିଛି। ତେବେ ପୂର୍ବରୁ ଏନେଇ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଚିଠି ଦେଲା ପରେ ୨୦୨୨ ମସିହାରେ ତତ୍କାଳୀନ ଥାନାଧିକାରୀ ରମେଶ କୁମାର ଦେବତାଙ୍କ ଉଦ୍ୟମରେ ଖଣ୍ଡପଡ଼ା ତହସିଲଦାରଙ୍କ ଦ୍ଵାରା ଜମି ଅଧିଗ୍ରହଣ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ନୂତନ ଗୃହ ନିର୍ମାଣ ନିମନ୍ତେ ଠିକା ସଂସ୍ଥାକୁ ଆବଶ୍ୟକୀୟ ଅନୁମତି ଏବଂ ଅର୍ଥ ପ୍ରଦାନ କରାଯାଇନଥିବା ସୂଚନା ମିଳିଛି। ଫଳରେ ୩୯ ବର୍ଷ ପରେ ମଧ୍ୟ ଫାଣ୍ଡିର ନୂତନ ଗୃହ ନିର୍ମାଣ ନାଲିଫିତା ତଳେ ଚାପି ହୋଇରହିଛି। ଫଳରେ ବାଧ୍ୟ ହୋଇ ପଞ୍ଚାୟତର ଶତାଧିକ ଜନସାଧାରଣ ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଚୟନ କରାଯାଇଥିବା ଜାଗାରେ ଫାଣ୍ଡିର ନୂତନ ଗୃହ ନିର୍ମାଣ କରାଗଲେ ଫାଣ୍ଡି ଅଧୀନରେ ରହିଥିବା ଅଞ୍ଚଳ ଗୁଡ଼ିକରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ତେବେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି।