May 10, 2026

ବ୍ଲକସ୍ତରୀୟ ଆଇନଗତ ସଚେତନତା କର୍ମଶାଳା ଆୟୋଜିତ

IMG-20250212-WA0046
Share

 

 

ବାଲେଶ୍ୱର: ମହିଳାଙ୍କ ମୌଳିକ ଅଧିକାରର ସୁରକ୍ଷା ଲାଗି ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବା ଏବଂ ନ୍ୟାୟ ବ୍ୟବସ୍ଥାକୁ ବ୍ୟାପକ ଗୁରୁତ୍ୱକୁ ଦେବା ପାଇଁ ଆଜି ବାଲେଶ୍ୱର ସଦର ମହକୁମାସ୍ଥିତ ଟାଉନ ହଲଠାରେ ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ଅନୁଷ୍ଠିତ ତଥା ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ବ୍ଲକସ୍ତରୀୟ ଆଇନଗତ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀମଣି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଐଶ୍ଵର୍ଯ୍ୟା ସାମନ୍ତ, ସଂସାଧନ ସଭ୍ୟ ଗୋପାଳ କୃଷ୍ଣ କର ଏବଂ ସଂସାଧନ ସଭ୍ୟା ସ୍ନେହଲତା ଦାସପତି ପ୍ରମୁଖ ମଞ୍ଚାସୀନ ଥିଲେ I ଉଦ୍ଘାଟନୀ ଅଧିବେଶନରେ ଲିଙ୍ଗଗତ ସମାନତାର ମୌଳିକ ଧାରଣା ଏବଂ ଲିଙ୍ଗ ଭିତ୍ତିକ ହିଂସାର ବିଭିନ୍ନ ରୂପ ଉପରେ ଆଲୋକପାତ କରାଯାଇଥିଲା। ଅପହରଣ, ଚାଲାଣ, ଯୌନ ନିର୍ଯାତନା, ଦୁଷ୍କର୍ମ, ହତ୍ୟା ଭଳି ପ୍ରଚଳିତ ବିଭିନ୍ନ ସାମାଜିକ ଅପରାଧ, ଲିଙ୍ଗଗତ ସମାନତା, ଲିଙ୍ଗ ଭିତ୍ତିକ ହିଂସା ଏବଂ ସମାଜ ଉପରେ ଲିଙ୍ଗଗତ ଭେଦଭାବର କୁପ୍ରଭାବ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା I ଏଥି ସହିତ ଆଇନଗତ ଦୃଷ୍ଟାନ୍ତ, ଯୁଗାନ୍ତକାରୀ ରାୟ, ପ୍ରତିଷେଧକ ବ୍ୟବସ୍ଥା, ଗୋଷ୍ଠୀଗତ ଉତ୍ତରଦାୟିତ୍ୱକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା I ସେହି ଭଳି ଦ୍ୱିତୀୟ ଅଧିବେଶନରେ ବିଶେଷ କରି ମହିଳାମାନଙ୍କୁ ହିଂସାରୁ ସୁରକ୍ଷା ପ୍ରଦାନ କରୁଥିବା ଆଇନ ଉପରେ ଗୁରୁତ୍ୱାରୋପ କରାଯାଇ ଆଇନଗତ ସୁରକ୍ଷା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ଅଧିବେଶନରେ ଘରୋଇ ହିଂସା ଆଇନର ବ୍ୟବସ୍ଥା, କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ସମ୍ପର୍କିତ ଆଇନ ଏବଂ ମହିଳା ସୁରକ୍ଷାକୁ ସୁଦୃଢ଼ କରୁଥିବା ସାମ୍ପ୍ରତିକ ଅପରାଧିକ ଆଇନ ସଂଶୋଧନର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇଥିଲା। ଯୋଜନା ଏବଂ ଆଇନଗତ ସହାୟତା ଉପଲବ୍ଧ କରାଇବା ଉପରେ ଉଦଯାପନୀ ଅଧିବେଶନରେ ଆଲୋଚନା ଅନୁଷ୍ଠିତ ହୋଇଥିଲା I ତତ୍ସହିତ ଅଧିବେଶନରେ ମାଗଣା ଆଇନ ସହାୟତା ସେବା, ଯୋଗ୍ୟତା ମାନଦଣ୍ଡ, ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରାଯାଇଥିଲା।