ଭୀମମଣ୍ଡଳୀ ଓ ଦେବଝରଣକୁ ପର୍ଯ୍ୟଟନ ସ୍ଥଳ ମାନ୍ୟତା, ପର୍ଯ୍ୟଟନ ମାନ୍ୟତା ହରାଇଲା ଉଷାକୋଠି !

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ): ବର୍ଷସାରା ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଥିବା ସମ୍ବଲପୁର ଜିଲାର ନାଳଟିଦେଉଳ ବ୍ଲକ ଅନ୍ତର୍ଗତ ପଞ୍ଚ ପାଣ୍ଡଵଙ୍କ ଆଶ୍ରୟ ସ୍ଥଳୀ ଭୀମମଣ୍ଡଳି ଏବଂ ଜୁଯୋମୁରା ବ୍ଳକର ଦେବଝରଣକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପ୍ରଦାନ କରାଯାଇଛି । ଏଥିସହ ହିରାକୁଦ ପର୍ଯ୍ୟଟନ କ୍ଷେତ୍ରର ସମନ୍ବିତ ନିକାଶ ଓ ବୁଢ଼ାରଳା ପାହାଡ଼ର ସୌନ୍ଦର୍ଯ୍ୟକରଣ ଅଧୁରାକାର୍ଯ୍ୟ ଶୀଘ୍ର ସମାପ୍ତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତା ପରିଡ଼ା ଆଜି ଘୋଷଣା କରିଛନ୍ତି ।
ସେହିପରି ଡେବ୍ରିଗଡ଼ କ୍ଷେତ୍ରର ହୀରାକୁଦ, ଡେବ୍ରିଗଡ଼ ବିକାଶ ଘୋଷଣା ସହିତ ସମନ୍ବିତ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରି ସମ୍ବଲପୁର ଗସ୍ତରେ ଆସିଥିବା ମନ୍ତ୍ରୀ ଆହୁରି କହିଲେ, ହୀରାକୁଦ ବନ୍ଧ ପାରିପାର୍ଶ୍ବରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସକାଶେ ସବିସ୍ତ୍ରୁତ ଯୋଜନା ରୂ ରୂପରେଖା ପ୍ରସ୍ତୁତ କରାଯାଉଛି। ପୂର୍ବରୁ ସମ୍ବଲପୁର ସହର ନଦୀତଟ ବିକାଶ ଘୋଷଣା ହୋଇସାରିଛି।ସାବରମତୀ ନଦୀ ବିକାଶ ପରି ବିକାଶ କରାଯିବ । ଏହାବ୍ୟତୀତ ହୀରାକୁଦ କ୍ଷେତ୍ରରେ ପର୍ଯ୍ୟଟନର ଅଶେଷ ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ୯୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।ଏଥିରେ ନଦୀବନ୍ଧ ପରିପାର୍ଶ୍ବରେ ହୀରାକୁଦ ସହର, ବୁର୍ଲା ସହରାଞ୍ଚଳର ପର୍ଯ୍ୟଟନ ବିକାଶ କରାଯିବ । ଡେବ୍ରିଗଡ଼ ଅଭୟାରଣ୍ୟ ଓ ନଦୀବନ୍ଧ କ୍ଷେତ୍ରକୁ ଆକର୍ଷକ କରିବା ଯୋଜନା ରହିଛି । ବାରପାହାଡ଼ ଅଞ୍ଚଳ ବୀର ସୁରେନ୍ଦ୍ର ସାଏଙ୍କ ଅଭେଦ୍ୟଦୂର ଥିଲା । ତେଣୁ ସେଥିପ୍ରତି ପର୍ଯ୍ୟଟକ ଓ ଇତିହାସ ପ୍ରେମୀଙ୍କୁ ଆକର୍ଷଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଉକ୍ତ କ୍ଷେତ୍ରରେ ବୀର ସୁରେନ୍ଦ୍ର ସାଏଙ୍କ ଏକ ବିଶାଳକାୟ ପ୍ରତିମା ସ୍ଥାପନ କରାଯିବ । ସମ୍ବଲପୁର ସହରରେ ଥିବା ବୁଢ଼ାରଜା ପାହାଡ଼ର ବିକାଶ ପାଇଁ ୨୦୧୬ ମସିହାରେ କାମ ଆରମ୍ଭ ହୋଇଥିଲେ ହେଁ ୯ ବର୍ଷ ପରେ ମଧ୍ୟ ୩୦%ରୁ ଅଧୂକ କାମ ବାକି ରହିଯାଇଛି । ସେଠାରେ ୱାଚ୍ ଟାୱାରକୁ ଅଧିକ ବିକଶିତ କରିବା ସହ ଅଧୁରାକାମ ଶେଷ କରିବାକୁ ୫୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ସବୁଠାରୁ ଖୁସିର କଥା, ଗଣମାଧ୍ୟମ ଜରିଆରେ ପ୍ରାୟତଃ ଯେଉଁ ଦୁଇଟି ପର୍ଯ୍ୟଟନସ୍ଥଳ ଭୀମମଣ୍ଡଳୀ ଓ ଦେବଝରଣକୁ ମାନ୍ୟତା ଦେବା ପାଇଁ ଦାବି ହୋଇ ଆସୁଥିଲା, ତା’କୁ ମାନ୍ୟତା ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଘୋଷଣା କରି ଆଞ୍ଚଳର ବିକାଶରେ ସରକାରଙ୍କ ଦାୟିତ୍ୱ ଓ ଭୂମିକାକୁ ସାବ୍ୟସ୍ତ କରାଇଛନ୍ତି।
ଉକ୍ତ ଦୁଇ ସ୍ଥଳରେ ପ୍ରାକୃତିକ ଜଳସ୍ରୋତ ଓ ଘଞ୍ଚ ବନାନୀ ରହିଥିବା ବେଳେ ଐତିହାସିକ ମହତ୍ତ୍ଵ ରହିଛି । କିନ୍ତୁ ଭୀମ ମଣ୍ଡଳି କୁ ଆଜିମଧ୍ୟ ସବୁଦିନିଆ ରାସ୍ତା ତିଆରି ହୋଇପାରି ନାହିଁ । ତେବେ ଦେବଝଲଣକୁ ଗତବର୍ଷ ଭଲରାସ୍ତା ନିର୍ମାଣ ହୋଇଛି । ସମ୍ପ୍ରତି ସମ୍ବଲପୁର ଜିଲାରେ ସମ୍ବଲପୁର ସହର, ହୀରାକୁଦ ବନ୍ଧ, ଘଣ୍ଟେଶ୍ଵରୀ, ହୁମା ବକ୍ରମନ୍ଦିର, ଗୁଦ୍ଗୁଦା ଜଳପ୍ରପାତ, ଖିଣ୍ଡା ଓ ବନ୍ଧରା ଆଦି ୭ଟି ମାନ୍ୟତାପ୍ରାପ୍ତ ପର୍ଯ୍ୟଟନ ସ୍ଥଳ ରହିଛି । ଉପରୋକ୍ତ ଦୁଇ ସ୍ଥଳ ପାଇଁ ପୂର୍ବ ସରକାରଙ୍କ ସମୟରେ ପ୍ରସ୍ତାବ ଦିଆଯାଇଥିବା ବେଳେ ଆଜି ଉପମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ତେବେ ସବୁଠୁ ବଡ଼ ଦୁର୍ଭାଗ୍ୟର ବିଷୟ ହେଉଛି ବଡରମା ଉଷାକୋଠି ର ବକାଶ ନେଇ ବିନ୍ଦୁ ବିସର୍ଗ ଆଲୋଚନା ହୋଇନାହିଁ। ଅର୍ଥାତ ପିଲା ଦିନର ପାଠ୍ୟ ପୁସ୍ତକରେ ଥିବା ଓ ପୂର୍ବରୁ ପର୍ଯ୍ୟଟନ ମାନ୍ୟତା ପାଇଥିବା ଉଷାକୋଠି ସମ୍ବଲପୁର ପର୍ଯ୍ୟଟନ ବିକାଶରେ କେଉଁ ସ୍ଥାନରେ ରହିଛି ନା ପର୍ଯ୍ୟଟନ ଇତିହାସରୁ ଏହା ହଜିଗଲା ତାହାହିଁ ବଡ଼ ପ୍ରଶ୍ନବାଚି ହୋଇ ବର୍ତ୍ତମାନକୁ ଉଙ୍କି ମାରିଛି।