May 10, 2026

ବ୍ୟାଗ ଛିନ୍ତାଇ ଓ ବାଇକଚୋରି ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ଟାଉନ୍ ଥାନା ପୋଲିସ 

IMG-20250208-WA0031
Share

 

 

ବାଲେଶ୍ଵର: ବାଲେଶ୍ୱର ଟାଉନଥାନରେ ହୋଇଥିବା ଦୁଇଟି ଭିନ୍ନଭିନ୍ନ ମାମଲାରେ ଦୁଇ ଜଣ ଯୁବକ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ଦୁଇଟି ବାଇକ୍ ଓ ଗୋଟିଏ ବ୍ୟାଗ ଓ ମୋବାଇଲ ଫୋନ୍ ଉଦ୍ଧାର ହୋଇଛି ବୋଲି ଟାଉନ୍ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ସୂଚନା ଦେଇଛନ୍ତି । ଗତ ମାସ ୩୧ତାରିଖରେ କୁନ୍ତଳାକୁମାରୀ କଲେଜରେ ପଢୁଥିବା ଜଣେ ଛାତ୍ରୀ ତଥା ସାରଗାଁ ଅଂଚଳର ଗାୟତ୍ରୀ ବେହେରା ସକାଳ ୧୧ଟା ସମୟରେ କଲେଜରୁ ଫେରି କମ୍ପ୍ୟୁଟର କ୍ଲାସ କରିବା ପାଇଁ ସୁଏଲପୁର ମସଜିଦ ଆଡ଼କୁ ଆସୁଥିବା ବେଳେ ଜଣେ ଯୁବକ ଏକ ବାଇକ୍ ଯୋଗେ ଆସି ତାଙ୍କ ବ୍ୟାଗ୍ ଛିନ୍ତାଇ କରି ନେଇ ପଳାଇଥିଲା। ସେଥିରେ ତାଙ୍କର ଦୁଇଟି ମୋବାଇଲ ଫୋନ୍ ଥିଲା ବୋଲି ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଟାଉନ୍ ଥାନା ପୁଲିସ ୨୭/୨୫ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ତେବେ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି କୁ ଯାଞ୍ଚ କରିବା ପରେ ସିସିଟିଭି ଫୁଟେଜ ଆଧାରରେ ଅଙ୍ଗାରଗଡିଆ ଅଂଚଳର ଯଶୋବନ୍ତ ସେଠୀକୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ବାଇକ୍ କୁ ମଧ୍ୟ ଜବତ୍ କରିଛି। ଯୁବକଙ୍କ ଠାରୁ ବ୍ୟାଗ ସମେତ ସମସ୍ତ ମୋବାଇଲ ମଧ୍ୟ ଜବତ କରିଛି । ଏଭଳି ଛିନ୍ତାଇ ମାମଲାରେ ପୂର୍ବରୁ ଟାଉନ୍ ଥାନାରେ ଦୁଇଟି,ସହଦେବଖୁଂଟା ଥାନାରେ ଗୋଟିଏ ଏବଂ ଶିଳ୍ପାଚଂଳ ଥାନାରେ ଗୋଟିଏ ମାମଲା ମଧ୍ୟ ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଟାଉନ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ଯାହାକି ଜଣେ ବ୍ୟକ୍ତିଙ୍କର ବାଇକ ଚୋରି ହୋଇଥିଲା । ଏହି ଘଟଣାରେ ପୁଲିସ ବାଇକ୍ ଚୋର ଜଳେଶ୍ୱର ଥାନା ଅର୍ନ୍ତଗତ ଗୋବର୍ଦ୍ଧନପୁର ଅଂଚଳର ବିଶ୍ୱଜିତ ନାଥ କୁ ଗିରଫ କରିଛି । ଭୀମପୁରା ଅଂଚଳର ମୂରଲୀଧର ଦାସଙ୍କ ଅଭିଯୋଗ ଅନୁସାରେ,ସେ ଗତବର୍ଷ ଅଗଷ୍ଟମାସ ୪ତାରିଖ ଅପରାହ୍ନ ୨ଟା ସମୟରେ ମିର୍ଜାପୋଖରୀ ଠାରେ ବିଶ୍ୱଜିତ ଏକ ମୋଟର ସାଇକେଲ କିଣିବା ପାଇଁ ମୂରଲୀଧର କୁ କହିଥିଲେ । ଏପରିକି ପୂର୍ବରୁ ମୂରଲୀଧର ଏହି ବାଇକ ଚୋରକୁ ଜାଣିଥିଲେ । ତେବେ ଉକ୍ତ ଦିନ କିଛି ସାକ୍ଷୀଙ୍କ ଉପସ୍ଥିତିରେ ତାଙ୍କୁ ମୋଟରସାଇକେଲ କିଣିବା ପାଇଁ କହିଥିଲେ । ହେଲେ ସେ କିଣିନଥିଲେ । ତେବେ ଚୋରି ହୋଇଥିବା ଉକ୍ତ ଗାଡ଼ିଟି ତାଙ୍କର ବୋଲି ସେ ଜାଣି ନଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨୮୯/୨୪ନମ୍ବରରେ ଏକ ମାମଲା ରୁଜୁ କରି ବିଶ୍ୱଜିତକୁ ଗିରଫ କରିବା ସହ ଉକ୍ତ ବାଇକ୍ କୁ ଜବତ କରିଥିଲା ପୋଲିସ୍। ତେବେ ଆଜି ମୂରଲୀଧରଙ୍କ ବାଇକ ଟାଉନ୍ ଥାନାରେ ତାଙ୍କୁ ଫେରାଇ ଦିଆଯାଇଛି। ବିଶ୍ୱଜିତ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଛି ବୋଲି ସଦର ଏସଡିପିଓ ଶ୍ରୀ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଟାଉନ୍ ଥାନା ଅଧିକାରୀ ଅଶୋକ ନାୟକ ଉପସ୍ଥିତ ରହିଥିଲେ।