February 1, 2025

ଅବ୍ୟବସ୍ଥା ଘେରରେ ଲାଞ୍ଜିଗଡ଼ ଗ୍ରାମ 

Share

ଲାଞ୍ଜିଗଡ଼ -( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଥିବା ଲାଞ୍ଜିଗଡ଼ ଗ୍ରାମଟି ନାନା ପ୍ରକାର ଅବ୍ୟବସ୍ଥା ମଧ୍ୟରେ ଅଣନିଶ୍ୱାସୀ ହୋଇପଡିଛି l ଏଠାରେ ବେଦାନ୍ତ କମ୍ପାନୀର ଆଲୁମିନା ରିଫାଇନେରୀ କାରଖାନା ଥାଇ ମଧ୍ୟ ବିକାଶର ଚିହ୍ନ ମଧ୍ୟ ନାହିଁ l ନା ସରକାରୀ ସ୍ତରରେ କିଛି ଉନ୍ନତି ହେଉଛି ନା କମ୍ପାନୀ ମାଧ୍ୟମରେ l ଗ୍ରାମ ମଧ୍ୟରେ ଥିବା ରାସ୍ତା ଗୁଡିକର ଅବସ୍ଥା କହିଲେ ନ ସରେ l

କିଛି ଦିନ ପୂର୍ବେ ପଞ୍ଚାୟତ ଦ୍ୱାରା ରାସ୍ତାର ମରାମତି କରିବା ନାଁ ରେ ମୁଖ୍ୟ ରାସ୍ତାର ଡ୍ରେନ ଉପରେ ଥିବା କଂକ୍ରିଟ ପ୍ଲେଟ ସବୁ ଉଠାଇ ଦିଆଗଲା l ଡ୍ରେନ ସଫା ହେଲା ପରେ ନୁଆଁ ପ୍ଲେଟ ଦିଆଯିବ ବୋଲି କୁହାଗଲା l ଡ୍ରେନରୁ କିଛି କିଛି ମାଟି କାଢ଼ି ଦିଆଗଲା l କିନ୍ତୁ ପରେ ଆଉ ସେ କାମ ପ୍ରତି ଦୃଷ୍ଟି ଦିଆଗଲା ନାହିଁ l ପୁରୁଣା ଭଙ୍ଗା ଘୋଡ଼ଣି ଗୁଡିକ ଭାଙ୍ଗି ଯାଇ ଏଣେ ତେଣେ ପଡିଛି, ଡ୍ରେନଗୁଡ଼ିକ ମେଲା ପଡ଼ିବା ଯୋଗୁଁ ପୁଣି ସେଥିରେ ଅଳିଆ ଆବର୍ଜନା ପଡ଼ି ପୋତି ହେବାକୁ ବସିଲାଣି, ଖୋଲା ଡ୍ରେନ ଯୋଗୁଁ ଅନେକ ସମୟରେ ମଣିଷ ଏବଂ ଯାନ ବାହାନ ପଡ଼ି ଦୁର୍ଘଟଣାମାନ ଘଟୁଛି, ଅଥଚ ପଞ୍ଚାୟତର ଆଉ ଏଥିପ୍ରତି ଦୃଷ୍ଟି ନାହିଁ l ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କୁ ପଚାରିଲେ ସେ କୌଣସି ଉତ୍ତର ଦେଉନାହାନ୍ତି l ସେଭଳି ପ୍ରଧାନୀ ପଡ଼ା,ଡ଼ମ୍ବବିଶି ପଡ଼ାରେ ମଧ୍ୟ ଡ୍ରେନ ସଫା କରିବା ଆଳରେ ଡ୍ରେନରୁ କିଛି କିଛି ମାଟି ବାହାର କରି ରାସ୍ତା ଉପରେ ପକାଇ ଦିଆ ଯାଇଛି l ଡ୍ରେନରେ ପାଣି ଯିବା ପାଇଁ ରାସ୍ତା ହିଁ ନାହିଁ l ଏ ସବୁ କାମ ପଞ୍ଚାୟତର ନାଏବ ସରପଞ୍ଚ ଏବଂ ୱାର୍ଡ଼ମେମ୍ବର ମିଶି କରିଛନ୍ତି l ସେମାନେ ମଧ୍ୟ ଏ ବିଷୟରେ ମୁହଁ ଖୋଲୁନାହାନ୍ତି l ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ଅଥଚ କାମ ଶୂନ l

ଲାଞ୍ଜିଗଡ଼ରେ ଆହୁରି ଅନେକ ସମସ୍ୟା ରହିଛି l ଆଶ୍ରମ ପଡ଼ାରେ ସାନଯୋର ନାମରେ ଏକ ପୋଖରୀ ଅଛି l ଶହ ଶହ ଲୋକ ସେଇ ପୋଖରୀର ଜଳ ବ୍ୟବହାର କରିଥାନ୍ତି l କିନ୍ତୁ ବର୍ତ୍ତମାନ ଅବସ୍ଥା ଏପରି ହୋଇଛି ଯେ ସେଥିରେ ଆଉ ଜଳ ଦେଖାଯାଉନାହିଁ l ବିଭିନ୍ନ ପ୍ରକାର ଦଳ, ଘାସ ଓ ଲଟାବୁଦା ଦ୍ୱାରା ପୋଖରୀଟି ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ ହୋଇ ଲୋକଙ୍କ ବ୍ୟବହାରରେ ଆସୁନାହିଁ l ପଞ୍ଚାୟତ ଦ୍ୱାରା ଏହାର ପୁନରୁଦ୍ଧାର ହୋଇପାରନ୍ତା, କିନ୍ତୁ ଆମର ସରପଞ୍ଚ ଏଥିପ୍ରତି ଆଖି ବୁଜି ଦେଇଛନ୍ତି ଯଦିଓ ସେଇ ପୋଖରୀ ନିକଟରେ ତାଙ୍କର ଘର l ମୋଟାମୋଟି ଭାବେ ଦେଖିବାକୁ ଗଲେ ଲାଞ୍ଜିଗଡ଼ ଗ୍ରାମ ପଞ୍ଚାୟତ ଅଞ୍ଚଳର କୌଣସି ପ୍ରକାର ବିକାଶ ନ କରି ସ୍ଥାଣୁ ପାଲଟି ଯାଇଛି l

ଲାଞ୍ଜିଗଡ଼ରେ ପାଇପ. ଯୋଗେ ଯେଉଁ ଜଳ ଯୋଗାଣ ହେଉଥିଲା, ତାହା ପ୍ରାୟ ଦୁଇ ବର୍ଷ ହେଲା ବନ୍ଦ ହୋଇଯାଇଛି l କେଉଁଠି କାରଣରୁ ଏହା ବନ୍ଦ ହୋଇଛି, ସେ ଉତ୍ତର କାହା ପାଖରେ ନାହିଁ l ଲୋକେ ପାଣି ଟିକିଏ ପାଇଁ ହନ୍ତସନ୍ତ ହେଉଛନ୍ତି l ହାତ ଗଣତି କେତୋଟି ନଳକୂପ ଛାଡିଦେଲେ ଏଠାରେ ଜଳର କୌଣସି ସୁବିଧା ନାହିଁ l

ଏତେବଡ଼ ଗାଁ ରେ ଶ୍ମଶାନଟିଏ ମଧ୍ୟ ନାହିଁ l ଶବ ସତ୍କାର ପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅନେକ ଥର ଏ ନେଇ ଅଭିଯୋଗ କଲା ପରେ ମଧ୍ୟ ଏ ସମସ୍ୟାର ସମାଧାନ ଆଜିଯାଏଁ ହୋଇପାରି ନାହିଁ l

ଲାଞ୍ଜିଗଡ଼ ଗ୍ରାମର ଏବଂ ଏଠାକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ l ସବୁ ରାସ୍ତା ଖାଲଖମାରେ ପୁରିଛି l ଯାନ ବାହାନ କଥା ଛାଡ଼, ପାଦରେ ଚାଲିବା ମଧ୍ୟ କଷ୍ଟକର l ତେଣୁ ଅନେକ ସମୟରେ ଦୁର୍ଘଟଣାମାନ ଘଟିବା ସ୍ୱାଭାବିକ l ଆଉ ପରିଷ୍କାର ପରିଚ୍ଛନ୍ନତା କଥା ନ କହିବା ଭଲ l ସବୁ ଆଡ଼େ କୁଢ଼ କୁଢ଼ ଅଳିଆ ପଡ଼ି ରହିଛି ଏବଂ ରାସ୍ତା ଉପରେ ନର୍ଦ୍ଦମା ଜଳ ବହି ଚାଲିବା ଏକ ନିତିଦିନିଆ ଘଟଣା l ବାର ବାର ଏ ବିଷୟରେ ଅଭିଯୋଗ କରି ମଧ୍ୟ କୌଣସି ସୁଫଳ ମିଳିନାହିଁ l ଲୋକେ ବିଭିନ୍ନ ସମସ୍ୟା ଘେରରେ ପଡ଼ି ଅତିଷ୍ଠ ହୋଇ ପଡିଲେଣି l ଏଥିପ୍ରତି ସରକାରୀ ସ୍ତରରେ କିଛି କାର୍ଯ୍ୟାନୁଷ୍ଠାନ ହୋଇ ପାରୁନି କିମ୍ବା ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀ ମଧ୍ୟ ନୀରବଦ୍ରଷ୍ଟା ସାଜିଛି l ଯଦିଓ କମ୍ପାନୀ ତାର ପ୍ରକଳ୍ପର ଚତୁଃପାର୍ଶ୍ୱରେ ଥିବା ତିରିଶି କିଲୋମିଟର ବ୍ୟାପୀ ଅଞ୍ଚଳରେ ପାରିପାର୍ଶ୍ଵିକ ଉନ୍ନୟନ କାର୍ଯ୍ୟ କରିବା କଥା, ସେଥିପ୍ରତି ସେ ନୀରବଦ୍ରଷ୍ଟା ସାଜି ବସିଛି l ଦୀର୍ଘ 22 ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କମ୍ପାନୀର କୌଣସି ଆଖିଦୃଶିଆ କାର୍ଯ୍ୟ ପରିଲକ୍ଷିତ ହେଉନାହିଁ l କମ୍ପାନୀ ଦେଇଥିବା ପ୍ରତିଶୃତି ମଧ୍ୟରୁ ଏ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ପାଳିତ ହୋଇନାହିଁ l ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ପ୍ରତି ଆଦୌ ଦୃଷ୍ଟି ଦେଇନାହିଁ l ତେଣୁ ଲାଞ୍ଜିଗଡ଼ ଲୋକେ କାହା ଉପରେ ଭରସା କରିବେ ? ସରକାର ଉପରେ ନାଁ ବେଦାନ୍ତ କମ୍ପାନୀ ଉପରେ ? ଏମାନଙ୍କୁ କେବଳ ଭଗବାନ ହିଁ ଭରସା ବୋଲି ଆଲୋଚନା ହେଉଛି l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା, ନିୟୁଜ ଉପାନ୍ତ ଖବର

You may have missed