May 23, 2025

ଟାଉନ୍ ହାଇ ସ୍କୁଲରେ ତମାଖୁ ବର୍ଜନ ସଚେତନତା କର୍ମଶାଳା

Share

 

 

ବାଲେଶ୍ୱର(ଶେଖ୍ ନଜିମ୍): ବାଲେଶ୍ୱର ଶିଶୁ ଚିକିତ୍ସକ ସଂଘ (ଏକାଡେମୀ ଅଫ ପେଡିଆଟ୍ରିକ୍ସ) ପକ୍ଷରୁ ତମାଖୁ ବର୍ଜନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ କର୍ମଶାଳା ସ୍ଥାନୀୟ ଟାଉନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ଭୂୟାଁ ଅଧ୍ୟକ୍ଷତା କରିବା ସହିତ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏକାଡେମୀର ସଭାପତି ବିଶିଷ୍ଟ ଶିଶୁ ଚିକିତ୍ସକ ଡାକ୍ତର ବିଜୟ କୁମାର କର କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସାଧାରଣତଃ କୁସଙ୍ଗରେ ପଡ଼ି ପିଲାଟି ବେଳୁ ଛାତ୍ରଛାତ୍ରୀମାନେ ତମାଖୁ ସେବନ ଭଳି ଭୁଲ କାର୍ଯ୍ୟରେ ଲିପ୍ତ ହୋଇଯାଆନ୍ତି । ତେଣୁ ତମାଖୁ ସେବନର ଅପକାରିତା ତଥା ପରିବାର ଓ ସମାଜରେ ତାହାର କୁପ୍ରଭାବ ସମ୍ପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଭଳି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଡାକ୍ତର କର କହିଥିଲେ । ବରିଷ୍ଠ ଶିଶୁରୋଗ ଚିକିତ୍ସକ ଡାକ୍ତର ଚିନ୍ତାମଣି ପଣ୍ଡା, ଡାକ୍ତର ରଶ୍ମିକାନ୍ତ ଜଟାନିଆ, ଡାକ୍ତର ମିନାକ୍ଷୀ ରାୟ, ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଏଥିରେ ଅତିଥି ବକ୍ତାଭାବେ ଯୋଗଦେଇ ତମାଖୁ ପ୍ରଭାବରେ ସୃଷ୍ଟି ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କେବଳ ଧୂମପାନ ଭଳି ତମାଖୁ ସେବନ କରୁଥିବା ବ୍ୟକ୍ତି ନୁହଁନ୍ତି ତମାଖୁ ସେବନକାରୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ସମାନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ତେଣୁ ଏଥିପ୍ରତି ସମସ୍ତେ ସତର୍କ ରହିବା ସହ ସମାଜରେ ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ବକ୍ତାମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସୁପ୍ରସିଦ୍ଧ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନବକିଶୋର ପ୍ରଧାନ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ତମାଖୁ ସେବନ ଜନିତ ଅପକାରିତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ତମାଖୁ ସେବନ କ୍ୟାନସର ରୋଗର ମୁଖ୍ୟ କାରଣ । ଏଥିପ୍ରତି ନିଜେ ସାବଧାନ ହେବା ସହ ଅନ୍ୟଙ୍କୁ ଚେତାବନୀ ଦେବା ଛାତ୍ରଛାତ୍ରୀ ନିଜସ୍ୱ କର୍ତ୍ତବ୍ୟ ଭାବେ ପରିଗଣିତ କରିବା ଉଚିତ ବୋଲି ଡାକ୍ତର ପ୍ରଧାନ କହିଥିଲେ । ଏକାଡେମୀର ସମ୍ପାଦକ ଡାକ୍ତର ପ୍ରତୀକ କୁମାର ଦେ ବିବରଣୀ ଉପସ୍ଥାପନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୋଷାଧ୍ୟକ୍ଷ ଡାକ୍ତର ପ୍ରୀତମ ଘୋଷାଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଟାଉନ ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି କର୍ମଶାଳା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।