ବୁଗୁଡ଼ାରେ ଅସହ୍ୟ ହେଲାଣି ମଶା ଯନ୍ତ୍ରଣା , ମୁକୁଳା ପଡିଛି ଡ୍ରେନ୍ , ପ୍ରତିକାର ଦାବି
ବୁଗୁଡ଼ା : ତା ୨୯/୦୩/୨୩ : ବୁଗୁଡ଼ା ସହରରେ ଅସହ୍ୟ
ହେଲାଣି ମଶା ଯନ୍ତ୍ରଣା । ଘରେ ବାହାରେ ସବୁଠି ଏକା ପରିସ୍ଥିତି। ସବୁଠି ପଲ ପଲ ମଶା । ଦିନରାତି ବାଛବିଚାର ନାହିଁ । ସହରରେ ଏବେ ମଶା ଯୋଗୁଁ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ସହରରେ ଦୁଇ ପ୍ରକାରର ମଶା ଦେଖାଯାଉଛି । ଗୋଟିଏ ପ୍ରକାରର ମଶା ଲଟାବୁଦା ଥିବା ଜାଗାରେ ଦେଖାଯାଉଥିବା ବେଳେ ଅନ୍ୟଟି ନର୍ଦ୍ଦମା ଓ ଘରର ଶୌଚାଳୟରୁ ବାହାରୁଥିବା ଦେଖାଯାଉଛି | ଏନ୍ଏସିର ଅଧିକାଂଶ ଡ୍ରେନରେ କଭର ପ୍ଲେଟ୍ ନଥିବା ବେଳେ ମାସ ମାସ ଧରି ସେଗୁଡିକକୁ ସଫା ନକରିବା ଫଳରେ ମଶା ବଂଶ ଆଶାତୀତ ଭାବେ ବୃଦ୍ଧି ପାଉଛି । ଅନ୍ୟପକ୍ଷରେ ସହରର ଫାଙ୍କା ଜାଗାରେ ଗଢ଼ି ଉଠିଥିବା ଲଟାବୁଦା ଏବଂ ଆବର୍ଜନା ପରିବେଶ ଯୋଗୁଁ ମଶା ପ୍ରବଳ ହେଉଛି । ଏଥି ପ୍ରତି ଏନ୍ଏସି କର୍ତ୍ତୃପକ୍ଷଙ୍କ କୌଣସି ନିଘା ରହୁନାହିଁ । ମଶା ମାରିବା ପାଇଁ ଟିଫା ମେସିନ୍ କିଣା ଯାଇଥିଲେ ହେଁ ତାକୁ କାମରେ ଲଗାଯାଉନାହିଁ । ସହରର ସର୍ବସାଧାରଣ ଜାଗାଗୁଡିକୁ ଏନ୍ଏସି ପକ୍ଷରୁ ଏକ ପ୍ରକାର ସଫେଇ କରାଯାଉଥିଲେ ହେଁ ସହରରେ ରହିଥିବା ପ୍ରାଇଭେଟ୍ ଜାଗା ଗୁଡିକ ଏବେ ଆବର୍ଜନାମୟ ହୋଇ ରହିଛି । ଶହ ଶହ ପ୍ରାଇଭେଟ୍ ଜାଗା ଆବର୍ଜନାରେ ପରିପୂର୍ଣ୍ଣ ହୋଇଥିବା ବେଳେ ମାଲିକ ମାନେ ସଫା କରୁନାହାନ୍ତି । ସେମାନଙ୍କ ପ୍ରତି ମଧ୍ୟ ଏନ୍ଏସି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଏନ୍ଏସି ପକ୍ଷରୁ ନାଳ ନର୍ଦ୍ଦମା ସଫେଇ ସହ ମଶା ମରା ଟିଫା ମେସିନର ପ୍ରୟୋଗ କରିବାକୁ ସାଧାରଣରେ ଦାବି ହେଉଛି ।