୩୨ତମ ରାଜ୍ୟ ସ୍ତରୀୟ ଶିଶୁ ସାହିତ୍ୟିକ ସମ୍ମିଳନୀ ପ୍ରତି ବ୍ଲକରେ ଶିଶୁ ପାଠାଗାର ଓ ସଂଗ୍ରହାଳୟ ଖୋଲିବାକୁ ଦାବି
ପୁରୀ -୨୫. ୧୨. ୨୪ ବିଦ୍ୟାଳୟ ପାଠାଗାର ଗୁଡିକୁ କ୍ରିୟାଶୀଳ କରି ଶିଶୁମାନଙ୍କୁ ପଠନ ମନସ୍କ କରାଇବା ସହିତ ପ୍ରତି ବ୍ଲକ ରେ ଶିଶୁ ପାଠାଗାର ଓ ସଂଗ୍ରହାଳୟ ଖୋଲାଯିବାକୁ ଆଜି ଏଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟିକ ସମ୍ମିଳନୀ ରେ ଗୁରୁତ୍ୱାରୋପ କରାଯାଇଛି।
ଆଜି ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ଓ ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ୩୨ତମ ଶିଶୁ ସାହିତ୍ୟିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସଂସଦର ସଭାପତି ପ୍ରାଣକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଶିଶୁ କିଶୋର ସାହିତ୍ୟ ଏକାଡେମୀ, ଓଡିଶା ର ସଭାପତି ପ୍ରଫେସର ଦାଶ ବେନହୁର ଉଦଘାଟନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ମୁଖ୍ୟ ଅତିଥି, ବିଶ୍ଵଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାଷା ଭବନର ଅଧ୍ୟକ୍ଷ ପ୍ରଫେସର ମନୋରଞ୍ଜନ ପ୍ରଧାନ ମୁଖ୍ୟ ବକ୍ତା, କିସ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଜୟାନନ୍ଦ ସିଂହ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରଫେସର ଲମ୍ବୋଦର ସାହୁ, ସାହିତ୍ୟିକ ନଗେନ୍ଦ୍ରନାଥ ପଟ୍ଟନାୟକ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପୂର୍ବତନ ନଗର ପାଳ ସୁରେନ୍ଦ୍ର ନାଥ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ସଂସଦର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ମହାନ୍ତି। ଉପସଭାପତି ରମେଶ ଚନ୍ଦ୍ର ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଡ଼କ୍ଟର ହେମନ୍ତ କୁମାର ଛୋଟରାୟ।
ଏହି ଅବସରରେ ବିଭୁତି ଭୂଷଣ ପଟ୍ଟନାୟକଙ୍କ ଲିଖିତ ପୁସ୍ତକ ପିଲାଙ୍କ କାହାଣୀ, ଜୟକୃଷ୍ଣ ସାହୁଙ୍କ ପୁସ୍ତକ ମାମୁଁ ଘର ଗାଁ ଟି ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ସମାରୋହରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼କ୍ଟର ଲିଙ୍ଗରାଜ ରଥ(କେନ୍ଦ୍ରାପଡ଼ା), ଧ୍ରୁବ ଚରଣ ଘିବେଲା (ବୌଦ୍ଧ), କନ୍ଦର୍ପ ବେହେରା (ରେଢ଼ାଖୋଲ), କୃପାସିନ୍ଧୁ ବିଶ୍ୱାଳ (ପୁରୀ, କଣାସ), ଶ୍ରୀନିବାସ ବେହେରା (କଳାହାଣ୍ଡି), ପ୍ରଭାତ ନଳିନୀ ସାହୁ (ଯାଜପୁର), କଳ୍ପନା ମିଶ୍ର (ପୁରୀ)ଙ୍କୁ ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିଲେ କବି କ୍ରିଷ୍ଣା ମହାପାତ୍ର।
ସମ୍ମିଳନୀ ରେ ଉଦବୋଧନ ଦେଇ ଅତିଥି ମାନେ ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହୋଇପାରିବା ଭଳି ଗବେଷଣାତ୍ମକ ନିବନ୍ଧ ରଚନା ଉପରେ ଗୁରୁତ୍ୱ ଦେବାକୁ ଶିଶୁ ସାହିତ୍ୟିକ ମାନଙ୍କୁ ପରାମର୍ଶ ଦେବା ସହ ଶିଶୁ ସାହିତ୍ୟ ସରଳ, ସାବଲୀଳ ଏବଂ ଶିଶୁ ମନଲାଖି ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ।
ଦିବଂଗତ କବି ହରିହର ମିଶ୍ର, ସୁନୀଲ ରଥ, ଭବାନୀ ପ୍ରସାଦ ବଳିୟାର ସିଂହ ଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା। ଭଗବତୀ ବିଦ୍ୟାନିକେତନର ବିଦ୍ୟାର୍ଥୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଭକ୍ତି ସଂଗୀତ ଗାନ କରିଥିଲେ କଣ୍ଠଶିଳ୍ପୀ ପ୍ରୀତିଶା ମହାପାତ୍ର। ପ୍ରଭାତ ଚନ୍ଦ୍ର ରଥ, ମିନତୀ ପଟ୍ଟନାୟକ, ଅନ୍ନପୂର୍ଣ୍ଣା ଦେବୀ, ଲକ୍ଷ୍ମୀକାନ୍ତ ଦଳେଇ, ଶ୍ୟାମ ପ୍ରକାଶ ସେନାପତି ଦୁର୍ଗାବତୀ ପ୍ରଧାନ, କୈଳାସ ବିଶୋଇ, ପ୍ରଜ୍ଞା ସାହୁ, ପୂଜା ସାହୁ, ରଶ୍ମି ବେହେରା ଓ ଜଳନ୍ଧର ବିଶୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କୋଷାଧକ୍ଷ ଲକ୍ଷ୍ମୀଧର ମାଝୀ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଶିଶୁ ସାହିତ୍ୟିକ ଯୋଗ ଦେଇଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ