December 18, 2024

ରବି ଚାଷ ପାଇଁ ଚାଷୀଙ୍କ ସାଧାରଣ ବୈଠକ , ରବି ଚାଷ ପାଇଁ ଜଳ ଯୋଗାଣ କରିବ ନାହିଁ ବାଘୁଆ ଜଳଭଣ୍ଡାର

Share

 

ବୁଗୁଡା : ତା ୧୬/୧୨/୨୪ : ବୁଗୁଡା ସ୍ଥିତ ବାଘୁଆ ଜଳସେଚନ କାର୍ଯ୍ୟାଳୟଠାରେ ଚାଷୀମାନଙ୍କୁ ନେଇ ରବି ଚାଷ ସମ୍ପର୍କିତ ଏକ ସାଧାରଣ ବୈଠକ ବାଘୁଆ ଜଳସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୩୧୦୦ ହେକ୍ଟର ମିଟର ହୋଇଥିବା ସ୍ଥଳେ ବର୍ତ୍ତମାନ ବାଘୁଆ ଜଳଭଣ୍ଡାରରେ ୧୩୮.୯୭ ହେକ୍ଟର ମିଟର ଜଳ ଗଛିତ ଅଛି ଯାହାକି ମୋଟ ଜଳଧାରଣ କ୍ଷମତାର ୪.୪୮% ଅଟେ ବୋଲି ଅବଗତ କରାଯାଇଥିଲା। ଏଥି ସହ ଆଗାମୀ ଗ୍ରୀଷ୍ମ ଋତୁରେ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପାନୀୟଜଳ ଯୋଗାଣ ଅନିର୍ବାର୍ଯ୍ଯ ହେଉଥିବା ଯୋଗୁଁ ଏବଂ ରବି ଋତୁରେ ଚାଷ ନିମନ୍ତେ ବାଘୂଆ ଜଳଭଣ୍ଡାରରେ ଜଳ ସ୍ବଳ୍ପତା ଦୃଷ୍ଟିରୁ ଜଳ ଯୋଗାଣ ସମ୍ଭବ ହୋଇପାରିବ ନାହିଁ ବୋଲି ମଧ୍ୟ ଉପସ୍ଥିତ ସମସ୍ତ ଚାଷୀମାନଙ୍କୁ ଅବଗତ କରାଇଥିଲେ। ତେଣୁ, ବାଘୂଆ ଜଳସେଚନ ଉପରେ ନିର୍ଭର କରି କୌଣସି ଚାଷ ନକରିବାକୁ ଏବଂ ଏ ନେଇ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଅବଗତ କରାଇବା ପାଇଁ ସଭ୍ଯମାନଙ୍କୁ ଅନୁରୋଧ କରାଯାଇଥିଲା । ବୈଠକରେ ବୁଗୁଡ଼ା ସହ କୃଷି ଅଧିକାରୀ ହରପ୍ରୀୟା ବେହେରା ରବି ଋତୁରେ କମ୍ ଜଳରେ ଉତ୍ପାଦିତ ବିଭିନ୍ନ ଫସଲ ଉପରେ ଆଲୋଚନା କରିଥିଲା ବେଳେ ପୋଲସରା ସହକାରୀ ଉଦ୍ଯାନ ଅଧିକାରୀ ଦିପ୍ତିମୟୀ ବସନ୍ତିଆ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ମୂଳକ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ସହକାରୀ ଯନ୍ତ୍ରୀ କେଶବ ଖଟାଇ ସ୍ବାଗତ ଭାଷଣ ଦେଇଥିବା ବେଳେ ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ପରିଚାଳନାରେ ଅନ୍ଯତମ ସହକାରୀ ଯନ୍ତ୍ରୀ ବିଶ୍ବ ଜୀବନ ମହାପାତ୍ର ସହଯୋଗ କରିଥିଲେ।