ନିର୍ମାଲ୍ୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଏବଂ ସମ୍ମାନ ପ୍ରଦାନ ସମାରୋହ
ପୁରୀ ତା. 14/12 ଭୁବନେଶ୍ବରର ଶିକ୍ଷା, ଗବେଷଣା ଓ ଜ୍ଞାନ କେନ୍ଦ୍ର ପକ୍ଷରୁ ନିର୍ମାଲ୍ୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଏବଂ ସମ୍ମାନ ପ୍ରଦାନ ସମାରୋହ-2024 ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ସଭାପତି ଅଭିନେତ୍ରୀ ଗୁନଗୁନ୍ ଏଥିରେ ଅଧ୍ୟକ୍ଷତା କରିଥିଲେ I ଏଥିରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଗଙ୍ଗାମାତା ମଠର ମହନ୍ତ ବଳରାମ ଦାସ ଗୋସ୍ଵାମୀ, ଶ୍ରୀମନ୍ଦିର ଛତିସା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ସେବକ ଗୌରୀ ଶଙ୍କର ସିଂହାରୀ, ପରିଚୟ ଫାଉଣ୍ଡେସନ୍ ର ସଭାପତି ଡକ୍ଟର ରୋଜାଲିନ ପାଟ୍ଟଶାଣୀ ମିଶ୍ର, ସଙ୍ଗୀତକାର ବିବୁ ଦାସ ଏବଂ ସମାଜସେବୀ ଜିନେସ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍ସବର ସଫଳତା ପାଇଁ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଥିଲେ I ଏହି ଅବସରରେ ବର୍ଷିୟାନ୍ ଓଡ଼ିଶୀ ନୃତ୍ୟଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ, ସଙ୍ଗୀତ ଗୁରୁ ଗୌରାଙ୍ଗ ଚରଣ ଖୁଣ୍ଟିଆ, ନୃତ୍ୟଗୁରୁ ଅଶୋକ କୁମାର ଦାସ ଙ୍କୁ ‘ନିର୍ମାଲ୍ୟ ସମ୍ମାନ’ ଏବଂ ଅଭିନେତା ଶ୍ରୀତମ ଦାସ ଙ୍କୁ ‘ଜ୍ଞାନ ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା I ସମ୍ପାଦିକା ରୀନା ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ I ନିର୍ମାଲ୍ୟ କୁମାର ଅତିଥି ପରିଚୟ ଏବଂ ସୁଧାଂଶୁ ଭୂଷଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ I ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ଅର୍ଘ୍ୟରେ ଅଭିନେତ୍ରୀ ଗୁନଗୁନ୍ ଏବଂ ତାଙ୍କ ସାଥିଙ୍କ ଦ୍ଵାରା ମାହାରୀ ନୃତ୍ୟ ପରିବେଷଣ କରାଯାଇଥିଲା I ଗୁରୁ ଗୌରାଙ୍ଗ ଚରଣ ଖୁଣ୍ଟିଆ ଓଡ଼ିଶୀ ସଙ୍ଗୀତରେ ‘ନବ ନବିନା ଶ୍ୟାମ ଝୁରେ ତୋ’ ବିନା’ ସୁକାମିନୀ ନନ୍ଦଙ୍କ ରଚନାରୁ ପରିବେଷଣ କରିଥିଲେ I ପରେ ନୃତ୍ୟଗୁରୁ ବବିତା ଦାସ ଓ ସାଥୀଙ୍କ ଦ୍ବାରା ନୃତ୍ୟାଭିନୟ ‘ପୁତନା’ ପରିବେଷଣ କରାଯାଇ ଉପସ୍ଥିତ କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I ପରେପରେ ନବପ୍ରତିଭା ଅନୁଷ୍ଠାନ ପକ୍ଷରୁ ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି, କଳା ମଣିମାହେ ଫୁଲ ଆଣିଛି ଏବଂ ଦେବୀ ବନ୍ଦନା ଉପରେ ଆଧାରିତ ନୃତ୍ୟ ପରିବେଷିତ ହୋଇଥିଲା I
ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସାଂସ୍କୃତିକ ସଙ୍ଗଠକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ I
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ