December 12, 2024

ପିପୁଲ୍ସ କଲେଜରେ ମାନବାଧିକାର ଦିବସ ପାଳନ ଓ ଆଲୋଚନା ଚକ୍ର 

Share

ବୁଗୁଡା : ତା ୧୦/୧୨/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମାନବାଧିକାର ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହାର ଶୀର୍ଷକ ” ଦି ଲ୍ଯାଣ୍ଡସ୍କେପ୍ ଅଫ୍ ହ୍ୟୁମାନ ରାଇଟ୍ସ : ପାଷ୍ଟ , ପ୍ରେଜେଣ୍ଟ ଏଣ୍ଡ୍ ଫ୍ଯୁଚର ” ରହିଥିଲା । କଲେଜର ସାଧାରଣ ସଭାଗୃହରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ଗୋଚ୍ଛାବାଡି ୟୁପିଏସ୍ ଶିକ୍ଷକ ଅଜିତ କୁମାର ପଣ୍ଡା ଓ ବକ୍ତା ଭାବେ ତେନ୍ତୁଳିଆ ଦେବସ୍ଥାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅଲେଖ ଚନ୍ଦ୍ର ଘଡେଇ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ମାନବିକ ଅଧିକାରର ଗତିଶୀଳ ଭୂଦୃଶ୍ଯ ସାଙ୍ଗକୁ ଏହାର ଅତୀତ ଓ ଭବିଷ୍ୟତ ସମ୍ପର୍କେ ଆଲୋକପାତ କରିଥିଲେ । ଅଧ୍ଯାପକ ବିନୋଦ କୁମାର କର କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଳେ ଛାତ୍ରୀ ରୂପାଲି ପାତ୍ର ଓ ଗିତାଞ୍ଜଳୀ ପ୍ରଧାନ ଆଲୋଚନା ଚକ୍ରର ସନ୍ଦର୍ଭ ପାଠ କରିଥିଲେ । ଏଥି ସହ ୧୯୯୩ ମାନବିକ ଅଧିକାର ସୁରକ୍ଷା ଆଇନ ଅନୁସାରେ ସମଗ୍ର ଭାରତ ବର୍ଷରେ ତା’ର ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା କେତେକ ମାନବିକ ଅଧିକାର ସମ୍ପର୍କେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗ ଅଧ୍ଯାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ମଞ୍ଚାସୀନ ରହିଥିବା ବେଳେ ଏହାର ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ପରିଶେଷରେ ସେମିନାର ସେକ୍ରେଟାରୀ ରୋଜାଲିନ୍ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।