ଇଣ୍ଡେନ ବଟଲିଂ ପ୍ଲାଂଟରେ ପରିବହନ ଠିକାକୁ ନେଇ ଆଂଚଳିକ ଟ୍ରକ ମାଲିକ ସଂଘର ଆନ୍ଦୋଳନ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାମ ରାଜସ୍ଥାନ ଟ୍ରକ ମାଲିକଙ୍କ ଆକ୍ରମଣକୁ ନେଇ ଭୟର ବାତାବରଣ ;
ବାଲେଶ୍ୱର (ଶେଖ୍ ନଜିମ୍) :- ବାଲେଶ୍ୱରର ଇଣ୍ଡିଆନ ଅଏଲର ଏଲପିଜି ବଟଲିଂ ପ୍ଲାଂଟରେ ଅଣ ଓଡିଆ ଅଧିକାରୀଙ୍କ ଆକ୍ରୋଶମୂଳକ ପଦକ୍ଷେପ ଯୋଗୁଁ ଗ୍ୟାସ ଟାଙ୍କି ପରିବହନରେ ସମସ୍ୟା ଉପୁଜୁଥିବା ବେଳେ ସେମାନଙ୍କ ପ୍ରୋତ୍ସାହନରେ ବାହାର ରାଜ୍ୟର ଟ୍ରକ ମାଲିକଙ୍କ ବଢି ଚାଲିଥିବା ଜୁଲୁମ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଏହି କ୍ରମରେ ଚର୍ଚ୍ଚିତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଦର୍ଶାଇ ରାଜସ୍ଥାନର ୫ଜଣ ଟ୍ରକ ମାଲିକ ବଟଲିଂ ପ୍ଲାଂଟ ସମ୍ମୁଖରେ ସ୍ଥାନୀୟ ଅଂଚଳର ଟ୍ରକ ମାଲିକଙ୍କୁ ଆକ୍ରମଣ ସହିତ ଜୀବନରୁ ମାରି ଦେବାର ଧମକ ଦେବା ଘଟଣାକୁ ନେଇ ଶିଳ୍ପାଂଚଳ ଥାନାରେ ଅଭିଯୋଗ ହୋଇଛି । ବଟଲିଂ ପ୍ଲାଂଟ ଛାଡି ଚାଲିଯିବାକୁ ସେମାନେ ଧମକ ଦେଇ ଦୁଇଜଣ ଟ୍ରକ ମାଲିକଙ୍କୁ ଆକ୍ରମଣ କରିଥିବା ସଂଘର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ବାମପଦା ଠାରେ ଇଣ୍ଡିଆନ ଅଏଲର ବଟଲିଂ ପ୍ଲାଂଟ ସ୍ଥାପନ ହେବା ବେଳେ ସ୍ଥାନୀୟ ଅଂଚଳର ଯୁବକଙ୍କୁ ଗ୍ୟାସ ଟାଙ୍କି ପରିବହନ ପାଇଁ ସୁଯୋଗ ଦେବା ନେଇ ପ୍ରତିଶୃତି ମିଳିଥିଲା । ବଟଲିଂ ପ୍ଲାଂଟରୁ ବିଭିନ୍ନ ଅଂଚଳକୁ ଗ୍ୟାସ ଟାଙ୍କି ପରିବହନ ପାଇଁ ପ୍ରାୟ ୯୦ରୁ ଉର୍ଦ୍ଧ୍ୱ ଟ୍ରକ ଆବଶ୍ୟକ ହେଉଥିବା ବେଳେ ୨୦୧୯ରେ ଟେଣ୍ଡର କରାଯାଇ ସ୍ଥାନୀୟ ଅଂଚଳର ୨୦ଟି ଟ୍ରକକୁ ପରିବହନ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । ଏହା ବିରୋଧରେ ଟ୍ରକ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇବା ସହ ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରଖିଥିଲେ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ସହ ଇଣ୍ଡିଆନ ଅଏଲ କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ମୋଟ ୫୫ଟି ଟ୍ରକକୁ ୫ବର୍ଷ ପାଇଁ ପରିବହନ କାର୍ଯ୍ୟାଦେଶ ଦିଆଯାଇଥିଲା । ସେତେବେଳେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଗଳା ବାଟ ଦେଇ ଅନ୍ୟ ରାଜ୍ୟର କିଛି ଟ୍ରକକୁ ଗ୍ୟାସ ଟାଙ୍କି ପରିବହନ କାର୍ଯ୍ୟରେ ନିୟୋଜିତ କରିଥିଲେ । ୨୦୨୪ରେ ପୁଣି ଥରେ ଜୁଲାଇ ମାସରେ ଟେଣ୍ଡର ଡକାଯାଇ ଏଥିରେ ମାତ୍ର ୧୯ଟି ଟ୍ରକ ଓ ପରେ ଆଉ ୬ଟିକୁ ମିଶାଇ ୨୫ଟି ଟ୍ରକକୁ କାର୍ଯ୍ୟାଦେଶ ଦିଆଯାଇଛି । ଏହା ବିରୋଧରେ ଆଂଚଳିକ ଟ୍ରକ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ସ୍ଥାନୀୟ ଅଂଚଳର ୫୬ଟି ଟ୍ରକକୁ ପରିବହନ କାର୍ଯ୍ୟାଦେଶ ଦେବା ଦାବିରେ ପ୍ଲାଂଟ ସମ୍ମୁଖରେ ଟ୍ରକ ଗୁଡିକୁ ଛିଡା କରାଯାଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଥିବା ସଂଘର କର୍ମକର୍ତ୍ତାମାନେ ଜଣାଇଛନ୍ତି । ଏପରିକି ପୂର୍ବରୁ ପରିବହନ କରୁଥିବା ଗାଡ଼ିଗୁଡିକୁ କାରଖାନା ଭିତରକୁ ଛଡାଯାଉ ନଥିବା ସେମାନେ କହିଛନ୍ତି । ଏହାର ଦିନକ ପରେ ରାଜସ୍ଥାନର କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ନିଜକୁ ଟ୍ରକ ମାଲିକ ଦର୍ଶାଇ ସ୍ଥାନୀୟ ଟ୍ରକ ମାଲିକଙ୍କୁ ଆନ୍ଦୋଳନରୁ ଓହରି ଯିବାକୁ ଧମକ ଦେଇଥିବା ସେମାନେ କହିଛନ୍ତି । ୨୫ରୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚରେ ଗୋଟିଏ ଗୋଟିଏ ଟ୍ରକ କିଣି ଗ୍ୟାସ ଟାଙ୍କି ପରିବହନ ମାଧ୍ୟମରେ ପରିବାର ପ୍ରତିପୋଷଣ ପାଇଁ ଉଦ୍ୟମ ଚଳାଇଥିବା ବେଳେ ଇଣ୍ଡିଆନ ଅଏଲର ଅଣ ଓଡିଆ ଅଧିକାରୀମାନଙ୍କ ଅତ୍ୟାଚାର ଦିନକୁ ଦିନ ଅସହ୍ୟ ହୋଇପଡୁଥିବା ସଂଘର କର୍ମକର୍ତ୍ତାମାନେ କହିଛନ୍ତି । ସ୍ଥାନୀୟ ଅଂଚଳର ଟ୍ରକ ମାଲିକଙ୍କୁ ପରିବହନ କାର୍ଯ୍ୟାଦେଶ ନ ମିଳିବା ପର୍ଯ୍ୟନ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହାତରେ ଜୀବନ ଚାଲିଗଲେ ବି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଆସୋସିଏସନର ସଭାପତି ବସନ୍ତ କୁମାର ମହାନ୍ତି, ସମ୍ପାଦକ ସୂର୍ଯ୍ୟ କୁମାର ସାହୁ, ଉପଦେଷ୍ଟା ମାୟାଧର ପଣ୍ଡା, କାର୍ତ୍ତିକ ଚନ୍ଦ୍ର ମହାନ୍ତି, ସୂର୍ଯ୍ୟ ନାରାୟଣ ମହାନ୍ତି, ପଂଚାନନ ଦାଶ, ରବିନାରାୟଣ ପାଢ଼ୀ, ବିଶ୍ୱଜିତ ଘୋଷ, କୈଳାସ ଚନ୍ଦ୍ର ମହାପାତ୍ର, କ୍ଷୀରୋଦ କୁମାର ମଲ୍ଲିକ, ଭବାନୀ ଶଙ୍କର ସେଠୀ, ଶ୍ୟାମସୁନ୍ଦର ମହାନ୍ତି ପ୍ରମୁଖ ସଂଘର ସଦସ୍ୟଙ୍କ ସହ ବହୁ ଟ୍ରକ ମାଲିକ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।