ଅସହାୟ ଅବସ୍ଥାରେ ଅବିବାହିତା ଶଶୀ , ତାଙ୍କୁ ସରକାରୀ ସହାୟତା ଲୋଡା
ବୁଗୁଡ଼ା : ତା ୨୬/୦୩/୨୩ : ଗରୀବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଥିଲେ ହେଁ ପ୍ରକୃତ ଅସହାୟ ସବୁ ଯୋଜନାରୁ ବଞ୍ଚିତ ହୋଇ ଭଗବାନଙ୍କ ଭରସାରେ ପଡି ରହି ବାକୁ ବାଧ୍ୟ ହେଉଛନ୍ତି l ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ଗ୍ରାମରେ l ବାପା ମାଆ ଆରପାରିକୁ ଚାଲିଗଲା ପରେ ଭାଇମାନେ ପାଖ ନ ମାଡିବାରୁ ଏବେ କେବଳ ଭାଗ୍ୟକୁ ଆଦରି ଏକୁଟିଆ ଜୀବନ ବିତାଉଛନ୍ତି ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ଅବିବାହିତା ଶଶୀ ଦାସ(୪୫ ) l ମୁଲଲାଗି ନିଜର ପେଟ ପୋଷୁଥିଲେ । କିନ୍ତୁ, ଦଇବ ଦାଉ ସାଧିଲା ପରି ଦଶ ବର୍ଷ ପୂର୍ବେ ଫାଲେରିଆ ରୋଗରେ ସେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସେହି ରୋଗ ଏତେ ବଢି ଯାଇଛି ଯେ ଗୋଡ଼ରେ ଘାଆ ହୋଇ ପଚି ଫାଟି ଗଲାଣି l ତାହା ଦୁର୍ଗନ୍ଧ ହେଉଥିବାରୁ ସାହି ପଡୋଶୀ ମଧ୍ୟ ପାଖ ମାଡୁ ନାହାନ୍ତି l କିଏ ଆହା ବିକଳ ପଡି ଗଣ୍ଡେ ଦେଲେ ଖାଉଛନ୍ତି ନ ହେଲେ ଉପବାସରେ ରହିବାକୁ ପଡୁଛି l କେବଳ ଭଗବାନଙ୍କ ଉପରେ ଭରସା କରି ବଞ୍ଚିବାର ରାହା ଖୋଜୁଛନ୍ତି ଅସହାୟ ଶଶୀ l ଅସହାୟ ଭାବରେ ନିଜ ଭାଗ୍ୟକୁ ଆଦରି ଝାଟି କୁଡ଼ିଆ ତଳେ ପଡିରହିଛନ୍ତି । ସରକାରୀ ସହାୟତା କହିଲେ ୫ କିଲୋ ଚାଉଳ ଏବଂ ୫ ଶହ ଟଙ୍କା ଭତ୍ତା ପାଉଛନ୍ତି l ତାଙ୍କର ବିଜୁ ସ୍ଵାସ୍ଥ୍ୟ କାର୍ଡ ନ ଥିବାରୁ ସେ ନିଜର ଚିକିତ୍ସା କରାଇ ପାରୁ ନାହାନ୍ତି କି ଔଷଧ ଆଣି ପାରୁ ନାହାନ୍ତି । ସରକାର ତାଙ୍କ ପ୍ରତି ଦୃଷ୍ଟି ଦେଇ ଚିକିତ୍ସା କରିବାରେ ସାହାଯ୍ୟ କଲେ ଏହି ଦୁଃଖ କଷ୍ଟରୁ ମୁକ୍ତି ପାଇ ପାରିବେ ବୋଲି ସେ କୋହ ଭରା କଣ୍ଠରେ ନିବେଦନ କରିଛନ୍ତି l