November 16, 2024

ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ: ଶୁଭାରମ୍ଭ ହେଲା “ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ”

Share

•ଆନ୍ତଃ- ବିଭାଗୀୟ ସମନ୍ଵିତ ସରକାରୀ ଉଦ୍ୟମରେ ଶିକ୍ଷା,ସ୍ୱାସ୍ଥ୍ୟ, ଭିତ୍ତିଭୂମି ଏବଂ ଜୀବିକା ଭଳି ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ ସେବା ସମୂହରେ ପରିପୂର୍ଣ୍ଣତା ଆଣି ଜନଜାତୀଙ୍କର ହେବ ସାମଗ୍ରିକ ବିକାଶ

* ଜିଲ୍ଲାର ମୁଖମନ୍ତ୍ରି ଜନଜାତି ଜୀବିକା ମିଶନ୍ ଅନ୍ତର୍ଭୁକ୍ତ ୩୦ ଜଣ ଯୁବ ଉଦ୍ୟୋଗୀମାନଙ୍କୁ ଚେକ୍ ପ୍ରଦାନ କରିବା ସହିତ ଜଙ୍ଗଲ ଅଧିକାର ଆଇନ (ଏଫ୍ଆରଏ) ପଟ୍ଟାଧାରୀଙ୍କ ଅଧୀନରେ ୬୩ ଜଣ ହିତାଧିକାରୀ ଙ୍କୁ ଜମି ପଟ୍ଟା ବଣ୍ଟନ।

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):

ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ଆଜି କୁଚିଣ୍ଡାରେ ପାଳିତ ହୋଇ ଜିଲ୍ଲାରେ ଶୁଭାରମ୍ଭ ହୋଇଛି “ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ।

ଗତ ୦୨.୧୦.୨୦୨୪ ତାରିଖ, ଗାନ୍ଧୀ ଜୟନ୍ତୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଏବଂ ଆକାଂକ୍ଷୀ ଜିଲ୍ଲାରେ ଆଦିବାସୀ ପରିବାରମାନଙ୍କ ପୂର୍ଣ୍ଣାଙ୍ଗ ବିକାଶକୁ ଆଖିଆଗରେ ରଖି ସେମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଦେଶର ସମୁଦାୟ ୫୪୯ ଜିଲ୍ଲାର ୨୭୪୦ ଗୋଟି ବ୍ଲକକୁ ଅନ୍ତର୍ଭୁକ୍ତ କରିଛନ୍ତି । ସମୁଦାୟ ୭୯,୧୫୬ କୋଟି ଟଙ୍କା ବ୍ୟୟ ବରାଦରେ ଦେଶର ପ୍ରାୟ ୬୩,୦୦୦ ଗ୍ରାମ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୫ କୋଟିରୁ ଅଧିକ ଆଦିବାସୀ ଲୋକ ଏହି ଅଭିଯାନରୁ ଉପକୃତ ହେବେ ।

କେନ୍ଦ୍ର ସରକାରଙ୍କ ଏହି ଅଭିଯାନର ସଫଳ ରୂପାୟନ ପାଇଁ ଓଡିଶା ସରକାର ନିଜ ରାଜ୍ୟର ୨୭ ଗୋଟି ଜିଲ୍ଲାର ୨୩୪ ଗୋଟି ଜନଜାତୀ ପ୍ରବଣ ବ୍ଲକରୁ ସମୁଦାୟ ୭,୬୬୭ ଗୋଟି ଗ୍ରାମରେ ବସବାସ କରୁଥିବା ୧୦,୮୩,୬୬୧ ଜନଜାତୀ ପରିବାରର ୪୮,୧୫,୬୭୦ ଜଣ ଜନଜାତୀ ଲାଭାର୍ଥୀଙ୍କ ସଶକ୍ତିକରଣ ତଥା ସମ୍ପୂର୍ଣ ବିକାଶ ପାଇଁ ଆରମ୍ଭ କରିଛନ୍ତି “ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ” । ଏହି ଯୋଜନା ମାଧ୍ୟମରେ ସାମାଜିକ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକାରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ସମନ୍ୱୟ ଏବଂ ପ୍ରସାର ମାଧ୍ୟମରେ ଦୂର କରିବା ସହ ଜନଜାତୀଙ୍କ ପାଇଁ ନିରାପଦ ବାସସ୍ଥାନ, ବିଶୁଦ୍ଧ ପାନୀୟଜଳ ଏବଂ ପରିମଳ, ଶିକ୍ଷା ଗ୍ରହଣ, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିରେ ଉନ୍ନତି ଆଣି ରାସ୍ତା ଓ ଦୁରାସଞ୍ଚାର ଯୋଗାଯୋଗ, ବିଦ୍ୟୁତୀକରଣ, ସ୍ଵଚ୍ଛ ଏବଂ ନବୀକରଣଯୋଗ୍ୟ ଶକ୍ତିର ପ୍ରୋତ୍ସାହନ ସହ ଜନଜାତୀକୁ ଏକ ଦୀର୍ଘସ୍ଥାୟୀ ଜୀବିକାର ସୁଯୋଗ ଦେବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ୧୭ଟି ମନ୍ତ୍ରଣାଳୟ/ବିଭାଗର ୨୫ ଗୋଟି କାର୍ଯ୍ୟକ୍ରମକୁ ତ୍ଵରାନୀତ କରାଯିବ ।

ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ମାଧ୍ୟମରେ ସମସ୍ତ ଅଧିବାସୀ ଗ୍ରାମରେ ସକ୍ଷମ ଭିତ୍ତିଭୂମି ବିକାଶ କରିବା ପାଇଁ ଯୋଗ୍ୟ ଅନୁସୂଚିତ ଜନଜାତି ପରିବାରକୁ ପିଏମ୍ଏୱାଇ (ଗ୍ରାମୀଣ) ଅଧୀନରେ ପକ୍କା ଘର, ଜଳ ଜୀବନ ମିଶନ, ବିଦ୍ୟୁତ ଯୋଗାଣ ସହ ଆୟୁଷ୍ମାନ ଭାରତ କାର୍ଡ (ପିଏମଜେଏୱାଇ)ର ସୁବିଧା ଯୋଗାଇ ଦିଆଯିବ ।

ଗ୍ରାମ ଭିତ୍ତିଭୂମିରେ ଉନ୍ନତି ଆଣିବା ନିମନ୍ତେ ଅନୁସୂଚିତ ଜନଜାତି ବହୁଳ ଗ୍ରାମଗୁଡିକୁ ପିଏମଜିଏସୱାଇ ସଡ଼କ ସଂଯୋଗ ସୁନିଶ୍ଚିତ କରିବା ସହ ଭାରତ ନେଟ୍ ମୋବାଇଲ ଟାୱାର ଏବଂ ଇଣ୍ଟରନେଟ୍ ସୁବିଧାର ବ୍ୟବସ୍ତା କରାଯିବ । ଏନ୍ଏଚ୍ଏମ୍, ସମଗ୍ର ଶିକ୍ଷା ଏବଂ ପୋଷଣ ଅଭିଯାନ ମଧ୍ୟମରେ ସ୍ୱାସ୍ଥ୍ୟ, ପୋଷଣ ଏବଂ ଶିକ୍ଷାର ଉନ୍ନତି ପାଇଁ ଭିତ୍ତିଭୂମି ପ୍ରଦାନ କରାଯିବ ।

                        ପ୍ରସବ ପୂର୍ବ ନିର୍ଣ୍ଣୟ ଉପରେ ବିଶେଷ ଗୁରୁତ୍ୱ ଦେଇ ସିକଲ୍ ସେଲ୍ ଭଳି ବିଭିନ୍ନ ରୋଗ ନିରୂପଣ ପାଇଁ ଆଗୁଆ ସୁବିଧା ଯୋଗାଇ ଦିଆଯିବ ଏବଂ ୬ କୋଟି ଟଙ୍କା/ସିଓସି ବ୍ୟୟରେ ପ୍ରସବ ପୂର୍ବ ନିର୍ଣ୍ଣୟ ପାଇଁ ବୈଷୟିକ ଜ୍ଞାନକୌଶଳ, କର୍ମଚାରୀ ଏବଂ ଗବେଷଣା କ୍ଷମତା ରହିବ। ଆଦିବାସୀ ଉତ୍ପାଦ ଗୁଡିକର ପ୍ରଭାବଶାଳୀ ମାର୍କେଟିଂ ଏବଂ ବଜାର ଭିତ୍ତିଭୂମି, ସଚେତନତା, ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ପରିବହନ ସୁବିଧାରେ ଉନ୍ନତି ଆଣିବା ସହ ଉପଯୁକ୍ତ ମୂଲ୍ୟ ପାଇବାରେ ସେମାଙ୍କୁ ସକ୍ଷମ କରିବା ପାଇଁ ୧୦୦ଟି ଆଦିବାସୀ ବହୁମୁଖୀ ମାର୍କେଟିଂ ସେଣ୍ଟର ପ୍ରତିଷ୍ଠା କରାଯିବ ।

ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା କଲେଜ ପଡିଆ ଠାରେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ସହିଦ୍ ବୀର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ତଥା ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ ହୋଇଛି । ସମାରୋହର ମୁଖ୍ୟ ଅତିଥି ଓଡିଶା ସରକାର, ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଶ୍ରୀ ରବିନରାୟଣ ନାୟକ ,ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ପ୍ରସନ୍ନ କୁମାର ପାତ୍ର, ଉପ ଜିଲ୍ଲାପାଳ, କୁଚିଣ୍ଡା ଡ଼. ଗୋୖରବମୟ ପ୍ରଧାନ,ପିଏ ଆଇଟିଡ଼ିଏ ଶ୍ରୀ ହେମସଗର ଭୋଇ,ଜିଲ୍ଲା ପରିଷଦ ସଦସ୍ୟ ଦିଵ୍ୟରାଜ କିଷନ,ମଞ୍ଚାସୀନ ଥିଲେ।

ସମସ୍ତ ମଞ୍ଚାସୀନ ଅତିଥିଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଜନଜାତୀ ହିତାଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବିହାର ଠାରେ ଆୟୋଜିତ ହେଉଥିବା ଜନଜାତୀୟ ଗୌରବ ଦିବସ ପାଳନ ତଥା ଭବ୍ୟ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଯୋଡିତ ଥିଲେ ।

      ସୂଚନା ଯୋଗ୍ୟକି, ଏହି ଅଭିଯାନରେ ସମ୍ବଲପୁର ଜିଲ୍ଲାର ମୁଖମନ୍ତ୍ରି ଜନଜାତି ଜୀବିକା ମିଶନ୍ ଅନ୍ତର୍ଭୁକ୍ତ -୩୦ ଜଣ ଯୁବ ଉଦ୍ୟୋଗୀମାନଙ୍କୁ ଚେକ୍ ପ୍ରଦାନ କରିବା ସହିତ ଜଙ୍ଗଲ ଅଧିକାର ଆଇନ (ଏଫ୍ଆରଏ) ପଟ୍ଟାଧାରୀଙ୍କ ଅଧୀନରେ ୬୩ ଜଣ ହିତାଧିକାରୀ ଙ୍କୁ ଜମି ପଟ୍ଟା ବଣ୍ଟନ କରଯାଇଥିଲା।ଏହା ପରେ ବିଭିନ୍ନ ସାଙ୍କୃତିକ କାର୍ଯ୍ୟକ୍ରମ ଆଦି ପରିବେଷଣ କରଯାଇଥିଲା।

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଆଜି ସକାଳ ସାଢ଼େ ୭ଟାରେ ଅଇଁଠାପାଲି ଛକରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅତିରିକ୍ତ କମିଶନର ଏସ୍ଏମ୍ସି ସରୋଜିନୀ କୁଲୁ, ତହସିଲଦାର ଜୁଜୁମୁରା ସ୍ୱାଧିନ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ ପ୍ରମୁଖ ଉପସ୍ଥିତ ରହିଥିଲେ।